ଭୁବନେଶ୍ୱର: ଅଭିଜିତ୍ ଆୟାର ମିତ୍ରଙ୍କ ଟୁଇଟର୍ ଓ ପାଟିରୁ ଓଡ଼ିଶାର ଅସ୍ମିତାକୁ ବାରମ୍ବାର ଆଘାତ ଆସୁଥିବା ବେଳେ ଓଟିଭି ଚୁପ୍ ବସିଥିଲା । ସାଧାରଣ ଜନତାଠାରୁ ଆରମ୍ଭ କରି ବିଧାନସଭା ଯାଏଁ ପ୍ରସଙ୍ଗ ନିଆଁ ଧରିଥିବା ବେଳେ ଓଟିଭି ଚାପି ହୋଇଯାଇଥିଲା । ଓଡ଼ିଶାର ଅସ୍ମିତା ମୂଲ୍ୟରେ ଅଭିଜିତ୍ ଙ୍କୁ ଖୋଲାଖୋଲି ସମର୍ଥନ ଦେବା ପାଇଁ ସାହାସ କରିପାରୁ ନ ଥିଲା । ମାତ୍ର ଅଭିଜିତ୍ ଗୃହ କମିଟି ଦ୍ୱାରା ଜେରା ହେବା ଏବଂ ଆଇନ ଜାଲକୁ ଆସି ଜେଲ୍ ଯିବା ପରେ ସମ୍ଭାଳି ପାରିନି । ନିଜ ମାଲିକଙ୍କ ସ୍ୱାର୍ଥକୁ ଉଚ୍ଚା କରିବାକୁ ଯାଇ ଓଡ଼ିଶାର ଅସ୍ମିତାକୁ ଛୋଟ କରିବାକୁ ଉଦ୍ୟମ କରିଛି । ଆଇନ କାନୁନକୁ ମୁହଁ ମୋଡ଼ିବାକୁ ଉଦ୍ୟମ କରିଛି । ମାମଲାରେ ରାଜନୈତିକ ରଙ୍ଗ ଦେଇ ଅଭିଜିତ୍ ସପକ୍ଷରେ ଖୋଲାଖୋଲି ବାହାରି ପଡ଼ିଛି ।
ବୈଜୟନ୍ତ ପଣ୍ଡାଙ୍କ ଉପରେ ରାଗ ସୁଝାଇବାକୁ ଅଭିଜିତ୍ ଆୟାର ପ୍ରସଙ୍ଗରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି ବୋଲି ଓଟିଭି କହିବା ଆରମ୍ଭ କରିଛି । ଓଡ଼ିଶାର ସଂସ୍କୃତି,ଐତିହ୍ୟ, ବିଧାନସଭା ଏବଂ ସାମ୍ବାଦିକଙ୍କ ଇଜ୍ଜତ ଲୁଟିଥିବା ନିଜ ମାଲିକଙ୍କ ଏହି ବନ୍ଧୁ ଆଇନ ଜାଲରେ ପଡ଼ି ବନ୍ଧା ହେବା ପରେ ସରକାରଙ୍କୁ ଟାର୍ଗେଟ୍ କରିଛି । ବିଧାନସଭା ଗୃହ କମିଟିକୁ ନିଶାନା କରିବାକୁ ମଧ୍ୟ ପଛାଇନି । ଓଡ଼ିଶାକୁ ଅଭିଜିତ୍ ର ବାରମ୍ବାର କଟାକ୍ଷ ଓଟିଭିକୁ ଛୋଟିଆ ଦିଶିଛି । ଅଭିଜିତ୍ ର ଅପରାଧକୁ ଖୋଦ ସୁପ୍ରିମକୋର୍ଟ ଗମ୍ଭୀରତା ଦେଖାଇଥିବା ବେଳେ ଓଡ଼ିଶା ମାଟିର ଏହି ଟିଭି ଚାନେଲ୍ ପାଇଁ ଗୌଣ ହୋଇଯାଇଛି । ନିଜ ମାଲିକଙ୍କ ସ୍ୱାର୍ଥରକ୍ଷା ଏଜେଣ୍ଡାରେ ଓଟିଭି ନିଜେ କହିବାକୁ ଚାହୁଁଥିବା ମତକୁ ରାଜ୍ୟର ବିଭିନ୍ନ କୋଣରୁ କିଛି ତଥାକଥିତ ବୁଦ୍ଧିଜୀବୀଙ୍କ ପାଟିରେ କୁହାଇଛି । କୁଆଡ଼େ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଓ ‘ତିତଲି’ ମୁକାବିଲାର ଅପାରଗତାକୁ ଘୋଡାଇବା ପାଇଁ ଅଭିଜିତ୍ ଆୟାର ଗିରଫରେ ସରକାର ତତ୍ପରତା ଦେଖାଇଛନ୍ତି ।
