ଭୁୁବନେଶ୍ୱର: ବରିଷ୍ଠ ଆଇଏଏସ ଅଫିସର ଗଗନ ଧଳ ଚାକିରିରୁ ଇସ୍ତଫା ଦେଇଛନ୍ତି । ଆଜି ସେ ନିଜ ପଦରୁ ଇସ୍ତଫା ଦେବା ସହ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି । ଇସ୍ତଫାପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିବା କୁହାଯାଉଥିଲେ ମଧ୍ୟ ତାଙ୍କଠାରୁ ଜୁନିୟର୍ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଶାସନ ଭାବେ ନିଯୁକ୍ତି ପାଇଥିବାରୁ ସେ ନିଜକୁ ଅପମାନିତ ମନେ କରି ଚାକିରି ଛାଡ଼ିଥିବା ଚର୍ଚ୍ଚା ହେଉଛି ।
୧୯୮୫ ବ୍ୟାଚ୍ ର ଅଧିକାରୀ ଶ୍ରୀ ଧଳ କୃଷି ଉତ୍ପାଦନ କମିଶନର ପଦବୀରେ ଥିଲେ । ତାଙ୍କ ଜାଗାରେ ଗତକାଲି ପ୍ରଦୀପ୍ତ ମହାପାତ୍ରଙ୍କୁ ବଦଳି କରାଯାଇଛି । ୧୯ ତାରିଖରୁ ସେହି ବଦଳି ଆଦେଶ କାର୍ଯ୍ୟକାରୀ ହେବ । କୃଷି ଉତ୍ପାଦନ କମିଶନର ଭାବେ ପ୍ରଦୀପ୍ତ ମହାପାତ୍ରଙ୍କର ବଦଳି ଅର୍ଡର ବାହାରିଥିଲେ ବି ଗଗନ ଧଳଙ୍କର ନୂଆ ପୋଷ୍ଟିଂ ବାହାରି ନାହିଁ । ତେବେ ଅର୍ଡର ବାହାରିବା ପୂର୍ବରୁ ଶ୍ରୀ ଧଳ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି ।
ସଚିବାଳୟରେ ଚର୍ଚ୍ଚା ଯେ କୁଆଡ଼େ ଅପମାନ ସହି ନ ପାରି ଶ୍ରୀ ଧଳ ଚାକିରି ଛାଡ଼ି ଦେବାକୁ ନିଷ୍ପତ୍ତି ନେଲେ । ବରିଷ୍ଠତା ଦୃଷ୍ଟିରୁ ସେ ମୁଖ୍ୟ ଶାସନ ସଚିବ ପାଇବା କଥା । ମୁଖ୍ୟ ଶାସନ ସଚିବ ନହେଲେ ନାଇଁ, ଉନ୍ନୟନ କମିଶନର ପଦ ପାଇବେ ବୋଲି ତାଙ୍କର ବିଶ୍ୱାସ ଥିଲା । ମାତ୍ର ତାଙ୍କର ଜୁନିୟର୍ ତଥା ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିବାରୁ ସେ ହଜମ କରିନାହାନ୍ତି । ଏହା ତାଙ୍କ ପାଇଁ ଅପମାନ ବୋଲି ଶ୍ରୀ ଧଳ କୁଆଡ଼େ ମନେ କରୁଛନ୍ତି । ଖାଲି ସେତିକି ନୁହେଁ, ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ରାଜ୍ୟ ସରକାର ନିଯୁକ୍ତି ଦେବା ତାଙ୍କ ପାଇଁ କଟା ଘାରେ ଚୂନ ବୋଲିଲା ଭଳି ହୋଇଛି । ଶ୍ରୀ ମହାପାତ୍ର ମଧ୍ୟ ୧୯୮୬ ବ୍ୟାଚ୍ ର ଅଧିକାରୀ । ଅର୍ଥାତ୍ ତାଙ୍କଠାରୁ ବର୍ଷେ ଜୁନିୟର୍ ।
ଶେଷ ଖବର ଅନୁଯାୟୀ, ଶ୍ରୀ ଧଳଙ୍କୁ ମନାଇବା ପାଇଁ ଉଦ୍ୟମ ଚାଲିଛି । ମାତ୍ର ସେ ନିଜ ଜିଦ୍ ରେ ଅଟଳ ରହିଛନ୍ତି । ତେବେ ମନାଇବା ଉଦ୍ୟମ ସଫଳ ହେଲେ ହୁଏତ ତାଙ୍କୁ କୌଣସି ଉଚ୍ଚ ସମ୍ମାନସ୍ପଦ ଜାଗାରେ ନିଯୁକ୍ତି ମିଳିବ । ସୂଚନାଯୋଗ୍ୟ, ଶ୍ରୀ ଧଳ ଆସନ୍ତା ୨୦୨୦ ଜାନୁଆରୀ ମାସରେ ଚାକିରିରୁ ଅବସର ନେବାର ଥିଲା ।