ଭୁବନେଶ୍ୱର: ମହାବାତ୍ୟାରୁ ସାମାନ୍ୟ କମ୍ ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ ଅମ୍ଫନ୍’ ପୂର୍ବ ଆକଳନ ଅନୁଯାୟୀ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହାତିଆ ମଝି ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଛି । ଅପରାହ୍ନ ସାଢ଼େ ତିନିଟାରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିଥିଲା ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୨୫ ରୁ ୩୦ କିମି ବେଗରେ ଏହା ସ୍ଥଳଭାଗରେ ମାଡ଼ ହୋଇଥିଲା । ସେତେବେଳକୁ ପବନର ବେଗ ଥିଲା ୧୫୫ରୁ ୧୭୫ କିମି । ବେଳେ ବେଳେ ପବନର ବେଗ ୧୮୫ କିମି ହୋଇଥିଲା । ସ୍ଥଳଭାଗରେ ମାଡ଼ ହେଲା ବେଳକୁ ଅମ୍ଫନର ଆଉଟର୍ ୱାଲ୍ କ୍ଲାଉଡ୍ ୧୨୦ କିମି ଦୈର୍ଘ୍ୟ ଥିଲା । ଏହା ଆଖିର ଆକାର ଥିଲା ୪୦ କିମି ବ୍ୟାସାର୍ଦ୍ଧର ଥିଲା ।
ସ୍ଥଳଭାଗ ଛୁଇଁସାରିଥିବା ଅମ୍ଫନ ପ୍ରଭାବରେ କୋଲକତାରେ ଭୀଷଣ ଝଡ଼ବର୍ଷା ଲାଗିରହିଛି । ଦକ୍ଷିଣ ପୂର୍ବ କୋଲକତା, ହୁଗୁଳି ଓ ହାୱାଡା ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ପାରାଦ୍ୱୀପରେ ପବନର ବେଗ ୧୦୬ କିମି ରେକର୍ଡ କରାଯାଇଥିଲା ବେଳେ ବାଲେଶ୍ୱରରେ ୯୧ କିମି ରେକର୍ଡ ହୋଇଥିବା ଆଇଏମଡ଼ି ପକ୍ଷରୁ ସୂଚନା ମିଳିଛି ।
‘ଅମ୍ଫନ’ କୁ ନେଇ ଆଇଏମଡ଼ି ଯେଉଁ ଆକଳନ କରିଥିଲା ତାହା ସଠିକ୍ ହୋଇଥିବା ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ୨୧ ବର୍ଷ ପରେ ଆସିଥିବା ଏହି ମହାବାତ୍ୟାର ଗତିବିଧିକୁ ସଠିକ ଆକଳନ କରାଯାଇଥିବାରୁ ଭାରତୀୟ ପାଣିପାଗ ବିଜ୍ଞାନ ଗବେଷଣା ଉପରେ ସମସ୍ତଙ୍କର ଆସ୍ଥା ଦୃଢ଼ୀଭୂତ ହୋଇଛି ।
ସୂଚନାଯୋଗ୍ୟ, ଅମ୍ଫନ ର ଗତିବିଧି ଠିକ୍ ରହିଥିବା ଆଇଏମଡି ଡିଜି ଶ୍ରୀ ମହାପାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚିତ କରାଉଥିଲେ ମଧ୍ୟ ନ୍ୟାସନାଲ୍ ସେଣ୍ଟର୍ ଫର୍ ଏନଭାରମେଣ୍ଟାଲ୍ ପ୍ରେଡିକ୍ସନ୍(ଏନସିଇପି) ମଡ଼େଲ ରେ ଭିନ୍ନ ଆକଳନ ଦର୍ଶାଯାଇଥିଲା । ଅମ୍ଫନ ବାରମ୍ବାର ଟ୍ରାକ୍ ବଦଳାଉଛି ଏବଂ ପାରାଦ୍ୱୀପରୁ ୫୫ କିମି ଦୂରରେ ଏହା ଅତିକ୍ରମ କରି ବାଲେଶ୍ୱରର ୩୦ କିମି ପୂର୍ବରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଦର୍ଶାଇଥିଲା ।
ଗତକାଲି ବିଳମ୍ବିତ ରାତିରେ ଏନସିଇପିର ଏହି ଆକଳନ ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଥିଲା । ଯେ କୌଣସି ପରିସ୍ଥିତିର ସାମନା ପାଇଁ ଆମର ପ୍ରସ୍ତୁତି ଥିଲେ ମଧ୍ୟ ଆମେ ଭୟଭୀତ ହୋଇଯାଇଥିଲୁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସ୍ୱୀକାର କରିଛନ୍ତି । ରାତି ୩ଟାରୁ ୫ଟା ମଧ୍ୟରେ ମୁଁ ଆଇଏମଡି ଡିଜି ଶ୍ରୀ ମହାପାତ୍ରଙ୍କ ସହ ୩ ଥର କଥା ହୋଇଥିଲି । ଆଇଏମଡ଼ି ଆକଳନରେ କୋ÷ଣସି ଏପଟସେପଟ ହେବ ନାହିଁ ବୋଲି ଶ୍ରୀ ମହାପାତ୍ର ଦୃଢ଼ ବିଶ୍ୱାସ ଦେଇଥିଲେ ବୋଲି ଶ୍ରୀ ଜେନା କହିଛନ୍ତି ।