ଭୁୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସହ ତାଳ ଦେଇ ପଜିଟିଭି ସଂଖ୍ୟା ବଢ଼ିଛି । ମାତ୍ର ସେଥିପାଇଁ ଛାନିଆଁ ହେବାର କାରଣ ନାହିଁ । ଆଖିକୁ ସଂଖ୍ୟା ବଡ଼ ଦେଖାଯାଉଥିଲେ ମଧ୍ୟ ସଂକ୍ରମଣ ହାର ଯଥେଷ୍ଟ କମିଯାଇଛି । ମୃତ୍ୟୁହାର ବି ଯଥେଷ୍ଟ କମ୍ । ଦେଶରେ ସର୍ବନିମ୍ନ ।
ଠିକ୍ ମାସକ ତଳେ ରାଜ୍ୟରେ କରୋନା ସଂକ୍ରମଣ ହାର ୯.୨% ଥିଲା । ଅର୍ଥାତ୍ ଟେଷ୍ଟିଂ ହେଉଥିବା ୧୦୦ ଜଣଙ୍କ ମଧ୍ୟରୁ ପ୍ରାୟ ୯ ଜଣ ପଜିଟିଭ୍ ଚିହ୍ନଟ ହେଉଥିଲେ । ମାତ୍ର ଆଜିର ଦିନରେ ସେହି ହାର ୫.୫% କୁ ଖସି ଆସିଛି । ଓଡ଼ିଶାରେ କରୋନା ମୃତ୍ୟୁହାର ବି ଦେଶରେ ସର୍ବନିମ୍ନ । ପ୍ରାୟ ୦.୫୮% ଲୋକ କରୋନାରେ ଜୀବନ ହାରୁଥିବା ସରକାରୀ ଭାବେ କୁହାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ଗତ ଦୁଇ ଦିନରେ ୧ ଲକ୍ଷରୁ ଅଧିକ ଟେଷ୍ଟିଂ ହୋଇଛି । କରୋନା ସଂକ୍ରମଣରେ ନିୟନ୍ତ୍ରଣ ଆଣିବାକୁ ଟେଷ୍ଟିଂ ହାର ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହ ରାଜ୍ୟରେ କରୋନା ଟେଷ୍ଟିଂ ୧୦ ଲକ୍ଷ ଅତିକ୍ରମ କରିବାକୁ ଯାଉଛି ଯାହା ଏକ ମାଇଲଖୁଣ୍ଟ ବୋଲି କୁହାଯାଇଛି ।
ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ସଂକ୍ରମଣ ହାର ଦ୍ରୁତ ବେଗରେ ହ୍ରାସ୍ ପାଉଛି । ଏହି ହାର ଏବେ ୩.୬% ରେ ପହଞ୍ଚିଛି । ଜିଲ୍ଲାରେ ଗତ ଦୁଇ ଦିନରେ ରେକର୍ଡ ସଂଖ୍ୟକ ୧୪,୯୫୩ ଟେଷ୍ଟିଂ ହୋଇଥିଲା । ସେଥିରୁ ୬୪୫ ପଜିଟିଭ୍ ବାହାରିଛନ୍ତି ।
ହସ୍ପିଟାଲ୍ ଗୁଡ଼ିକରେ କୋଭିଡ୍ କେୟାରର ସୁବ୍ୟବସ୍ଥା ଏବଂ କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ ଉପଯୁକ୍ତ ଯତ୍ନ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଓଡ଼ିଶା ସମ୍ଭବତଃ ଏକମାତ୍ର ରାଜ୍ୟ ଯେଉଁଠି କରୋନା ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଉଛି । ନାମୀ ଘରୋଇ ହସ୍ପିଟାଲ୍ ଗୁଡ଼ିକର ସହଭାଗିତାରେ ଉଚ୍ଚମାନର ଚିକିତ୍ସା କରାଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।