ଭୁୁବନେଶ୍ୱର: ମାର୍ଚ୍ଚ ୫ ତାରିଖ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ଏହି ମହାନ୍ ନେତାଙ୍କ ୧୦୪ତମ ଜନ୍ମ ବାର୍ଷିକୀରେ ସଂଯୋଗକୁ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ୨୦ ବର୍ଷ ପୂରଣ କରିବ । ଏଭଳି ମୁହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ୧୫ ଦିନ ଧରି ବିଜୁ ଜୟନ୍ତୀ ପାଳିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ବିଜୁବାବୁଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଶାର ବିକାଶ ଯାତ୍ରା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ସହ ସ୍ୱାଧୀନତା ସଂଗ୍ରାମର ରଥୀମାନଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଦିଆଯିବ ।
ଆଜି ବିଜେଡ଼ି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ଶ୍ରୀମତୀ ଉଷା ଦେବୀ ।
୧୫ ଦିନ ଧରି ରାଜ୍ୟ ବ୍ୟାପୀ ବିଜୁ ଜୟନ୍ତୀରେ ଦଳର ମହିଳା, ଯୁବ ଓ ଛାତ୍ର ସଂଗଠନ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଜୁ ବାବୁ ସବୁବେଳେ ଗାଁ କୁ କାମ ମା’ କୁ ସମ୍ମାନ କଥା ହେଉଥିଲେ । ବିଜୁ ବାବୁଙ୍କର ଏହି ଆଦର୍ଶକୁ ପାଥେୟ କରି ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସଠାରୁ ମହିଳାମାନଙ୍କ ସମ୍ମିଳନୀର ଆୟୋଜନ କରାଯାଇଛି । ବିଜୁ ମହିଳା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଫୋକସ୍ ରେ ରହିବ ମହିଳାଙ୍କ ବିକାଶ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ କୃତବିଦ୍ୟ ମହିଳାମାନଙ୍କୁ ସେଥିରେ ସମ୍ବର୍ଦ୍ଧିତ କରାଯିବ ।
ବିଜେଡ଼ିର ସାମାଜିକ କାର୍ଯ୍ୟକ୍ରମର ଏକ ନମ୍ବର ଏଜେଣ୍ଡାରେ ରହୁଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନ୍ତର୍ଗତ ରକ୍ତଦାନ ଶିବିରକୁ ବିଜୁ ଜୟନ୍ତୀରେ ବ୍ୟାପକ ଢ଼ଙ୍ଗରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ୧୫ ଦିନରେ ସୀମିତ ରଖାଯିବନି । ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଯାଏଁ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ପ୍ରତି ନିର୍ବାଚନମଣ୍ଡଳୀର ବ୍ଲକ୍ ଓ ନଗରାଞ୍ଚଳରେ ଏହାର ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ ହୋଇଥିବା ବିଜେଡ଼ି ନେତାମାନେ କହିଛନ୍ତି ।