ଭୁବନେଶ୍ୱର: ଗଦାଧର ନାଏକ । ବୟସ ପ୍ରାୟ ୬୦ ବର୍ଷ । ଭଲ ଭାବେ ଚାଲିବାର ଶକ୍ତି ନାହିଁ । ଆଖିକୁ ବି ଭଲ ଦିଶୁନି । ସୁନ୍ଦରଗଡ଼ ସହରଠାରୁ ୧୫ କିମି ଦୂର ବିସାନ୍ତପୁରରେ ଘର । ଘର ବୋଲେ ଚାଳିଆ ବଖରାଟିଏ । ଛପର ପକାଇ ପାରୁ ନ ଥିବାରୁ ପରିବାର ବର୍ଷା ଦିନେ ପର ପିଣ୍ଡା ଖୋଜନ୍ତି ମୁଣ୍ଡ ଗୁଞ୍ଜିବାକୁ । ଘରେ ସ୍ତ୍ରୀ ଓ ଦୁଇ ରୋଗିଣା ପୁଅ । ବାତରୋଗରେ ସ୍ତ୍ରୀ ଏକପ୍ରକାର ଶଯ୍ୟାଶାୟୀ । ପାଠ ଶାଠ ପଢ଼ି ନ ଥିବା ଦୁଇ ରୋଗିଣା ପୁଅ ବେକାର । ମୂଲ ଲାଗିବାକୁ ଦେହରେ ବଳ ନାହିଁ । ପ୍ରଚଣ୍ଡ ଅଭାବ ଭିତରେ ସଢୁଥିବା ଗଦାଧର ପରିବାର ପୋଷଣ ପାଇଁ ୫ ବର୍ଷ ହେଲା ଏକା ଗାଁ ଛାଡ଼ି ଚାଲିଆସିଛନ୍ତି ଭୁବନେଶ୍ୱର । ଲିଙ୍ଗରାଜ ମନ୍ଦିର ସାମନାରେ ଭିକ୍ଷାଥାଳି ଧରି ବସୁଛନ୍ତି । ବହୁ କଷ୍ଟରେ ଦିନକୁ ୧୦୦ ଟଙ୍କା ହେଲେ ତାଙ୍କ ପାଇଁ ବଡ଼ । ସେଥିରେ ନିଜେ କଷ୍ଟମଷ୍ଟେ ଦି ଓଳି ଖାଇ ସ୍ତ୍ରୀ ପିଲାଙ୍କ ପେଟକୁ ଦାନା ଦଉଛନ୍ତି । ସକାଳୁ ସଂଧ୍ୟା ଲିଙ୍ଗରାଜ ମନ୍ଦିର ସାମନାରେ ଭିକ୍ଷଥାଳିରେ ଦିନ କଟୁଥିବା ବେଳେ ରାତି କଟୁଛି ରାଜଧାନୀ ଫୁଟପାଥରେ ।
ଖାଲି ଗଦାଧର ନୁହଁନ୍ତି, ବାଉରି, ଦାସିଆ, ଶାନ୍ତି, ସୁବନି, ପୁଷ୍ପଙ୍କର ସମାନ ଦୁର୍ଦ୍ଦଶା । କାହା ଦେହରେ ଚାଲିବାର ବଳ ନାହିଁ ତ ଆଉ କିଏ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଶରୀରର ଅଙ୍ଗ ହରାଇଛନ୍ତି । ଲିଙ୍ଗରାଜ ମନ୍ଦିର ସାମନାରେ ଭିକ୍ଷାଥାଳିର ପସରା ଖୋଲିଛନ୍ତି । ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ କି ରାସ୍ତାରେ ଯାଉଥିବା ଲୋକ, କାହାର ଦୟା ହେଲେ ଟଙ୍କେ କି ଦି ଟଙ୍କା ପକେଇଦେଲେ ଏମାନଙ୍କ ମନ ଖୁସି । ସୂର୍ଯ୍ୟ ଉଇଁଲେ ମନ୍ଦିର ସାମନା ସେମାନଙ୍କ ଜୀଇଁବାର ଆଶା ଭରିଦିଏ । ସଞ୍ଜ ନଇଁଲେ ମୁଣ୍ଡ ଗୁଞ୍ଜିବାକୁ ଫୁଟପାଥ୍ ହିଁ ସେମାନଙ୍କ ସାହାରା ।
