ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀରେ ବେଆଇନ ଜାଗା ମାଡ଼ି ବସିଥିବା ଓରଟେଲ୍ ଅଫିସ ଉଚ୍ଛେଦ ଦାବିରେ ଚାଲିଥିବା ଆମରଣ ଅନଶନ ଆଜିକୁ ତିନି ଦିନ ପୂରିଛି । ଆମରଣ ଅନଶନକାରୀ ଅଜିତ୍ ଦାଶଙ୍କ ଅବସ୍ଥା ଆଜି ଗୁରୁତର ହୋଇପଡ଼ିଛି । ତେବେ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ତାଙ୍କ ପାଖରେ କେହି ପହଞ୍ଚି ନାହାନ୍ତି କି ପୁଲିସ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରି ନ ଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଓରଟେଲ୍ ଅଫିସ୍ ସାମନା ଆନ୍ଦୋଳନସ୍ଥଳରେ ପହଞ୍ଚି ଆଲୋଚନା କରିବାକୁ ନଗର ଉନ୍ନୟନ ବିଭାଗର ସଚିବ ଜି.ମାଥିଭାଥନନ୍ ଏବଂ ବିଏମସି କମିଶନର ତଥା ବିଡ଼ିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର ଆଜି ଅପରାହ୍ନ ୩.୪୫କୁ ସମୟ ଦେଇଥିଲେ । ଆନ୍ଦୋଳନରେ ସାମିଲ ହୋଇଥିବା ସିଟିଜେନ୍ କମିଟିର କର୍ମକର୍ତ୍ତା ଓ ସଭ୍ୟ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଆଲୋଚନା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ନଗର ଉନ୍ନୟନ ବିଭାଗ ସଚିବ ଓ ବିଡ଼ିଏ ଉପାଧ୍ୟକ୍ଷଙ୍କୁ ଏକ ସ୍ମାରକପତ୍ର ଦେବାକୁ ସେମାନେ ଚାହିଁ ବସିଥିଲେ ମଧ୍ୟ ଉଭୟ ନ ଆସିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଣେ ଆମରଣ ଅନଶନରେ ବସିଥିବା ସିଟିଜେନ୍ କମିଟି ସମ୍ପାଦକ ଅଜିତ୍ ଦାଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟି ଚାଲିଛି । ଆଜି ତାଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ତାଙ୍କର ଚିକିତ୍ସା ପାଇଁ ପ୍ରଶାସନ କିମ୍ବା ପୁଲିସ ସଂଧା ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନାହାନ୍ତି ।
ଆନ୍ଦୋଳନକାରୀଙ୍କ କହିବା କଥା ହେଉଛି, ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ଓରଟେଲ୍ କମ୍ପାନୀ କ୍ଷମତାର ଅପବ୍ୟବହାର କରି ବେଆଇନ ଭାବେ ଏହି ଜାଗାକୁ ମାଡ଼ି ବସି ଅଫିସ ଅଟ୍ଟାଳିକା ନିର୍ମାଣ କରିଛନ୍ତି । ଜବରଦଖଲରେ ଥିବା ସି-୧ କମର୍ସିଆଲ୍ କମ୍ପ୍ଲେକ୍ସରୁ ଓରଟେଲ୍ କୁ ହଟାଇ ସେଠାରେ ମଲ୍ଟି ସପିଂ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଆମରଣ ଅନଶନ ଚାଲିବ ବୋଲି ସିଟିଜେନ୍ କମିଟି ପକ୍ଷରୁ କୁହାଯାଇଛି ।