୧୬ଟି ଜିଲ୍ଲାର ୫୭ ଲକ୍ଷ ଲୋକ କ୍ଷତିଗ୍ରସ୍ତ
ଭୁବନେଶ୍ୱର: ତିତଲି ଦ୍ୱାରା କ୍ଷତିଗ୍ରସ୍ତ ସବୁ ପରିବାରକୁ ନଗଦ ଏକ ହଜାର ଟଙ୍କା, ୫୦ କେଜି ଚାଉଳ ଓ ଅଢ଼େଇ ଲିଟର କିରୋସିନି ତୁରନ୍ତ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଅନୁଯାୟୀ ଖୁବ ଶୀଘ୍ର ଆଉ ଦୁଇ ହଜାର ଟଙ୍କା ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଜପତି ଜିଲ୍ଲା ପରିଦର୍ଶନ କରି ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ।
ତିତଲି କ୍ଷୟକ୍ଷତି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନ ବୈଠକରେ ଉପସ୍ଥାପିତ ହୋଇଥିଲା । ରାଜ୍ୟର ୧୬ଟି ଜିଲ୍ଲାର ୧୧୪ ଟି ବ୍ଲକ୍ ର ୫୭ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଧାନ ଓ ଅଣଧାନ ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୧,୪୮,୦୦୦ ହେକ୍ଟର ଧାନ ଫସଲ ଓ ୬୫,୦୦୦ ହେକ୍ଟର ଅଣ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି ।
ବୈଠକର ଆଲୋଚନା ଅନୁଯାୟୀ, କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ପରିସ୍ଥିତି ସ୍ୱାଭାବିକ ହେଉଛି । ସମସ୍ତଙ୍କୁ ପଲିଥିନ୍ ଯୋଗାଇ ଦିଆଯାଉଛି । ପାରଳାଖେମୁଣ୍ଡି ଓ କାଶିନଗରରେ ଆଜି ସଂଧ୍ୟା ସୁଦ୍ଧା ବିଦୁ୍ୟତ ସରବରାହ ପୁନଃସ୍ଥାପିତ ହେଉଛି । ଅନ୍ୟାନ୍ୟ ବ୍ଲକ୍ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକରେ ଆସନ୍ତାକାଲି ସୁଦ୍ଧା ବିଦ୍ୟୁତ ପୁନଃ ସଂଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବ୍ୟାପକ କ୍ଷତି ଯୋଗୁଁ ବାକି ସ୍ଥାନ ଗୁଡ଼ିକରେ ଏହି କାର୍ଯ୍ୟ ପାଇଁ ଦୁଇ ତିନି ଦିନ ସମୟ ଲାଗିବ । ସେହିଭଳି ପୂର୍ତ୍ତ ବିଭାଗ ରାସ୍ତାଗୁଡ଼ିକର ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତାଗୁଡ଼ିକର ମରାମତି ପାଇଁ ତିନି ଦିନ ସମୟ ଲାଗିବ ଏବଂ ସେଥିପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ଚିକିତ୍ସା ସହ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।