ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରିଷ୍ଠ ଓଏଏସ୍ ଅଫିସର ପବିତ୍ର ମଣ୍ଡଳ ଏବେ ସଚିବାଳୟରେ ଏ ବାରଣ୍ଡା ସେ ବାରଣ୍ଡା ବୁଲୁଛନ୍ତି । ପୌର ପ୍ରଶାସନ ନିର୍ଦେଶକ ପଦରୁ ତାଙ୍କୁ କେବେ ଓ କେଉଁଆଡେ ବଦଳି ହୋଇଛି ତାହା ସେ ଜାଣିନାହାନ୍ତି । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୌଣସି ଅର୍ଡର ବାହାରିନି । ମାତ୍ର ତାଙ୍କ ଜାଗାରେ ଅଣଓଡ଼ିଆ ଆଇଏଏସ୍ ଯାଦବ ସଚିନ୍ ରାମଚନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇ ମଣ୍ଡଳଙ୍କୁ ତୁରନ୍ତ ରିଲିଫ୍ କରି ଦିଆଯାଇଛି । ଆଦିବାସୀ ବର୍ଗର ଓଏଏସ୍ ପବିତ୍ର ମଣ୍ଡଳ ନିଜ ପାଇଁ ନିଯୁକ୍ତି ଯୋଗାଡ଼ କରିବାକୁ ସାଧାରଣ ପ୍ରଶାସନ ବିଭାଗରେ ଅଧିଆ ପଡିଥିଲେ ମଧ୍ୟ କେହି ବାସିରେ ପଚାରୁନାହାନ୍ତି ।
ପୌର ପ୍ରଶାସନ ନିର୍ଦେଶକ ଭାବେ ପବିତ୍ର ମଣ୍ଡଳଙ୍କୁ ଗତ ଫେବୃଆରୀ ୮ ତାରିଖରେ ନିଯୁକ୍ତି ମିଳିଥିଲା । ଫୁଲ୍ ଦମ୍ରେ ସେ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଏପ୍ରିଲ୍ ୧୮ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଚାନକ ଭାବେ ଏକ ନିର୍ଦେଶନାମା ଜାରି ହୋଇଥିଲା । ସେଲଟର ମିସନ୍ର ନିର୍ଦେଶକ ତଥା ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍ ଯାଦବ ସଚିନ୍ ରାମଚନ୍ଦ୍ରଙ୍କୁ ପୌର ପ୍ରଶାସନ ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇ ଅର୍ଡର(ନଂ ୮୬୩୫/ଏଆଇଏସ୍-୧/୧୮.୦୪.୨୦୧୬) ପ୍ରକାଶ ପାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ସେହି ପଦରେ ଥିବା ପବିତ୍ର ମଣ୍ଡଳଙ୍କ ଅନ୍ୟତ୍ର ବଦଳି ସଂକ୍ରାନ୍ତୀୟ କୌଣସି ଅର୍ଡର ନ ଥିଲା । ତେବେ ମଣ୍ଡଳ ବାବୁ କିଛି ବୁଝିବା କି ଜାଣିବା ପୂର୍ବରୁ ବିନା ନୋଟିସ୍ରେ ୨୦ ତାରିଖରେ ତାଙ୍କଠାରୁ ଦାୟିତ୍ୱ କାଢ଼ି ନିଆଯାଇଥିଲା । ନଗର ଉନ୍ନୟନ ବିଭାଗ ଅଫିସ୍ ଅର୍ଡର(ନଂ୯୩୯୦)ରେ ରାମଚନ୍ଦ୍ରଙ୍କୁ ସେଠାରେ ଜଏନ୍ କରାଇ ମଣ୍ଡଳଙ୍କୁ ବିଦା କରିଦିଆଗଲା ।
