– ଶେଷରେ ଆଲୋଚନାକୁ ଆସିଲା ‘ଇମ୍ଫା’ ହେଲେ ସମାଧାନ ହେଲାନି
– ଜିଲ୍ଲାପାଳଙ୍କ ତାଗିଦ୍: ଆନ୍ଦୋଳନକାରୀଙ୍କ ଦାବିର କମ୍ପ୍ଲାଏନ୍ସ ରିପୋର୍ଟ ଦିଅ
– ‘ସମାଧାନ ପାଇଁ କମ୍ପାନୀ ଆଗ୍ରହୀ ନୁହଁ’
ରାୟଗଡ଼ା/ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ‘ଇମ୍ଫା’ ଠିକା କର୍ମଚାରୀଙ୍କ ଆନ୍ଦୋଳନ ୮ ଦିନ ବିତିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରିପାରିନି । ଆଜି ସଂଧ୍ୟାରେ ଜିଲ୍ଲାପାଳଙ୍କ ଉଦ୍ୟମରେ ଇମ୍ଫା କର୍ତ୍ତୃପକ୍ଷ ଆଲୋଚନା ପାଇଁ ରାଜି ହୋଇଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଶ୍ରମ ଅଫିସର ଓ ଅନ୍ୟାନ୍ୟ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଇମ୍ଫା ପକ୍ଷରୁ କମ୍ପାନୀର ଉପସଭାପତି, ଶ୍ରମ ଅଫିସର ଓ ଜଣେ ପିଆରଓ ଏବଂ ଆନ୍ଦୋଳନକାରୀଙ୍କ ପକ୍ଷରୁ ଜିତୁ ଜାକାସିକା, ହରପ୍ରସାଦ ଆପ୍ରକା ଆଲୋଚନାରେ ବସିଥିଲେ । ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା ହୋଇଥିଲେ ମଧ୍ୟ ଇମ୍ଫା ପ୍ରତିନିଧି ଆନ୍ଦୋଳନକାରୀଙ୍କ ଦାବି ପୂରଣ ଦିଗରେ କୌଣସି ପ୍ରତିଶ୍ରୁତି ଦେଇ ନ ଥିଲେ । ଫଳରେ ସମାଧାନର ରାସ୍ତା ବାହାରି ପାରି ନ ଥିଲା । ଇମ୍ଫା କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଆନ୍ଦୋଳନକାରୀଙ୍କୁ କ୍ଷୁବ୍ଧ କରିଛି । ଆନ୍ଦୋଳନ ଚାଲୁ ରହିବ ଏବଂ ଆଗାମୀ ଦିନରେ ଏହା ଆହୁରି ଜୋରଦାର ହେବ ବୋଲି ଆନ୍ଦୋଳନକାରୀ ନେତା ହରପ୍ରସାଦ ଆପ୍ରକା କହିଛନ୍ତି ।
ସେପଟେ ‘ଇମ୍ଫା’ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ଜିଲ୍ଲା ପ୍ରଶାସନ ନାପସନ୍ଦ କରିଛି । ରାୟଗଡ଼ା ଜିଲ୍ଲାପାଳ ‘ଇମ୍ଫା’ ପରିଚାଳନା ନିର୍ଦ୍ଦେଶକଙ୍କୁ ଲେଖିଥିବା ପତ୍ର ହିଁ କମ୍ପାନୀର ବେଆଇନ କାରସାଦି ପଦାକୁ ଆଣିଛି । ଗତକାଲି ରାୟଗଡ଼ା ଜିଲ୍ଲାପାଳ ଲେଖିଥିବା ଚିଠିରୁ ଇମ୍ଫାର ସିଏସଆର କାର୍ଯ୍ୟକ୍ରମ ସନ୍ଦେହଘେରକୁ ଆସିଛି । ଦୀର୍ଘ ୫ ବର୍ଷ ଧରି ଇମ୍ଫା ତାର ସିଏସଆର କାର୍ଯ୍ୟକ୍ରମର ରିପୋର୍ଟ ପ୍ରଶାସନକୁ ଦେଇନାହିଁ । ଜିଲ୍ଲାପାଳ ଏହାକୁ ନେଇ କ୍ଷୁବ୍ଧ ହେବା ସହ ରିପୋର୍ଟ ତୁରନ୍ତ ଦେବାକୁ ଇମ୍ଫା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । କମ୍ପାନୀର ବିଗତ ୫ ବର୍ଷର ସିଏସଆର କାର୍ଯ୍ୟକ୍ରମ ଏବଂ ସେଥିରେ ସ୍ଥାନୀୟ ଅଞ୍ଚଳ ଓ ଆଦିବାସୀଙ୍କ ପାଇଁ ଉନ୍ନତି ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛ ତାହାର ବିସ୍ତୃତ ମାଗିଛନ୍ତି ଜିଲ୍ଲାପାଳ । ଖାଲି ସେତିକି ନୁହେଁ ଆନ୍ଦୋଳନକାରୀଙ୍କ ଦାବି ପୂରଣ ନେଇ ଇମ୍ଫାର ଆଭିମୁଖ୍ୟକୁ ବି ନାପସନ୍ଦ କରିଛନ୍ତି ଜିଲ୍ଲାପାଳ । ଏ ସମ୍ପର୍କରେ ଜିଲ୍ଲାପାଳ ଇମ୍ଫା କର୍ତ୍ତୃପକ୍ଷଙ୍କୁ ଏକ କମ୍ପ୍ଲାଏନ୍ସ ରିପୋର୍ଟ ମାଗିଥିଲେ । ମାତ୍ର ଏ ପର୍ଯ୍ୟନ୍ତ କମ୍ପାନୀ ତାହା ଦେଇନାହିଁ । ଇମ୍ଫା କମ୍ପାନୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଇମ୍ଫା କର୍ତ୍ତୃପକ୍ଷ ଆଗ୍ରହୀ ନ ଥିବା ଜଣାପଡୁଛି ବୋଲି ଜିଲ୍ଲାପାଳ ଲେଖିଛନ୍ତି । ଆନ୍ଦୋଳନକାରୀଙ୍କ ଦାବି ସମ୍ପର୍କିତ କମ୍ପ୍ଲାଏନସ୍ ରିପୋର୍ଟ ତୁରନ୍ତ ଦେବାକୁ ଜିଲ୍ଲାପାଳ ତାଙ୍କ ଚିଠିରେ ତାଗିଦ୍ କରିଛନ୍ତି ।
ସେହିଭଳି ଆନ୍ଦୋଳନରତ ଇମ୍ଫା କର୍ମଚାରୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବା ବଦଳରେ ତାହାକୁ ରାଜନୈତିକ ରୂପ ଦେବାକୁ କମ୍ପାନୀର ହର୍ତ୍ତାକର୍ତ୍ତା କୁହାଯାଉଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମକୁ ଆନ୍ଦୋଳନକାରୀମାନେ ଭର୍ତ୍ସନା କରିଛନ୍ତି । ‘ପି’ ଙ୍କ ଇଙ୍ଗିତରେ ଇମ୍ଫାକୁ ବଦନାମ କରାଯାଉଛି ବୋଲି ତାଙ୍କ ଟିଭିରେ ପ୍ରଚାର କରୁଛନ୍ତି । ଟୁଇଟ ବି କରିଛନ୍ତି । ଓଡ଼ିଆ ଶିଳ୍ପପତିଙ୍କୁ ସରକାର ଛାଟ ମାରୁଛନ୍ତି କହି ନିଜ ସପକ୍ଷରେ ସମର୍ଥନ ଓ ସହାନୁଭୂତି ଯୋଗାଡ଼ କରୁଛନ୍ତି । ଆନ୍ଦୋଳନକୁ ସଂଗଠିତ କରିବା ପଛରେ ବିଜେଡ଼ିର ଜଣେ ନୂଆ ସାଂସଦଙ୍କ ଭୂମିକା ଅଛି ବୋଲି ଅଚ୍ୟୁତ ସାମନ୍ତଙ୍କୁ ଲକ୍ଷ୍ୟ କରି କହିଛନ୍ତି । ତେବେ ବୈଜୟନ୍ତଙ୍କ ସବୁ ଅଭିଯୋଗକୁ ମିଥ୍ୟା ଏବଂ ଉଦେ୍ଦଶ୍ୟ ପ୍ରଣୋଦିତ କହି ଖଣ୍ଡନ କରିଛନ୍ତି ଆନ୍ଦୋଳନକାରୀ ନେତା ଜିତୁ ଜାକାସିକା ଓ ହରପ୍ରସାଦ ଆପ୍ରକା । ଇମ୍ଫାର ଠିକା କର୍ମଚାରୀ ଓ ସ୍ଥାନୀୟ ଆଦିବାସୀମାନେ ନିଜର ହକ୍ ପାଇଁ ଲଢ଼େଇ କରୁଥିବା ସେମାନେ କହିଛନ୍ତି ।