ନୂଆଦିଲ୍ଲୀ: ମାତ୍ର ୧୩ ବର୍ଷର ଆଇଏଏସ୍ ଚାକିରି କାଳରେ ଭାରି ସୁନାମ ଅର୍ଜନ କରିଥିଲେ ୩୭ ବର୍ଷୀୟ ଓ.ପି.ଚୌଧୁରୀ । ନିଜର ଦକ୍ଷତା ପାଇଁ ଯେଉଁଠି କାର୍ଯ୍ୟ କରୁଥିଲେ ଲୋକଙ୍କ ଆଦର, ସମ୍ମାନ ପାଉଥିଲେ । ଛତିଶଗଡ଼ର ମାଓ ଉପଦ୍ରୁତ ଦାନ୍ତେୱାଡ ରେ କଲେକ୍ଟର ଥିବା ବେଳେ ତାଙ୍କ କାର୍ଯ୍ୟ ସମଗ୍ର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମାଓବାଦୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ପରିବାର ସମେତ ସମଗ୍ର ମାଓ ପ୍ରଭାବିତ ଅଞ୍ଚଳର ଛୁଆମାନଙ୍କ ପାଠପଢ଼ା ପାଇଁ ‘ଏଜୁକେସନ୍ ସିଟି’ ଆରମ୍ଭ କରିଥିଲେ । ମାଓ ଇଲାକାର ଅନ୍ଧାରରେ ସଢ଼ୁଥିବା ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବା ପାଇଁ ତାଙ୍କର ଥିଲା ଅକ୍ଲାନ୍ତ ପରିଶ୍ରମ । ନିଜେ ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ାଉଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରାଇବାରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ୨୦୧୧-୧୨ ମସିହାରେ ପ୍ରଧାନମନ୍ତ୍ରୀଙ୍କଠାରୁ ତାଙ୍କୁ ମିଳିଥିଲା ଉତ୍କର୍ଷତା ସମ୍ମାନ ।
ରାୟପୁରର କଲେକ୍ଟର ଥିବା ବେଳେ ଯୁବ ଆଇଏଏସ୍ ଶ୍ରୀ ଚୌଧୁରୀ ରାଜନୀତି ପ୍ରତି ମନ ବଳାଇ ହଠାତ୍ ଚାକିରିରୁ ଇସ୍ତଫା ଦେଇଥିଲେ । ଚାକିରି କ୍ୟାରିୟର୍ ର ଶୀର୍ଷରେ ଥିବା ବେଳେ ସେଠାରୁ ମୁହଁ ଫେରାଇ ବିଜେପି ଦଳକୁ ଢ଼ଳିଥିଲେ । ଗତ ଅଗଷ୍ଟ ମାସରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ଙ୍କ ଉପସ୍ଥିତିରେ ସେ ଧରିଥିଲେ ପଦ୍ମ । ଆଇଏଏସ୍ ଅଫିସର ଭାବେ ଏତେବଡ଼ ସୁନାମ ଅର୍ଜନ କରିବା ସତ୍ତ୍ୱେ ସେ କାହିଁକି ଚାକିରି ଛାଡ଼ି ରାଜନୀତି ପାଇଁ ମନ ବଳାଇଲେ ବୋଲି ପ୍ରଶ୍ନରେ ଶ୍ରୀ ଚୌଧୁରୀ କହିଥିଲେ, ଆଇଏଏସ୍ ଚାକିରି ତାଙ୍କୁ ବେଶ୍ ସନ୍ତୁଷ୍ଟ କରିଛି । ତେବେ ବ୍ୟୁରୋକ୍ରାସିର ଏକ ସୀମା ଅଛି । ନିଜ ମାଟି ଓ ଲୋକଙ୍କ ପାଇଁ ଅଧିକ କିଛି କରିବା ଲକ୍ଷ୍ୟରେ ଚାକିରି ଛାଡ଼ିଛି ।
