ଭୁବନେଶ୍ୱର: ରାଜ୍ୟପାଳଙ୍କ ବିରୋଧରେ ଗୁରୁତର ଅଭିଯୋଗ । ନିଜ ପଦ ଓ ଗାରିମାର ଅପବ୍ୟବହାର କରୁଛନ୍ତି ରାଜ୍ୟପାଳ ଡ. ଏସ.ସି.ଜମିର । ଓଡ଼ିଶା ରାଜକୋଷକୁ ନିଜ ରାଜ୍ୟ ପାଇଁ ଅପବ୍ୟବହାର କରୁଛନ୍ତି । ଯେଉଁ ରାଜ୍ୟର ପ୍ରଥମ ନାଗରିକ ପଦରେ ଅଧିଷ୍ଠିତ ସେହି ରାଜ୍ୟବାସୀଙ୍କୁ ଅଣଦେଖା କରି ନାଗାଲାଣ୍ଡର ଅନାମଧ୍ୟେୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ରାଜ୍ୟପାଳ ସହାୟତା ପାଣ୍ଠିରୁ ଟେକି ଦେଉଛନ୍ତି ଅର୍ଥ । ରକ୍ତକର୍କଟ ରୋଗରେ ପୀଡ଼ିତ ଓଡ଼ିଶାର ଗରିବ ଲୋକଟି ରାଜ୍ୟପାଳଙ୍କ ସହାୟତା ଲୋଡ଼ି ନିରାଶ ହେଉଥିବା ବେଳେ ରାଜ୍ୟପାଳ ତାଙ୍କ ନାଗାଲାଣ୍ଡବାସୀଙ୍କ ପାଇଁ ବଦାନ୍ୟତା ଦେଖାଉଛନ୍ତି ବୋଲି କଳିଙ୍ଗ ସେନା ଅଭିଯୋଗ ଆଣିଛି ।
ଆଜି ଖୋଦ୍ ରାଜଭବନ ସମ୍ମୁଖରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନା ସଭାପତି ହେମନ୍ତ ରଥ ଏ ସଂକ୍ରାନ୍ତୀୟ ଆରଟିଆଇ ଦସ୍ତାବିଜ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ଅସହାୟ ଓ ଗରିବ ରୋଗୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଭଳି ରାଜ୍ୟପାଳଙ୍କ ପାଣ୍ଠିରୁ ସହାୟତା ପାଇବାର ବ୍ୟବସ୍ଥା ଅଛି । ୨୦୧୪ ମସିହା ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ରାଜ୍ୟର ୩ ଜଣ ଗରିବ ରକ୍ତକର୍କଟ ରୋଗୀ ଓ ଜଣେ ହୃଦରୋଗୀ ଚିକିତ୍ସା ପାଇଁ ରାଜ୍ୟପାଳଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଲୋଡ଼ିଥିଲେ । ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଟଙ୍କାଟିଏ ବି ମିଳିଲା ନାହିଁ ।
ଅନ୍ୟପକ୍ଷରେ ସେହି ୨୦୧୪ ମସିହାରେ ରାଜ୍ୟପାଳଙ୍କ ନିଜ ରାଜ୍ୟ ନାଗାଲାଣ୍ଡର କିଛି କ୍ଲବ୍, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବିଭିନ୍ନ କାର୍ଯ୍ୟ ଲାଗି ଏହି ପାଣ୍ଠିରୁ ଉପକୃତ ହୋଇଛନ୍ତି । ରାଜ୍ୟପାଳ ହାତଖୋଲି ସେମାନଙ୍କୁ ସହାୟତା ଦେଇଛନ୍ତି ।
ଓଡ଼ିଶାର ରାଜ୍ୟପାଳଙ୍କଠାରୁ ଆର୍ଥିକ ସହାୟତା ନେଇଥିବା ନାଗାଲାଣ୍ଡ ସଂସ୍ଥାଗୁଡ଼ିକ ମଧ୍ୟରେ ମୋକୋ କୁଚଙ୍ଗ ଭିଲେଜ କାଉନସିଲ୍ ୨୦ ହଜାର ଟଙ୍କା ନେଇଥିବା ବେଳେ ଆଉ ଏକ କ୍ଲବ୍ ୧୦ ହଜାର ଟଙ୍କା ନେଇଛି । ସେହିଭଳି ମିଆଙ୍ଗ ନାମଧାରୀ ଜଣେ ବ୍ୟକ୍ତି ଚିକିତ୍ସାଲାଗି ୨୫ ହଜାର ଟଙ୍କା ନେଇଛନ୍ତି । ୨୦୧୫ ମସିହାରେ ପୁସରମ୍ ନଗଡ଼େ ନାମକ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦିଆଯାଇଥିବା ବେଳେ ସେ କ’ଣ ପାଇଁ ଅର୍ଥ ନେଇଛନ୍ତି ତାହା କାଗଜପତ୍ରରେ ଉଲ୍ଲେଖ ନାହିଁ । ସେହିଭଳି ଟଲି ନାମଧାରୀ ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ନାଁରେ ୩୦ ହଜାର ଟଙ୍କା ଦିଆଯାଇଥିଲା ବେଳେ ତାଙ୍କର ରୋଗ କିମ୍ବା ଦରଖାସ୍ତ ଆବେଦନର ତାରିଖ ଠିକଣା ନାହିଁ ।
ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ରାଜ୍ୟପାଳଙ୍କର ରାଜ୍ୟବାସୀଙ୍କ ପ୍ରତି ଏଭଳି ମନୋଭାବ ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ରଥ କହିଛନ୍ତି । ଯେଉଁ ରାଜ୍ୟର ଟିକସ ପଇସାରେ ରାଜ୍ୟପାଳ ଦରମା ନେଉଛନ୍ତି ଓ ରାଜଭବନ ଚାଲୁଛି ସେହି ଲୋକଙ୍କୁ ରାଜ୍ୟପାଳଙ୍କର ହୀନଦୃଷ୍ଟିଭଙ୍ଗୀ ରାଜ୍ୟପାଳ ପଦବୀର ଗାରିମା କ୍ଷୂର୍ଣ୍ଣ କରୁଛି । ନୈତିକତା ଦୃଷ୍ଟିରୁ ରାଜ୍ୟପାଳ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ରାଷ୍ଟ୍ରପତି ତାଙ୍କୁ ବହିଷ୍କାର କରନ୍ତୁ ବୋଲି କଳିଙ୍ଗସେନା ପକ୍ଷରୁ ଶ୍ରୀ ରଥ ଦାବି କରିଛନ୍ତି । ନଚେତ୍ କଳିଙ୍ଗସେନା ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି । ତେବେ ଏହି ଅଭିଯୋଗ ସଂକ୍ରାନ୍ତରେ ରାଜଭବନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।