ଏମାନଙ୍କ ପାଇଁ ସ୍ୱାଧୀନତା ଦିବସର ମାନେ ନାହିଁ । ପଚାରିଲେ ମୁହଁ ବୁଲାଇ ଦିଅନ୍ତି । ସ୍ୱାଧୀନ ଭାରତବର୍ଷର ନାଗରିକ ଭାବେ ଆପଣ ନିଜକୁ କିଭଳି ଗର୍ବ ଅନୁଭବ କରନ୍ତି ବୋଲି ପଚାରିବାରୁ ଆଜି ଗଦାଧରଙ୍କ ଆଖିରେ ଜକେଇ ଆସିଥିଲା ଲୁହ । ଲୁହଭରା ଆଖିରେ ବଲ ବଲ ହୋଇ ଚାହିଁଥିଲେ । ନିଜ ଜୀବନକୁ ଛିଛାକର କରିଥିଲେ । ଆଜ୍ଞା, ଗାଁରେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ । ସ୍ତ୍ରୀ, ପିଲା ୟା ଦାଣ୍ଡ ତା ଦା ଦାଣ୍ଡ ହଉଚନ୍ତି । ସେମାନଙ୍କୁ ପେଟପୂରା ଖାଇବାକୁ ଗଣ୍ଡେ ଦେଇପାରୁନି ସେଥିରେ ମୁଣ୍ଡ ଗୁଞ୍ଜିବା କଥା କେଉଁଠୁ ଚିନ୍ତା କରିବି ବୋଲି ପ୍ରଶ୍ନ କରିଥିଲେ । ଇନ୍ଦିରା ଆବାସ ଘର ଖଣ୍ଡେ ପାଇଁ ସମସ୍ତଙ୍କ ଗୋଡ଼ ଧରୁଛି ହେଲେ କେହି ଶୁଣୁନାହାନ୍ତି । ଆଜ୍ଞା ଆମେ ଦିନଦରିଦ୍ର ଲୋକ, କିଏ ଆମ କଥା ଶୁଣିବ ? ଟଙ୍କିକିଆ ଚାଉଳ ମୋ ପରିବାରକୁ ବଞ୍ଚେଇ ଦଇଛି । ତେଲ ଲୁଣ ପାଇଁ ଏଠାରେ ପଡ଼ିଛି । ଭଗବାନ କେତେଦିନ କଷ୍ଟ ଦଉଛନ୍ତି ଦିଅନ୍ତୁ ବୋଲି କହିଲା ବେଳକୁ ଆଖିର ଲୁହ ପାଟିକୁ ଜକେଇ ଦେଇଥିଲା । ଅଧିକ କିଛି କହିପାରି ନ ଥିଲେ ।
କୁଷ୍ଠରୋଗ ଆକ୍ରାନ୍ତ ପୁଷ୍ପଙ୍କ ଦୁଃଖ ତ ଛାତି ଧରାଇ ଦେଲା ଭଳି । ବାଲେଶ୍ୱର ଅଞ୍ଚଳରେ ଘର । ନିଜ ଗାଁ ଛାଡ଼ି ୧୫ ବର୍ଷ ହେଲା ପଡ଼ିଛନ୍ତି ଲିଙ୍ଗରାଜ ମନ୍ଦିର ସାମନାରେ । ଗାଁ, ଘର ଲୋକେ ତାଙ୍କୁ ଅଛୁଆଁ ପର କରିଦେଇଛନ୍ତି । ସ୍ୱାମୀ, ପୁଅ ଝିଅଙ୍କୁ ୧୫ ବର୍ଷ ହେଲା ଦେଖିନାହାନ୍ତି । ସେମାନେ ବି ମାଆକୁ କେବେ ଖୋଜିନାହାନ୍ତି । କୁଷ୍ଠରୋଗ ତାଙ୍କ ପାଇଁ ଅଭିଶାପ ହୋଇଛି । ନିଜେ ବଞ୍ଚିବାକୁ ଭିକ୍ଷାଥାଳି ହୋଇଛି ତାଙ୍କର ଆଶ୍ରା । ସ୍ୱାଧୀନତା ଦିବସର ଅନୁଭବ ପଚାରିବାରୁ ସେ ବି କାନ୍ଦିଥିଲେ । ଦୋକାନରେ ବିକ୍ରୀ ହଉଥିବା ଜାତୀୟ ପତାକାକୁ ଠାରି କିଛି କହିବାକୁ ଚାହୁଁଥିଲେ । ହେଲେ କହିପାରୁ ନ ଥିଲେ ।