ଜୁଏଲ୍ ଓରାମ୍ ଙ୍କ ବିରୋଧରେ ନିର୍ବାଚନୀ ସତ୍ୟପାଠ ଅନିୟମିତତାର ଖୁଲାସା କରିଥିଲା ବିଜେଡ଼ି । ସେଥିପାଇଁ ଶନିବାର ଅପରାହ୍ନ ୫ଟାରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ମଜ୍ଜାର କଥା, ସଂଧ୍ୟା ଯାଇ ସକାଳ ବିତିଯାଇଥିଲେ ମଧ୍ୟ ବିଜେପି ତୁଣ୍ଡରୁ ବିଧିବଦ୍ଧ ଭାବେ ପ୍ରତିଜବାବ ବାହାରି ନ ଥିଲା । ଏଠିକା ବିଜେପି କ୍ୟାମ୍ପରେ ଅସମ୍ଭବ ନିରବତା ରାଜ୍ କରୁଥିଲା । ସମୀର-ଗୋଲକ- ସଜ୍ଜନଙ୍କ ତୁଣ୍ଡରେ ଜୁଏଲ୍ ଙ୍କ ପାଇଁ ସତେ ଯେମିତି ଅଠା ଲାଗିଯାଇଥିଲା । କଥାକଥାକେ କ୍ୟାମେରା ସାମନାକୁ ଆସୁଥିବା ଏହି ତିନି ତୁଣ୍ଡ ଜୁଏଲ୍ ଙ୍କ ସପକ୍ଷରେ ଓକିଲାତି କରିବାକୁ କୁନ୍ଥୁକୁନ୍ଥୁ ହଉଥେଲେ । ଦିଲ୍ଲୀରେ ଜୁଏଲ୍ ବିଜେଡ଼ି ଅଭିଯୋଗର ଜବାବ ରଖିଲା ପରେ ଯାଇ ଭୁବନେଶ୍ୱରରେ ଏମାନେ ମୁହଁ ଖୋଲିଥିଲେ । ଜୁଏଲ୍ ଙ୍କ କ୍ଷେତ୍ରରେ ବିଜେପି ତୁଣ୍ଡଙ୍କ ଏଭଳି କାଳକ୍ଷେପଣକୁ ରାଜନୈତିକ ମହଲ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ସେମାନଙ୍କ ମତରେ, ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡ଼ି ଏଭଳିଆ ଅଭିଯୋଗ ଆଣିଥିଲେ ବିଜେପି କ’ଣ ରାତିରେ ଶୋଇପାରିଥାଆନ୍ତା? ସମୀର-ଗୋଲକ-ସଜ୍ଜନ କ’ଣ ଧର୍ମେନ୍ଦ୍ରଙ୍କ ତୁଣ୍ଡରୁ ଜବାବ ବାହାରିଲା ପର୍ଯ୍ୟନ୍ତ ଅପେକ୍ଷା କରିଥାଆନ୍ତେ? ମାତ୍ର ଜୁଏଲ୍ ଙ୍କ କ୍ଷେତ୍ରରେ ମନଊଣା ଦଳର ଗୋଷ୍ଠୀ କନ୍ଦଳ ଓ ବାଛବିଚାରକୁ ପଦାରେ ପକାଇଛି । ଜୁଏଲ୍ ଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ବିଜେପିରେ ରାଜୁତି କରୁଥିବା ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ପଛଘୁଞ୍ଚା ଦେଇଥିଲେ । ଖାସ୍ ଧର୍ମେନ୍ଦ୍ରଙ୍କ ଡରରେ ଏମିତି ହୋଇଥିବା କୁହାଯାଉଛି । ତେବେ ଜୁଏଲ୍ ନିଜ ପାଇଁ ଲଢ଼େଇ କରିବାକୁ ଏକା କାଫି ବୋଲି ଦେଖାଇ ଦେଇଛନ୍ତି ।