ଭୁବନେଶ୍ୱର: ଇଟାଲି ନିର୍ମିିତ ଦୁଇ ଇଂଜିନ୍ ବଶିଷ୍ଟ ଅଗଷ୍ଟା ଏ ୧୦୯ଇ ଭିଟି-ଓଏସସି ହେଲିକପ୍ଟରରେ ଉଡ଼ିବେ ଆମ ମୁଖ୍ୟମନ୍ତ୍ରୀ । ପୂରା ବର୍ଷକ ପାଇଁ ଏହାକୁ ଭଡ଼ା ସୂତ୍ରରେ ଅଣାଯାଇଛି । ବର୍ଷେ ପରେ ଭଡ଼ା ଅବଧି ବି ବଢ଼ିପାରେ । ଅଗଷ୍ଟା ହେଲିକପ୍ଟର ଯୋଗାଣକାରୀ ସଂସ୍ଥା ଓଏସଏସ ଏୟାର ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ଼ ଏବଂ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଏ ନେଇ ବୁଝାମଣା ସ୍ୱାକ୍ଷରିତ ହୋଇଛି । ୧.୬.୨୦୧୭ରୁ ୩୧.୫.୨୦୧୮ ପର୍ଯ୍ୟନ୍ତ ହେଲିକପ୍ଟର ଭଡ଼ାରେ ଲାଗିବ । ଭିଆଇପି ଅପରେସନ୍ ରେ ଉକ୍ତ ହେଲିକପ୍ଟର ବ୍ୟବହୃତ ହେବ ବୋଲି ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଚରଙ୍କ ବ୍ୟାପକ ଗସ୍ତକୁ ଆଖିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।
ଏମିତିରେ ସାଧାରଣ ଯାତ୍ରୀବାହୀ ବିମାନରେ ନ ଯାଇ ଭଡ଼ା ବା ଚାର୍ଟର ଫ୍ଲାଇଟ୍ ରେ ଉଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କର ପସନ୍ଦ । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଯାତାୟତ ପାଇଁ ତାଙ୍କ ଅଫିସ(ତୃତୀୟ ମହଲା) ଦିଲ୍ଲୀସ୍ଥିତ ପିନାକଲ୍ ଏୟାର ପ୍ରାଇଭେଟ ଲିମିଟେଡର ଚାର୍ଟର ଫ୍ଲାଇଟ୍ କୁ ଅଗ୍ରାଧିକାର ଦେଉଥିବା ଆମେ ପୂର୍ବରୁ ଲେଖିଥିଲୁ । ଏହି ବିମାନରେ ମୁଖ୍ୟମନ୍ତ୍ରୀ ଥରେ ଯିବା ଆସିବା କଲେ ଭଡ଼ା ଗଣିବାକୁ ପଡୁଛି ୩୦ ଲକ୍ଷ । ବିମାନ ଖାଲି ଦିଲ୍ଲୀରେ ନେଇ ଛାଡ଼ିଲେ ଭଡ଼ା ୧୫ ଲକ୍ଷ । ଏବେ ବର୍ଷିକିଆ ଭଡ଼ାରେ ଅଣାଯାଇଥିବା ଇଟାଲି ମେଡ୍ ଅଗଷ୍ଟା ହେଲିକପ୍ଟରକୁ କେତେ ଟଙ୍କାରେ ତୁଟା ଯାଇଛି ତାହା ଜଣାପଡ଼ିନାହିଁ । ଏ ସମ୍ପର୍କରେ ସୂଚନା ଦେବାକୁ ସାଧାରଣ ପ୍ରଶାସନ ବିଭାଗର ଅଫିସରମାନେ କୁଣ୍ଠା ପ୍ରକାଶ କରିଛନ୍ତି । ତେବେ ଦାମ୍ ବହୁତ ଚଢ଼ା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ବିକାଶ ନାଁରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିଭିଆଇପିମାନେ ଆକାଶରେ ଉଡ଼ିବା ସଉକ ପାଲଟିଛି । ଖାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୁହଁନ୍ତି ତାଙ୍କ ବିରୋଧୀ ପ୍ରତିପକ୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନ ଓ ହେଲିକପ୍ଟର ଯାତ୍ରାରେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ଖର୍ଚ୍ଚ କାଇଁ କେତେଗୁଣ ବଢ଼ିବ ବୋଲି କୁହାଯାଉଛି ।