ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସଞ୍ଜୟ ଦାସବର୍ମାଙ୍କ ଢ଼ୋଲ ଭିତରେ ଥୋଡାଏ ମୂଷା । ଯୁଆଡେ ଚାମୁଡ଼ିଲେ ସେୟାଡେ ବାଲୁ ବାଲୁ । ସମ୍ପତ୍ତିର ପାହାଡ ତୋଳିବାକୁ ମନକରି ସେ କ୍ଷମତାର ଯଥାସମ୍ଭବ ଦୁରୂପଯୋଗ କରିଛନ୍ତି । ଆଉ ସୁଚିନ୍ତିତ ଢ଼ଙ୍ଗରେ କରିଛନ୍ତି ଅନେକ ବେଆଇନ କାର୍ଯ୍ୟ । ଖୋଳତାଡ଼ ବେଳେ ନଗଦ ସାମନାକୁ ଆସିଛି ସଞ୍ଜୟଙ୍କର ଆଉ କିଛି ଜଘନ୍ୟ କାରବାର ।
୨୦୦୫ ପୂର୍ବରୁ ସଞ୍ଜୟ ଦାସବର୍ମା ଟିମ୍ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼ ନାଁରେ ଏକ ସଂସ୍ଥା ଗଢ଼ିଥିଲେ । ପରେ ପରେ ତାଙ୍କ ସଂସ୍ଥା ଚନ୍ଦ୍ରଶେଖରପୁର ମୌଜାରେ ଖବରକାଗଜ ଶିଳ୍ପ ନାଁରେ ଇଡ଼କୋରୁ ଦୁଇଟି ପର୍ଯ୍ୟାୟରେ ୨ ଏକର ୫ ଡିସିମିଲ୍ର ୩ ଟି ପ୍ଲଟ୍ ହାତେଇଥିଲେ । ଏହି ପ୍ଲଟ୍ ଗୁଡ଼ିକର ନମ୍ବର ହେଉଛି ୭/୧,୭/୬ ଏବଂ ୭/୭ । ସଞ୍ଜୟଙ୍କ ମାଲିକାନା ଥିବା ଟିମ୍ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ନାଁରେ ଆଲଟ୍ ଏହି ପ୍ଲଟ୍ ଗୁଡ଼ିକର ଲିଜ୍ ଡିଡ୍ ନଂ ଥିଲା ୧୨୯୨୦/୨୨.୧୨.୨୦୦୬ । ୨୦୦୯ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ବେଳେ ସଞ୍ଜୟଙ୍କ ଆଫିଡେଭିଟ୍ରେ ସେ ଏହା ଉଲ୍ଲେଖ କରିଥିଲେ । ୫୦୫ ଡିସିମିଲ୍ ବିଶିଷ୍ଟ ୭/୧ ଓ ୭/୬ ନମ୍ବର ପ୍ଲଟ୍ କୁ ସେ ୧୫,୮,୪୦୫ ଟଙ୍କାରେ କିଣିବା ଦର୍ଶାଇଥିଲା ବେଳେ ଦେଢ଼ ଏକର ବିଶିଷ୍ଟ ୭/୭ ନମ୍ବର ପ୍ଲଟ୍ କୁ ୪୧,୩୩,୩୧୭ ଟଙ୍କାରେ କିଣିଥିବା ଦର୍ଶାଇଥିଲେ ।
ଗୁରୁତ୍ୱପୂର୍ଣ୍ଣ କଥା, ୨୦୧୧ ମସିହା ବେଳକୁ ଇଡକୋର ଏହି ପ୍ଲଟ୍ ଟିମ୍ ମିଡ଼ିଆ ପ୍ରାଇଭେଟ୍ ଆଣ୍ଡ ହସ୍ପିଟାଲିଟି ଲିମିଟେଡ଼ ନାଁରେ ଦର୍ଜ ହୋଇଯାଇଥିଲା । ମୂଳ ଟିମ୍ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼ରେ ସଞ୍ଜୟ ମାଲିକ(ଏମଡ଼ି) ଥିଲା ବେଳେ କେବଳ ହସ୍ପିଟାଲିଟି ନାଁ ଯୋଡାରେ ସଂସ୍ଥାର ନୂଆ ଭର୍ସନ୍ କାଗଜପତ୍ରର ମାଲିକମଣ୍ଡଳୀ ଥିଲେ ସଞ୍ଜୟଙ୍କ ବାପା, ପତ୍ନୀ, ଶ୍ୱଶୁର ଓ ସଳା । ଆଶ୍ଚର୍ଯ୍ୟର କଥା, ଇଡ଼କୋ ସହ ପ୍ରଥମ ଲିଜ୍ ଡିଡ୍ ବାତିଲ ନ ହୋଇ ସେହି ତିନିଟି ପ୍ଲଟ୍କୁ ସଞ୍ଜୟଙ୍କ ଶ୍ୱଶୁର ଭୀମସେନ୍ ଜୟସିଂହଙ୍କ ମାଲିକାନାକୁ ରୂପାନ୍ତରିତ ଟିମ୍ ମିଡ଼ିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ନାଁକୁ ଚଢ଼ିଥିଲା ୨୬.୧୧.୨୦୧୧ରେ । ତାହା ପୁଣି ଅତ୍ୟନ୍ତ ତରବରିଆ ଭାବେ । ନିୟମ କହୁଛି, ଗୋଟିଏ ସଂସ୍ଥା ସହ ଲିଜ୍ ଡିଡ୍ ବିଧିବଦ୍ଧ ଭାବେ ବାତିଲ ହେଲା ପରେ ଯାଇ ଅନ୍ୟ ସଂସ୍ଥା ନାଁକୁ ଯିବା କଥା । ମାତ୍ର ସଞ୍ଜୟଙ୍କ ସଂସ୍ଥା କ୍ଷେତ୍ରରେ ଏହା ହୋଇନାହିଁ । ବିଡ଼ିଏଠାରୁ ପ୍ଲାନ୍ ଅନୁମୋଦନ ଦରଖାସ୍ତରେ ଲିଜ୍ ଡିଡ୍ ବାତିଲ ହୋଇଛି ବୋଲି ବିନା କାଗଜପତ୍ରରେ ଆଖି ଠଉରିଆ ଦର୍ଶାଯାଇଛି ।