ସେବେଠାରୁ ପବିତ୍ର ମଣ୍ଡଳ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗରେ ଅଧିଆ ପଢ଼ୁଛନ୍ତି । କେଉଁଠି ଜଏନ୍ କରିବେ ବୋଲି ନେହୁରା ହେଉଛନ୍ତି । ମାତ୍ର ବିଭାଗର ବଡ଼ପଣ୍ଡା ମାନେ ତାଙ୍କ ଅବସ୍ଥା ବୁଝିବେ କ’ଣ ଓଲଟି ମୁହଁ ମୋଡୁଛନ୍ତି । କି ଦୋଷ କରିଛନ୍ତି ଯେ ତାଙ୍କୁ ଏଭଳି ହୀନସ୍ତା ଭୋଗିବାକୁ ପଡୁଛି ତାହା ବୁଝିପାରୁନାହାନ୍ତି ମଣ୍ଡଳ । ପବିତ୍ର ମଣ୍ଡଳଙ୍କର ଏଭଳି ହୀନସ୍ତିଆକୁ ଦେଖି ସଚିବାଳୟ ତଳିଆ ମହଲରେ ନାନା ଚର୍ଚ୍ଚା ହେଉଛି । ଦୁଇ ମାସ କାର୍ଯ୍ୟ କରିଛନ୍ତି କି ନାହିଁ ପୌର ପ୍ରଶାସନ ନିର୍ଦେଶକ ପଦରୁ ରହସ୍ୟଜନକ ଭାବେ ବିନା ଅର୍ଡରରେ ତାଙ୍କୁ ବିଦା କରିବା ଏବଂ କୌଣସି ନୂଆ ଜାଗାରେ ପୋଷ୍ଟିଂ ନ ଦେବା ପଛରେ ବୋଧହୁଏ ତାଙ୍କ ଜାତି ଦାୟୀ । ଆଦିବାସୀ ଘରେ ଜନ୍ମ ହୋଇଥିବାରୁ ତାଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଘଟଣାକ୍ରମ ବୟାନ କରୁଛି । ବ୍ରାହ୍ମଣ କି କରଣ ଷ୍ଟାମ୍ପ ବାଜିଥିଲେ ତାଙ୍କ ଭଳି ଜଣେ ବରିଷ୍ଠ ଓଏଏସ୍ଙ୍କୁ ଏଭଳି ହୀନିମାନିଆ କରିବାକୁ ସରକାର ସାହାସ କରିପାରନ୍ତେ ତ ?
ସେପଟେ ଏହି ନିର୍ଦ୍ଦିଷ୍ଟ ଘଟଣାରେ ସରକାରଙ୍କ ଅଣଓଡ଼ିଆ ଆଇଏଏସ୍ ପ୍ରୀତି ବି ଜଳ ଜଳ ଦିଶୁଛି । ଆଗକୁ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଆ ଆଦିବାସୀ ଅଫିସରଙ୍କ ଦକ୍ଷତାକୁ ସରକାର ଆସ୍ଥା କରିନାହାନ୍ତି । ବରଂ ଯାଦବ ସଚିନ୍ ରାମଚନ୍ଦ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ ସରକାର ଅଣଓଡ଼ିଆ ଆଇଏଏସ୍ ପ୍ରୀତିକୁ ଦୋହରାଇଛନ୍ତି । ତେବେ ସରକାର କାହାକୁ କେମିତି ପ୍ରେମ କରିବେ ତାହା ଉପରେ କାହାର ଆପତ୍ତି ନ ଥିଲେ ବି ଜଣେ ଓଡ଼ିଆ ଅଫିସରଙ୍କୁ ଅନ୍ତତଃ ମର୍ଯ୍ୟାଦା ଦେଇ ଶିଖିବା ଦରକାର । ପୁଣି ଓଡ଼ିଆଙ୍କୁ ନେଇ ଉଚ୍ଚନୀଚ ଭେଦଭାବ,ବିଶେଷକରି ଆଦିବାସୀ ବାଛବିଚାର ସରକାରଙ୍କ ଦଳିତ ଓ ଆଦିବାସୀ କାନ୍ଦକୁ ପଦାରେ ପକାଇଛି । ପବିତ୍ର ମଣ୍ଡଳ ହିଁ ତାହାର ଶ୍ରେଷ୍ଠ ଉଦାହରଣ ।