କଟକ : ମୃତ୍ୟୁସହ ସଂଗ୍ରାମ କରୁଥିବା ଦୁଷ୍କର୍ମ ପୀଡ଼ିତା ସାଲେପୁରର ୬ ବର୍ଷର ଝିଅଟି ଶେଷରେ ହାରିଯାଇଛି । କଟକ ଏସସିସି ଶିଶୁ ବିଭାଗର ଟ୍ରମା କେୟାର ଆଇସିୟୁରେ ଆଜି ସଂଧ୍ୟାରେ ସେ ଆଖି ବୁଜିଦେଇଛି । ଯନ୍ତ୍ରଣାରେ ଛଟପଟ ଏହି ନାବାଳିକାଟି କୋମା ଅବସ୍ଥାକୁ ଚାଲିଯାଇଥିଲା । ୯ ଦିନ ଧରି ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ବଞ୍ଚିପାରିଲାନି । ଏକ ସଭ୍ୟ ସମାଜରେ ଏଭଳି ଅସଭ୍ୟ ଓ ଅମାନବୀୟ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ଗତ ୨୧ ତାରିଖରେ ସାଲେପୁର ଅଞ୍ଚଳର ଏହି କୁନି ଝିଅଟି ଦୁଷ୍କର୍ମର ଶିକାର ହୋଇଥିଲା । ଜଣେ ବ୍ୟକ୍ତି ତାଙ୍କୁ ଚକୋଲେଟ୍ ଦେବାର ଲୋଭ ଦେଖାଇ ଏକ ସ୍କୁଲକୁ ଡାକି ନେଇଥିଲା ଏବଂ ପାଶବିକ ଅତ୍ୟାଚାର କରିଥିଲା । ଦୁଷ୍କର୍ମ କ’ଣ ଜାଣି ନ ଥିବା ଏହି ନିଷ୍ଫାପ ଶିଶୁଟି ଯନ୍ତ୍ରଣାରେ ଛଟପଟ ହୋଇ ଅଚେତ ହୋଇଯାଇଥିଲା । ଦୁଷ୍କର୍ମକାରୀ ସୈତାନ୍ ତାକୁ ସେହି ସ୍କୁଲ ବାରଣ୍ଡାରେ ଛାଡ଼ି ଦେଇ ଚମ୍ପଟ୍ ମାରିଥିଲା । ସ୍ଥାନୀୟ ଲୋକେ ଗୁରୁତର ଛୁଆଟିକୁ ପ୍ରଥମେ ସାଲେପୁର ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସସିବି ଶିଶୁବିଭାଗର ଟ୍ରମା ଆଇୟୁସିରେ ଭର୍ତ୍ତି କରାଯାଇଥିଲା । ଏକ ୧୩ ଜଣିଆ ଡାକ୍ତରୀ ଟିମ୍ ଝିଅଟିକୁ ବଞ୍ଚାଇବା ପାଇଁ ଅକ୍ଲାନ୍ତ ଉଦ୍ୟମ କରିଥିଲେ ମଧ୍ୟ ପାରି ନ ଥିଲେ । ଦୁନିଆ କ’ଣ ଜାଣିବା ପୂର୍ବରୁ ଦୁନିଆରୁ ବିଦାୟ ନେଇଗଲା ଝିଅଟି ।
ଦୁଷ୍କର୍ମ ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ଏହା ଆଶ୍ୱସ୍ତ କରିପାରିନାହିଁ । ଏଭଳି ସୈତାନଙ୍କୁ ଫାଶୀ ଚଢ଼େଇ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ରଖିବାକୁ ସବୁ ମହଲରେ ଦାବି ହୋଇଛି । ଦୋଷୀଙ୍କ ପ୍ରତି ଦଣ୍ଡବିଧାନରେ କୌଣସି ଚାପ ବା କୋହଳ ମନୋଭାବକୁ ପ୍ରଶୟ ନ ଦେବାକୁ ସ୍ୱର ଉଠିଛି । ସାଲେପୁର ଅଞ୍ଚଳର ମାତ୍ର ୬ ବର୍ଷ ଝିଅଟି ଦୁଷ୍କର୍ମର ଶିକାର ହେବା ଏବଂ ୯ ଦିନର ମୃତ୍ୟୁ ସହ ସଂଗ୍ରାମ ପରେ ଆଖି ବୁଜିବା ଘଟଣା ରାଜ୍ୟବାସୀଙ୍କୁ ଖାଲି ଦୁଃଖ ଦେଇନି ଲଜ୍ଜାରେ ମୁହଁ ତଳକୁ କରିଦେଇଛି ।