ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ)ରେ ୧୬ ବର୍ଷରୁ କମ୍ ବୟସର ଖେଳାଳି ଚୟନରେ ବୟସ ଜାଲିଆତି ଅଭିଯୋଗ ହୋଇଛି । କିଛି ଖେଳାଳି ଓ ସେମାନଙ୍କ ଅଭିଭାବକମାନଙ୍କ ସହିତ ହାତ ମିଳାଇ ଓସିଏ ଏଭଳି ଜାଲିଆତି କରିଥିବା ଅଭିଯୋଗ ଆଣିଛି କଳିଙ୍ଗ ସେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେନା ଅଧ୍ୟକ୍ଷ ହେମନ୍ତ ରଥ ଏହି ଜାଲିଆତିର ପର୍ଦ୍ଦାଫାସ କରିଛନ୍ତି ।
୨୦୧୮-୧୯ ପାଇଁ ଓସିଏ କର୍ତ୍ତୃପକ୍ଷ ୧୬ ବର୍ଷରୁ କମ ବୟସର ୧୫ ଜଣ ଖେଳାଳି ଚୟନ କରିଛନ୍ତି । ଏହି ଟିମ୍ ଚଳିତମାସ ୨୧ ତାରିଖରୁ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଖେଳିବା ପାଇଁ ପଶ୍ଚିମବଙ୍ଗ ଯିବାର କାର୍ଯ୍ୟସୂଚୀ ରହିଛି । ଖେଳାଳି ତାଲିକାର ୪ ନମ୍ବର ସ୍ଥାନରେ ଥିବା ବିଶ୍ୱଜିତ୍ ପାତ୍ରଙ୍କ ବୟସରେ ଜାଲିଆତି ହୋଇଥିବା ଶ୍ରୀ ରଥ ଦର୍ଶାଇଛନ୍ତି ।
ଶ୍ରୀ ରଥ ଉପସ୍ଥାପିତ କରିଥିବା ଦସ୍ତାବିଜ୍ ରେ ଦର୍ଶାଇଛନ୍ତି ଯେ ବିଶ୍ୱଜିତ୍ ପାତ୍ର ଓସିଏରେ ତାଙ୍କ ଜନ୍ମ ସାର୍ଟିଫିକେଟ ଦାଖଲ କରିଛନ୍ତି । ଏଥିରେ ବିଶ୍ୱଜିତ୍ ଙ୍କ ପିତାଙ୍କ ନାମ କାମଦେବ ପାତ୍ର ଓ ମାତାଙ୍କ ନାମ ରଞ୍ଜିତା ପାତ୍ର ରହିଛି । ଏହି ସାର୍ଟିଫିକେଟର ପଞ୍ଜିକରଣ ନମ୍ବର ରହିଛି ୧୨୭୫୭/୨୦୧୦ । ପଞ୍ଜିକରଣ ତାରିଖ ୨.୮.୨୦୧୦ ଓ ଜନ୍ମ ତାରିଖ ୧୦.୧୧.୨୦୦୩ ଅଛି । ଏହି ହିସାବ ଆଧାରରେ ଓସିଏ ଶ୍ରୀ ବିଶ୍ୱଜିତ୍ ଙ୍କୁ ୧୬ ବର୍ଷରୁ କମ୍ ବୟସର ଦଳରେ ସାମିଲ କରିଛି । ହେଲେ କଟକ ମହାନଗର ନିଗମରୁ ହସ୍ତଗତ ହୋଇଥିବା ସମାନ ପଞ୍ଜିକରଣ ନମ୍ବରର ଜନ୍ମ ସାର୍ଟିଫିକେଟରେ ବିଶ୍ୱଜିତ୍ ଙ୍କ ପିତା, ମାତାଙ୍କ ନାମ ଓ ପଞ୍ଜିକରଣ ନମ୍ବର ସମାନ ଥିବା ବେଳେ ତାଙ୍କର ଜନ୍ମ ତାରିଖ ୧୦.୦୬.୨୦୦୧ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି ଜନ୍ମ ପ୍ରମାଣପାତ୍ର ଦାଖଲ କରିଥିଲେ ବିଶ୍ୱଜିତ୍ ଦଳରେ ସାମିଲ ହୋଇପାରି ନ ଥାଆନ୍ତେ । ତେଣୁ ଜାଲିଆତି କରି ବୟସ କମାଇଥିବାରୁ ତୁରନ୍ତ ବିଶ୍ୱଜିତ୍ ଙ୍କୁ ଖେଳାଳି ତାଲିକାରୁ ବାଦ୍ ଦିଆଯାଉ ବୋଲି ଶ୍ରୀ ରଥ ଦାବି କରିଛନ୍ତି ।
ସେ ପୁଣି କହିଛନ୍ତି, ଓସିଏ କର୍ତ୍ତୃପକ୍ଷ ଖେଳାଳିମାନେ ଦେଇଥିବା ଜନ୍ମ ସିର୍ଟିଫିକେଟକୁ କିଭଳି ଯାଞ୍ଚ କରିଛନ୍ତି ତାହା ଏବେ ସନ୍ଦେହରେ । ଓସିଏ କର୍ତ୍ତୃପକ୍ଷ ଜାଣିଶୁଣି ଏହି ଜାଲିଆତିରେ ସଂପୃକ୍ତ ଅଛନ୍ତି । ରାଜ୍ୟରେ ବହୁ ଉଦୀୟମାନ କ୍ରିକେଟ ଖେଳାଳି ଥିବା ବେଳେ ବୟସ ଜାଲିଆତି କରି ଓସିଏ ସେମାନଙ୍କ ପ୍ରତିଭାକୁ ମାରିଦେଉଛି ବୋଲି ଶ୍ରୀ ରଥ କହିଛନ୍ତି । ଏହା ଭାତହାଣ୍ଡିରୁ ଗୋଟିଏ ଭଳି ହୋଇଥିବା ବେଳେ ଏଭଳି ମହା ଜାଲିଆତିର ସିବିଆଇ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଫୌଜଦାରି ମକଦ୍ଦମା ରୁଜୁ କରି ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।