ନିଜ ଜନ୍ମମାଟି ଛତିଶଗଡ଼ କ୍ୟାଡରର ଏହି ୨୦୦୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅଗଷ୍ଟ ୨୫ ରେ ଚାକିରିରୁ ଇସ୍ତଫା ଦେଲେ । ଆଉ ୩ ଦିନ ପରେ ଅଗଷ୍ଟ ୨୮ରେ ବିଜେପିରେ ଯୋଗଦେଲେ । ଛତିଶଗଡ଼ର ଉତ୍ତରାଞ୍ଚଳରେ ଥିବା ରାୟଗଡ଼ ଜିଲ୍ଲା ଖରସିଆରୁ ନିର୍ବାଚନ ଲଢ଼ିବା ପାଇଁ ନିଜର କ୍ଷେତ୍ର ପସ୍ତୁତି କଲେ । ଖରସିଆ ଭଳି କଂଗ୍ରେସ ଦୁର୍ଗରେ ଶ୍ରୀ ଚୌଧୁରୀଙ୍କ ଭଳି ଲୋକପ୍ରିୟ ଯୁବ ବ୍ୟୁରେକ୍ରାଟ୍ ଙ୍କୁ ଲଢ଼ାଇ ଫାଇଦା ଲକ୍ଷ୍ୟରେ ଥିଲା ବିଜେପି ।
ସେହି ଅନୁଯାୟୀ, ଚଳିତ ବିଧାନସଭାରେ ଖରସିଆରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ ଓପି ଚୌଧୁରୀ । ତାଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଥିଲେ ବର୍ତ୍ତମାନର ବିଧାୟକ ଉମେଶ ପଟେଲ । ଶ୍ରୀ ପଟେଲ ହେଉଛନ୍ତି ରାଜ୍ୟ ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖ୍ୟ ତଥା ଗତ ୨୦୧୩ ନିର୍ବାଚନ ଠିକ୍ ପୂର୍ବରୁ ନକ୍ସଲଙ୍କ ହତ୍ୟାର ଶିକାର ହୋଇଥିବା ନନ୍ଦ କିଶୋର ପଟେଲଙ୍କର ପୁତ୍ର ।
ଚଳିତ ନିର୍ବାଚନରେ ବିଜେପି ପାଇଁ ଏହି ଆସନଟି ସମ୍ମାନର ପ୍ରଶ୍ନ ଥିଲା । ବିଶେଷକରି ଶ୍ରୀ ଚୌଧୁରୀଙ୍କ କ୍ୟାରିୟର ପାଇଁ ଏହା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମାତ୍ର ସବୁ ଫସର ଫାଟିଯାଇଛି । କଂଗ୍ରେସ ପ୍ରାର୍ଥୀ ଉମେଶ ପଟେଲଙ୍କଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି ଚୌଧୁରୀ । ଶ୍ରୀ ପଟେଲ ୯୪,୨୦୧ ଭୋଟ(୫୨.୯୨%) ପାଇଥିଲା ବେଳେ ଶ୍ରୀ ଚୌଧୁରୀଙ୍କ ସପକ୍ଷରେ ମିଳିଛି ୭୭,୨୩୪(୪୩.୩୯%) ଭୋଟ ।
ବାବୁ ଓ ନେତା ଭିତରେ ପାର୍ଥକ୍ୟ କ’ଣ ତାହା ପୂର୍ବତନ ସାହେବ ବୋଧହୁଏ ଏବେ ଅଙ୍ଗେ ନିଭୋଉଥିବେ । ଆଇଏଏସ୍ ଚାକିରିରେ ଥାଇ ଲୋକଙ୍କ ପାଇଁ କାର୍ଯ୍ୟ କରି ପ୍ରଶଂସା ସାଉଁଟିବା ଅଲଗା କଥା ଏବଂ ଚାକିରି ବାହାରେ ଦଳୀୟ ବ୍ରାଣ୍ଡରେ ଲୋକଙ୍କ ଭୋଟ ହାସଲ କରିବା ଅଲଗା କଥା । ଶ୍ରୀ ଚୌଧୁରୀଙ୍କ ଭଳି ଜଣେ ଦକ୍ଷ, କାର୍ଯ୍ୟନିଷ୍ଠ ପୂର୍ବତନ ବ୍ୟୁରୋକ୍ରାଟ୍ ଙ୍କ ରାଜନୀତିରେ ଏଭଳି ଅବସ୍ଥା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।