ଭୁୁବନେଶ୍ୱର(ମିଡ଼ଡ଼େ ଓଡ଼ିଶା ବ୍ୟୁରୋ): ‘ସମୂହ ଖାଦ୍ୟଶସ୍ୟ ଉତ୍ପାଦନ’ରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ମିଳିଛି ପୁରସ୍କାର ଓ ପ୍ରଶଂସାପତ୍ର । ଗତକାଲି ବେଙ୍ଗାଲୁରୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ପୁରସ୍କାର ବାବଦକୁ ମିଳିଛି ଏକ ଟ୍ରଫି ଏବଂ ୧ କୋଟି ଟଙ୍କା ।
ବିଜେପି ବସ୍ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ମୁହଁରେ ରାଜ୍ୟ ସରକାରଙ୍କ ପ୍ରଶଂସା । ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ମୁକାବିଲାକୁ ଆଜି ଭୂରି ଭୂରି ପ୍ରଶଂସା କରିଛନ୍ତି ଶାହା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ପାର୍ଲିଆମେଣ୍ଟ ଅଧିବେସନରେ ବିଜୁ ଜନତା ଦଳକୁ ଅତ୍ୟନ୍ତ ଶୃଙ୍ଖଳିତ ଦଳ କହି ପ୍ରଶଂସା ଢ଼ାଳିଥିଲେ । ତା ପୂର୍ବରୁ ଗୃହମନ୍ତ୍ରୀ ଶ୍ରୀ ଶାହା ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ବୋଲି କହିଥିଲେ ।
ପଞ୍ଚମ ପାଳି ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରୁ ଆଉ ଅଗ୍ନିବର୍ଷା ହେଉନାହିଁ । ୪ ବର୍ଷ ଯାଏ କିଛି କହିବେନି ବୋଲି କହିସାରିଛନ୍ତି । ରାଜ୍ୟ ସରକାରଙ୍କୁ ଏବେ ସମାଲୋଚନା କମ୍, ପ୍ରଶଂସା ବେଶୀ କରୁଛନ୍ତି ।
ଏପଟେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନିର୍ବାଚନ ପୁଞ୍ଜି କରିଥିବା ବିଜେଡ଼ି ତାର ନୀତି ବଦଳାଇଛି । ମୋଦି, ଶାହା କି ଧର୍ମେନ୍ଦ୍ରଙ୍କ ନାଁ ଆସିଲେ ବିଜେଡ଼ି ନେତାମାନେ ମୁହଁ ଜାକୁଛନ୍ତି । ସବୁଥର ବିଜେଡ଼ି ପ୍ରତିଷ୍ଠା ଦିବସରେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ବିରୋଧରେ ଯୁଦ୍ଧ ଡାକରା ଦେଉଥିବା ମୁଖ୍ୟମନ୍ତ୍ରୀ ଏଥର ପଦୁଟିଏ ବି କହିନାହାନ୍ତି ।
ବିଜେଡ଼ି-ବିଜେପି ମଧ୍ୟରେ ମଧୁର ସମ୍ପର୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ଲାଭ ନାହିଁ ବୋଲି ବିଜେପି ତୁଙ୍ଗନେତାମାନେ ଅନୁଭବ କରିବା ପରେ ରଣକୌଶଳ ବଦଳେଇଛନ୍ତି । ବିଜେଡ଼ିକୁ ମନାଇ ଦିଲ୍ଲୀ ଗାଦିକୁ ଅଧିକ ସୁରକ୍ଷିତ ରଖିବା ଯୋଜନା କରିଛନ୍ତି । ବିଜେଡ଼ିକୁ ଏହା ସୁହାଇବା ପଛରେ ବି ଅନେକ କାରଣ ରହିଛି । କିଛି ନହେଲେ ସିବିଆଇ ଝାମେଲାରୁ ମୁକ୍ତି ମିଳିଥିବା