ଏଭଳି ପ୍ରଚାର କରି ଓଡ଼ିଶାବାସୀଙ୍କୁ ଓଟିଭି ବୁଦ୍ଦୁ ଓ ଭକୁଆ ବନେଇବାକୁ ଉଦ୍ୟମ କରୁଛି ବୋଲି ବିଭିନ୍ନ ସଂଗଠନ, ବୁଦ୍ଧୀଜୀବୀ ଓ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସେମାନଙ୍କ ମତରେ, ଅଭିଜିତ୍ ଆୟାର ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ବୋଲି ସମସ୍ତେ ଜାଣିଛନ୍ତି । ବୈଜୟନ୍ତ ତାଙ୍କୁ ଓଡ଼ିଶା ବୁଲାଇ ଆଣିଥିବା ସମୟରେ ସେ ଓଡ଼ିଶାର ଅସ୍ମିତାକୁ କୁଠାରଘାତ କରିଛନ୍ତି । ମାମଲା ଆଇନ ଗଣ୍ଡିକୁ ଚାଲିଯିବା ପରେ ଅଭିଜିତ୍ ଗିରଫ ହୋଇ ଜେଲ୍ ଯାଇଛନ୍ତି । କୋର୍ଟ ନିର୍ଦ୍ଦେଶକୁ ପୁଲିସ ଯାହା ପାଳନ ହିଁ କରିଛି । ଏହା ବନ୍ଧୁ ବୈଜୟନ୍ତଙ୍କୁ ବାଧୁଛି । ସେଥିପାଇଁ ନିଜର ଟିଭି ଚାନେଲକୁ ଆୟୁଧ କରି ବୈଜୟନ୍ତ ତାଙ୍କ ବନ୍ଧୁଙ୍କ ସପକ୍ଷରେ କ୍ୟାମ୍ପେନ୍ କରିବା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାକୁ ଆହୁରି ଅପମାନିତ କରାଯିବା ସହ ଆଇନ ବ୍ୟବସ୍ଥାକୁ ଚାଲେଂଜ କରାଯାଉଛି । ନିଜ ମାଟି ଓ ଜାତିର ସ୍ୱାଭିମାନ ଆଘାତ ହେବା ବୈଜୟନ୍ତଙ୍କ ଟିଭି ପାଇଁ କିଭଳି ଛୋଟ ହୋଇଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।
ସମାଲୋଚକଙ୍କ ମତରେ, ବନ୍ଧୁ ଅଭିଜିତ୍ ଙ୍କୁ ବୁଦ୍ଦୁ ବନାଇ ଫସାଇଛନ୍ତି ଖୋଦ୍ ବୈଜୟନ୍ତ । ସେ ଜେଲ୍ ଯିବା ପରେ ଏବେ ବୈଜୟନ୍ତଙ୍କ ପାଳି ଆସୁଛି । କାରଣ ଅଭିଜିତ୍ ମାମଲାରେ ବୈଜୟନ୍ତ ବି ଜଣେ ଅଭିଯୁକ୍ତ । ତେଣୁ ସେଥିରୁ ଖସିବା ପାଇଁ ସେ ନିଜ ଟିଭିକୁ ଆୟୁଧ କରିଛନ୍ତି । ଦିଲ୍ଲୀ ସର୍କଲରୁ ଅଭିଜିତ୍ ପାଇଁ ସମବେଦନା ଯୋଗାଡ଼ କରିବା ପଛରେ ଗୋଟିଏ ଗୁଳିରେ ଦିଇ ତିନିଟା ଶିକାର ଲକ୍ଷ୍ୟ ରଖିଛନ୍ତି । ନିଜେ ବର୍ତ୍ତି ଯିବେ, ନବୀନ ପଟ୍ଟନାୟକଙ୍କୁ ବଦନାମ କରିବେ ଏବଂ ନିଜର ରାଜନୈତିକ ଅଭିଳାଷ ଚରିତାର୍ଥ କରିବେ । ତେବେ ଏସବୁ ଯେ ରାଜ୍ୟର ସ୍ୱାର୍ଥ ଓ ସ୍ୱାଭିମାନ ବଦଳରେ ତାହା ବୈଜୟନ୍ତ ଭୁଲିଯାଇଛନ୍ତି । ଏହା ତାଙ୍କ ପାଇଁ ବୁମେରାଂ ହୋଇ ଓଲଟା ଫଳ ଦେବ ବୋଲି ସେମାନଙ୍କ ମତ ।