ରିପୋର୍ଟ: ବରେନ୍ଦ୍ର କୃଷ୍ଣ ସାହୁ
ଆଗକୁ କିଛି ଭଲ ଦିଶୁନି । ନିକଟ ଭବିଷ୍ୟତରେ ବିଶ୍ୱର ସ୍ଥିତି, ପୂର୍ବାବସ୍ଥାକୁ ଫେରିବା ଭଳି ଲାଗୁନି । କାରଣ, ମହାମାରୀ କରୋନା ଆଗକୁ ଆହୁରି ଅଧିକରୁ ଅଧିକ ଭୟଙ୍କର ହେବ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏହି ଚେତାବନୀ ଦେଇଛି । ଯଦି ସବୁ ଦେଶ, କଟକଣାମୂଳକ ମୌଳିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକରନ୍ତି, ତେବେ ପରିସ୍ଥିତି ଅଧିକରୁ ଅଧିକ ଅଣାୟତ ହେବ… ଅସମ୍ଭାଳ ହୋଇପଡ଼ିବ ।
ଜେନେଭାରୁ ଭିର୍ଚୁଆଲ୍ ପ୍ରେସ୍ ବ୍ରିଫିଂରେ ଏମିତି ଚେତାବନୀ ଦେଇଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଆଧେନମ୍ । କରୋନା ହେଉଛି ମାନବ ସମାଜର ଏକ ନମ୍ବର ଶତ୍ରୁ । କିନ୍ତୁ ଏହାକୁ ମୁକାବିଲା କରିବା ପରିବର୍ତ୍ତେ, ଅଧିକାଂଶ ଦେଶ ଏବେ ଭୁଲ୍ ବାଟରେ ଯାଉଛନ୍ତି । ଯଦି, ସଚେତନତା ମୂଳକ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରା ନଯାଏ, ତେବେ ଏହି ମହାମାରୀ କେବଳ ଆଗକୁ ଆଗକୁ ମାଡ଼ି ଚାଲିବ ବୋଲି କହିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।
ସୋମବାର ସୁଦ୍ଧା ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ନିୟୂତ ଟପି ସାରିଲାଣି । ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 70 ହଜାରରୁ ଅଦିକ ଲୋକ ଏହି ମହାମାରୀରେ ପ୍ରାଣ ହରାଇ ସାରିଲେଣି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧେନମ୍ ।
ସଟ୍ ଡାଉନ୍ କିମ୍ବା ଲକ୍ ଡାଉନ୍, ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନୁହେଁ । କିନ୍ତୁ ମହାମାରୀକୁ ମୁକାବିଲା କରିବାକୁ ହେଲେ, ବ୍ୟକ୍ତିଗତ ଏବଂ ଗୋଷ୍ଠୀ ସଚେତନତା ସହ ବଳିଷ୍ଠ ସରକାରୀ ନେତୃତ୍ୱର ଆବଶ୍ୟକତା ରହିଛି । ଯାହା କରାଯାଇ ପାରିବ ଏବଂ ନିଶ୍ଚିତ କରାଯିବା ଉଚିତ ବୋଲି କହିଛନ୍ତି ଆଧେନମ୍ । କରୋନା ଭୂତାଣୁ, ଗତବର୍ଷ ଚୀନର ୟୁହାନ୍ ସହରରୁ ସୃଷ୍ଟି ହୋଇଥିବା ମୂଳରୁ ଅଭିଯୋଗ ହୋଇ ଆସୁଛି । ଏଭଳି ସ୍ଥିତିରେ ବହୁ କଷ୍ଟରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଦୁଇ ଜଣ ବିଶେଷଜ୍ଞଙ୍କୁ ତଦନ୍ତ ପାଇଁ ସେଠାକୁ ପଠାଯାଇଛି । ବିଭିନ୍ନ ଦେଶର ଦାବି ପରେ ଚୀନ୍ ସରକାର, କରୋନା ଭୂତାଣୁ ତଦନ୍ତ ପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଆଗରେ ମୁଣ୍ଡ ନୁଆଁଇଛନ୍ତି ।
କରୋନା, କେବଳ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସାଜିନି । ଏହା ବିଶ୍ୱ ତଥା ସମସ୍ତ ଦେଶର ଅର୍ଥନୈତିକ ସ୍ଥିତିକୁ ବିଗାଡ଼ି ଦେଲାଣି । ସେହିଭଳି ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଜୁଡ଼ି ଗଲାଣି । ମହାମାରୀ ପାଇଁ 9.7 ନିୟୂତ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି । ମାସ ମାସ ଧରି ସେମାନେ ସ୍କୁଲ କିମ୍ବା କଲେଜ ଯାଇପାରୁ ନାହାନ୍ତି । କେବେ ସ୍ଥିତି ସୁଧୁରିବ ଏବଂ କେବେ ସେମାନେ ଶିକ୍ଷାନୁଷ୍ଠାନକୁ ଯିବେ ତାହା କହି ହେଉନି । ଯାହାକୁ ନେଇ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛି ।
ସେପଟେ କରୋନାରେ ଆମେରିକା, ବିଶ୍ୱରେ ଏକ ନମ୍ବର ସ୍ଥାନରେ ଥିଲେ ମଧ୍ୟ ସ୍କୁଲ, କଲେଜ ଖୋଲିବାକୁ ନିଷ୍ପତ୍ତି ନେଲାଣି । ପରିସ୍ଥିତି ଯାହା ହେଉନା କାହିଁକି, ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲ, କଲେଜ ଖୋଲିବା ନିହାତି ଦରକାର ବୋଲି କହିଲେଣି ଆମେରିକା ଶିକ୍ଷା ସଚିବ ବେଟସି ଡେଭସ୍ ।