ଭୁବନେଶ୍ୱର: ବିଭିନ୍ନ ଶିଳ୍ପସଂସ୍ଥା ଓ ଉଦ୍ୟୋଗୀଙ୍କ ଉପରେ ରାଜ୍ୟ ସରକାରଙ୍କ ବକେୟା ବିଦ୍ୟୁତ ଶୁଳ୍ପ ତାଲିକାର ଶୀର୍ଷରେ ରହିଛି ‘ଇମଫା’ ଗ୍ରୁପ୍ । ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ‘ଇମଫା’ ଉପରେ ୪୪୫ କୋଟି ୧୩ ଲକ୍ଷ ଟଙ୍କାର ବିଦ୍ୟୁତ ଦେୟ ବାକି ପଡ଼ିଛି । ସରକାର ଆଦାୟ କରିପାରିନାହାନ୍ତି । ଆଜି ବିଧାନସଭାରେ ବିଜେଡ଼ି ବିଧାୟକ ଭାଗିରଥୀ ବଡ଼ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ତଥ୍ୟ ରଖିଛନ୍ତି ।
ଅର୍ଥମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୪୨ଟି ଶିଳ୍ପସଂସ୍ଥା ଓ ଉଦ୍ୟୋଗମାନଙ୍କ ଉପରେ ବାକି ପଡ଼ିଛି ୧୪୩୯ କୋଟି ୪୩ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ୍ । ତାଲିକାର ଟପ୍ ରେ ଅଛି ‘ଇମଫା’ । ସଂସ୍ଥା ଉପରେ ବାକି ପରିମାଣ ୪୪୫ କୋଟି ୧୩ ଲକ୍ଷ ଟଙ୍କା । ତା ପରକୁ ଅଛି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ । ବାକି ୨୬୩ କୋଟି ୩୧ ଲକ୍ଷ ଟଙ୍କା । ସମ୍ବଲପୁରସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ ପ୍ଲାଣ୍ଟର ବକେୟା ବିଦ୍ୟୁତ ଶୁଳ୍ପ ପରିମାଣ ୧୦୦ କୋଟି ୪୨ ଲକ୍ଷ । ଢ଼େଙ୍କାନାଳ ଭୂଷଣ ଷ୍ଟିଲ୍ ଉପରେ ୫୬ କୋଟି ୪୫ ଲକ୍ଷ ବିଜୁଳି ବିଲ୍ ବାକି ପଡ଼ିଥିବା ବେଳେ ଢ଼େଙ୍କାନାଳ ଭୂଷଣ ଏନର୍ଜିର ବକେୟା ବିଜୁଳି ଦେୟ ୪୮ କୋଟି । ସେହିଭଳି କଟକର ଆରତୀ ଷ୍ଟିଲ୍ ଉପରେ ୪୨ କୋଟି ୬୨ ଲକ୍ଷ ବିଦ୍ୟୁତ ବିଲ୍ ବାକି ପଡ଼ିଥିବା ବେଳେ ଓସ୍ୱାଲ୍ କେମିକାଲସ୍ ଆଣ୍ଡ ଫର୍ଟିଲାଇଜର୍ସ ଉପରେ ୨୪ କୋଟି ୩୨ ଲକ୍ଷ ଟଙ୍କାର ବିଜୁଳି ବିଲ୍ ବାକି ପଡ଼ିଛି ।