ଭୁବନେଶ୍ୱର: ଇଭିଏମ୍ ବାକ୍ସରେ ସିଲ୍ ହୋଇଛି ୨୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ୪ ଟି ଲୋକସଭା ଓ ୨୮ ଟି ବିଧାନସଭା ଆସନରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୬% ମତଦାନ ସହ ଶାନ୍ତିପୂର୍ଣ୍ଣ ରହିଥିଲା ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନରେ ଭାଗନେବା ପାଇଁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ।
ମାଲକାନଗିରି, କୋରାପୁଟ ଜିଲ୍ଲାର କିଛି ବୁଥ୍ ରେ ଇଭିଏମ୍ ରେ ବିଭ୍ରାଟ ଯୋଗୁଁ ମତଦାନରେ ବିଳମ୍ବ ହୋଇଥିଲା । ମାଲକାନଗିରି ଏମଭି ୧୪ ଗ୍ରାମର ୯୦ ନଂ ବୁଥ୍ ରେ ଇଭିଏମ୍ ମେସିନ ଗଡ଼ବଡ଼ ହୋଇଥିଲା । ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାହା ଅନ୍ୟ ପ୍ରାର୍ଥୀଙ୍କ ଚିହ୍ନକୁ ପଳଉଥିଲା । ଇଭିଏମ୍ ରେ ଏହି ଅନିୟମିତତା ବିରୋଧରେ ଗ୍ରାମବାସୀମାନେ ଟାୟାର ଜାଳି ପ୍ରତିରୋଧ କରିଥିଲେ । ପରେ ଦୁଇଟି ମେସିନ୍ ବଦଳା ଯାଇ ଭୋଟ ଗ୍ରହଣ ହୋଇଥିଲା । ଜିଲ୍ଲାର ୩୦ଟି ବୁଥ୍ ରେ ଇଭିଏମ୍ ମେସିନ୍ ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ମତଦାନ ବିଳମ୍ବ ହୋଇଥିଲା । ଗୁଣୁପୁର ପଦ୍ମପୁର, ଉମରକୋଟ ଏବଂ ରାଇଘର ବ୍ଲକ୍ ର ଗୋଟିଏ ଦୁଇଟି ବୁଥ୍ ରେ ଇଭିଏମ୍ ଅଚଳ ହୋଇଯିବାରୁ ମତଦାନରେ ବିଳମ୍ବ ହୋଇଥିଲା । ବ୍ରହ୍ମପୁର ଓ ଜୟପୁରର କିଛି ବୁଥ୍ ରେ ମଧ୍ୟ ଇଭିଏମ୍ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା ।
୨୮ ଟି ବିଧାନସଭା କ୍ଷେତ୍ରମଧ୍ୟରୁ ୨୦ଟି ମାଓ ଅଧ୍ୟୁଷିତ ଇଲାକାରେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିଲା । ମାଓବାଦୀଙ୍କ ଭୟରେ ଚିତ୍ରକୋଣ୍ଡାର ୧୫ ଟି ବୁଥ୍ ରେ କେହି ଭୋଟ ଦେବାକୁ ଆସି ନ ଥିଲେ । ପ୍ରଥମ ପର୍ଯ୍ୟାୟ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିବା ଡିଜି ବିଜୟ ଶର୍ମା କହିଛନ୍ତି ।