ବିଡ଼ିଏର ପ୍ଲାନ୍ ଅନୁମୋଦନରେ ସବୁ ଚଞ୍ଚକତା ଧରି ପଡ଼ିଯାଇଛି । ସଞ୍ଜୟ ମନ୍ତ୍ରୀ ହେବା ପରେ ୨୨.୧୨.୨୦୧୪ ରେ ବିଡ଼ିଏ ସଂପୃକ୍ତ ପ୍ଲଟ୍ର ପ୍ଲାନ୍ ଅନୁମୋଦନ କରିଥିଲା । ଇସିରେ ପ୍ଲଟ୍ ମାଲିକ ସଞ୍ଜୟ ଦାସବର୍ମାଙ୍କ ଟିମ୍ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼ ବାହାରୁଥିବା ବେଳେ ବିଡ଼ିଏ ତାହାକୁ ଆଖି ବୁଜି ସଞ୍ଜୟଙ୍କ ଶ୍ୱଶୁରଙ୍କ ମାଲିକାନା ଦର୍ଶାଉଥିବା ଟିମ୍ ଇଣ୍ଡିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ନାଁରେ ଅନୁମୋଦନ ଦେଇଛି । ଅନ୍ୟପକ୍ଷରେ, ୭/୭ ନମ୍ବର ପ୍ଲଟ୍ଟି ପବ୍ଲିକ୍/ସେମି ପବ୍ଲିକ୍ ୟୁଜ୍ ଜୋନ୍ରେ ଯାଉଥିବାରୁ ତାହା ପ୍ରିଣ୍ଟିଂ ଇଣ୍ଡଷ୍ଟ୍ରି ପାଇଁ ନିଷେଦ୍ଧାଞ୍ଚଳ । ମାତ୍ର ମନ୍ତ୍ରୀଙ୍କ ମାମଲା ହୋଇଥିବାରୁ ବିଡ଼ିଏ କର୍ତ୍ତୃପକ୍ଷ ତାହାକୁ ସ୍ପତନ୍ତ୍ର କେସ୍ ଦର୍ଶାଇ ଅନୁମୋଦନ ଦେଇଛନ୍ତି ।
ତେବେ ବିଡ଼ିଏ ସଲାସୁତୁରାରେ ଏତିକିରେ ସରିନି ସଞ୍ଜୟଙ୍କ ବେଆଇନ କାରବାର । ୨୬.୧୧.୨୦୧୧ରେ ହୋଇଥିବା ଲିଜ୍ ଡିଡ୍ ସର୍ତ୍ତ ଅନୁଯାୟୀ ୬ ମାସ ଭିତରେ ସଂପୃକ୍ତ ପ୍ଲଟ୍ ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା କଥା । ଆଉ ଦୁଇବର୍ଷ ଭିତରେ କାର୍ଯ୍ୟକ୍ଷମ ହେବା କଥା । ନଚେତ୍ ତାହା ଅକାମୀ ହୋଇଯିବା କଥା । ମାତ୍ର ତାହା ତ ହୋଇନି । ବରଂ ସର୍ତ୍ତ ଅନୁଯାୟୀ, ୨୦୧୩ ମସିହାରେ କାର୍ଯ୍ୟକ୍ଷମ ହେବାକୁ ଥିବା ସଂସ୍ଥା ପାଇଁ ଘରର ପ୍ଲାନ୍ ଅନୁମୋଦନ ବିଡ଼ିଏ ୨୦୧୪ ମସିହାରେ କରିଛି । ଲିଜ୍ ଡିଡ୍ ର ସବୁ ସର୍ତ ଓ ଆଇନକାନୁନକୁ ସଞ୍ଜୟଙ୍କ ପାଇଁ ଆଖି ବୁଜିଦେଇଛି ବିଡ଼ିଏ । ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୪ ନିର୍ବାଚନ ବେଳେ ସଞ୍ଜୟ ଦାସବର୍ମା ନିଜ ସମ୍ପତ୍ତି ଆଫିଡେଭିଟ୍ରେ ଇଡକୋର ସେହି ତିନୋଟି ପ୍ଲଟ୍-୭/୧,୭/୬ ଏବଂ ୭/୭କୁ ପତ୍ନୀ ଶୈଳବାଳା ଦାସବର୍ମାଙ୍କ ନାଁରେ ଦର୍ଶାଛନ୍ତି । ପୂର୍ବ ଆଫିଡେଭିଟ୍ରେ ଏହା ସଞ୍ଜୟଙ୍କ ନାଁ ରେ ଥିଲା । ତେବେ ପତ୍ନୀଙ୍କ ଆୟର କୌଣସି ହିସାବ ଦେଇନାହାନ୍ତି ସଞ୍ଜୟ ।