କୁହାଯାଉଛି । ରାଜ୍ୟକୁ ଅଧିକ କେନ୍ଦ୍ରୀୟ ଅନୁଦାନର ରାସ୍ତା ଖୋଲିଛି । ତେଣୁ ବିଜେପି ସହ ମୂଲଚାଲରେ ବିଜେଡ଼ିର ଆଦୌ କ୍ଷତି ନାହିଁ । ସାମ୍ପ୍ରତିକ ରାଜନୀତିରେ ଏହା ହିଁ ବିଜେପି-ବିଜେଡ଼ିର ସମୀକରଣ ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ରାଜ୍ୟର ବିଜେପି ନେତାମାନେ ଏହାକୁ ଯେ ବୁଝିନାହାନ୍ତି ତାହା ନୁହେଁ । ମାତ୍ର ବିରୋଧୀ ଦଳ ଭାବେ ସ୍ଥିତି ବଞ୍ଚାଇବାକୁ କାମ ଚଳୋଉଛନ୍ତି । ସ୍ଥିତି ଜାହିର କରିବାକୁ ହେଲେ କିଛି ନା କିଛି ତ କରିବାକୁ ପଡ଼ିବ? ସବୁ ଦିନ ପ୍ରେସମିଟ୍ କରି ଟିଭିରେ ମୁହଁ ନ ଦେଖାଇଲେ ପଚାରିବ କିଏ? ରାଜ୍ୟ ସରକାରଙ୍କ ଦୋଷତ୍ରୁଟି ଲୋକଲୋଚନକୁ ଆଣିବାରେ ବିରୋଧୀ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଠି ତାହା ଫାର୍ସ ବୋଲି ଲୋକେ ବୁଝିଲେଣି । ବିରୋଧୀ ଦଳର କାର୍ଯ୍ୟକ୍ରମ କେବଳ ଟିଭି କ୍ୟାମେରା ଆଗରେ ସୀମିତ ହୋଇଯାଇଛି । ନିର୍ବାଚନ ଅଭିଜ୍ଞତାରୁ ନେତାମାନେ କିଛି ଶିଖିପାରିନାହାନ୍ତି । ଟିଭିରେ ମୁହଁ ଦେଖାଇ ନିଜକୁ ବଡ଼ ନେତା ଭାବୁଛନ୍ତି ।
ତଥାକଥିତ ଏହି ବଡ଼ନେତାଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ଜନତାଙ୍କ ସମସ୍ୟା ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନୁହଁନ୍ତି । ଲୋକଙ୍କ ପାଇଁ କେବେ ସଂଗ୍ରାମ କରିନାହାନ୍ତି । ଜୀବନରେ ନିର୍ବାଚନ ଲଢ଼ି ନାହାନ୍ତି । ନିର୍ବାଚନ ଲଢ଼ିବାର ସୁଯୋଗ ପାଇଥିଲେ ବି ପ୍ରତ୍ୟାଖ୍ୟାତ ହୋଇଛନ୍ତି । ମୋଟାମୋଟି ନିଜେ ସୁରକ୍ଷିତ ନୁହଁନ୍ତି କି କାହାରିକୁ ସୁରକ୍ଷା ଦେବାର କ୍ଷମତା ଓ ବଳ ନାହିଁ ସେମାନଙ୍କର ।
ମୋଟାମୋଟି ଭାବେ ଉପରେ ସଲାସୁତୁରା ହୋଇଯିବାରୁ ତଳିଆ ହାଇ ପ୍ରୋଫାଇଲ୍ ନେତାଙ୍କ ଭେଳା ବୁଡ଼ି ଯାଇଥିବା କର୍ମୀ ମହଲରେ ଆଲୋଚନା ହେଉଛି । ସୋ ବାଜି କରୁଥିବା ଏହି ନେତାଙ୍କ ପରିଚୟ ସଙ୍କଟ ବଢ଼ିଯାଇଛି । ତେଣୁ ଲୋକଙ୍କ ନଜରରେ ରହିବା ପାଇଁ ଖାଲି ଟିଭିରେ ବସି ଷ୍ଟଣ୍ଟ ସୋ କରିବାର ବାଟ ପାଇଛନ୍ତି । ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ଚାଲିଛନ୍ତି ଏହି ନେତା/ନେତ୍ରୀ । ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼ି ଆଗକୁ ଜନସମର୍ଥନ ଗୋଟାଇବାର ସୁଯୋଗ ଥିଲେ ବି ଦମ୍ ନାହିଁ ।