ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବର୍ଷ ବର୍ଷ ଧରି ଲୋକଙ୍କୁ ଠକି ଆସୁଥିବା ଦୁର୍ନାମଧନ୍ୟ ଓରଟେଲ୍ କେବୁଲ ସଂସ୍ଥା ଶେଷରେ ସରକାରୀ ସାର୍ଟିଫିକେଟ ପାଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କୁ ଚିତାକାଟି ଦେଇଛି ପ୍ରଭାବଶାଳୀ ବୈଜୟନ୍ତ ପଣ୍ଡାଙ୍କ ସଂସ୍ଥା ଓରଟେଲ୍ । ଓରଟେଲ୍ ଯୋଗାଉଥିବା ଟିଭି ଓ ନେଟ୍ ସେବାରୁ ବଞ୍ଚିତ ହୋଇ ବାରମ୍ବାର ଅଭିଯୋଗ କଲେ ବି ସଂସ୍ଥା ଶୁଣୁନାହିଁ । ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କ ଅଫିସ୍ର ଏହି ଅସନ୍ତୋଷକୁ ଖୋଲାଖୋଲି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଖାଲି ଅସନ୍ତୋଷେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରୁ ଓରଟେଲ୍ କେବୁଲ୍ କନେକ୍ସନ୍ ହଟେଇ ଦେଇ ସଂସ୍ଥା ନେଇଥିବା ମାସିକ ଦେୟ ଓ ସେଟ୍ ଟପ୍ ବକ୍ସ ବାବଦ ଟଙ୍କା ଫେରାଇ ଦେବାକୁ କୁହାଯାଇଛି ।
ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଏହି ମର୍ମରେ ଓରଟେଲ୍ ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଗତ ୮ ତାରିଖରେ କଡ଼ା ଚିଠି(ନଂ ୪୯୨୮) ଲେଖିଛନ୍ତି । ଚିଠିରେ ଓରଟେଲ୍ ସଂସ୍ଥାର ଅଥର୍ବ କେବୁଲ୍ ସର୍ଭିସ୍କୁ କଟୁ ଭାଷାରେ ସମାଲୋଚନା କରାଯାଇଛି । ବାରମ୍ବାର ଅଭିଯୋଗ ଦେଲେ ବି ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କ ଅଫିସ୍କୁ ସେବା ଦେବାରେ ସଂସ୍ଥାର ଗାଲୁଆମୀ ଓ ଠକାମୀକୁ ଅଙ୍ଗୁଳି ଉଠାଯାଇଛି । ମାସ ମାସ ଧରି ସଂସ୍ଥାର ଏଭଳି ଆଚରଣରେ ଅସ୍ତବ୍ୟସ୍ତ ସରକାର ଏହି ଚିଠି ମାଧ୍ୟମରେ ଖାଲି ଚେତାଇନାହାନ୍ତି ବରଂ ସଂସ୍ଥା ପଇସା ଫେରାଇବାକୁ ତାଗିଦ୍ କରିଛି । ପ୍ରଥମ ଦଫାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ତୁରନ୍ତ କେବୁଲ୍ ସଂଯୋଗ କାଟି ପଇସା ଫେରସ୍ତ ଦେବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରେ ଲାଗିଥିବା ୭ ଟି ସଂଯୋଗକୁ ମାସିକିଆ ଗ୍ରାହକ ଦେୟ ୩୦୧ ଟଙ୍କା ହିସାବରେ ୫ ମାସର ୧୦,୫୬୯ ଟଙ୍କା ଏବଂ ଗୋଟା ପିଛା ୯୯୯ ଟଙ୍କା ହିସାବରେ ୧୦ଟି ସେଟ୍ ଟପ୍ ବକ୍ସ ବାବଦକୁ ନେଇଥିବା ୯,୯୯୦ ଟଙ୍କା ଏହିଭଳି ସର୍ବମୋଟ ୨୦,୫୫୯ ଟଙ୍କା ତୁରନ୍ତ ଫେରସ୍ତ କର ବୋଲି ଚିଠିରେ ନିର୍ଦେଶ ଦିଆଯାଇଛି ।
ଓରଟେଲ୍ କେବୁଲ୍ ସଂସ୍ଥାର ଠକାମୀ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଧରିଲା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ସଂସ୍ଥା ବର୍ଷ ବର୍ଷ ଧରି ଲୋକଙ୍କୁ ଦିନ ଦ୍ୱିପ୍ରହରେ ଠକୁଥିବା ଅଭିଯୋଗ ସବୁବେଳେ ହୋଇଆସିଛି । ଏକଚାଟିଆ କେବୁଲ୍ କାରବାର ଯୋଗୁଁ ସଂସ୍ଥା ଲୋକଙ୍କୁ ସର୍ଭିସ୍ ନ ଦେଇ ଗୁଣ୍ଡାଙ୍କ ଦ୍ୱାରା ଡରାଇ ଧମକାଇ ମାସିକିଆ ପଇସା ଆଦାୟ କରୁଛି । ଲୋକ ମାସ ମାସ ଧରି ସେବା ନ ପାଇ ଅଭିଯୋଗ କରୁଥିଲେ ବି ସେମାନେ ଶୁଣିବାର ନାହିଁ । ହେଲେ ପଇସା ଆଦାୟ ପାଇଁ ସଂସ୍ଥା ଗୁଡ଼ାଏ ଟାଉଟର, ଗୁଣ୍ଡାଙ୍କୁ ପୋଷିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଏ ନେଇ ପ୍ରତିଦିନ ଅଭିଯୋଗ ଆସୁଥିଲେ ମଧ୍ୟ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ମାଲିକାନା ଆଗରେ ହାର୍ ମାନୁଛନ୍ତି । ତେବେ ଶେଷରେ ସରକାର ନିଜେ ଏହି ଠକେଇରେ ପଡ଼ିବା ପରେ ଚେତା ପଶିଛି । ସରକାରୀ ମୋହର ବାଜିଲା ପରେ ବିନା ସର୍ଭିସ୍ରେ ଠକି ନେଇଥିବା ପଇସା ଆଦାୟ କରିବାକୁ ଏବେ ସାଧାରଣ ଲୋକେ ଅଣ୍ଟା ଭିଡ଼ିଥିବା ବିଭିନ୍ନ ଜିଲ୍ଲାରୁ ଖବର ଆସିଛି ।