ଭୁବନେଶ୍ୱର: ବିଜୁ ଜନତା ଦଳରେ ଏକ ସମାଜ ସେବା ୱିଙ୍ଗ୍ ରଖିବାକୁ ମୁଖ୍ୟମନ୍ତ୍ରୀ ଗତ ଗାନ୍ଧୀ ଜୟନ୍ତୀରେ ଘୋଷଣା କଲେ । ଅକ୍ଟୋବର ୨୫ରେ ‘ଓଡ଼ିଶା ମୋ ପରିବାର’ ନାଁରେ ଏହି କାର୍ଯ୍ୟକ୍ରମର ରୂପରେଖ ଘୋଷଣା କଲେ । ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ । ନବୀନ ନିବାସରେ ‘ମୋ ଓଡ଼ିଶା ପରିବାର’ କୋର୍ ଟିମ୍ ବୈଠକ ବସି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
‘ଓଡ଼ିଶା ମୋ ପରିବାର’ ବିଜେଡ଼ିର ସାମାଜିକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଦଳୀୟ ଆଭିମୁଖ୍ୟରୁ ଦୂରେଇ ରଖାଯାଇଛି । ଏହି ବୃହତ୍ତ ସମାଜସେବା କାର୍ଯ୍ୟକ୍ରମକୁ ରାଜନୀତିରୁ ଉଦ୍ଧ୍ୱର୍ରେ ରଖିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ଆଗେଇ ନେବାକୁ ସଂକଳ୍ପ କରାଯାଇଛି ।
‘ଓଡ଼ିଶା ମୋ ପରିବାର’ ରେ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ବିପନ୍ନ ଓଡ଼ିଆଙ୍କୁ ସହାୟତା ଏହିଭଳି ତିନୋଟି ୱିଙ୍ଗ୍ କାର୍ଯ୍ୟ କରିବ ।
ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଏବଂ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯିବ ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରକ୍ତଦାନକୁ ଗୁରୁତ୍ୱ ଦିଆଯାଇଛି । ରକ୍ତଦାନକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ତୃଣମୂଳସ୍ତରରେ ସ୍ୱାସ୍ଥ୍ୟସେବା ପହଞ୍ଚାଇ ଅସହାୟଙ୍କୁ ସହାୟତା ଦିଆଯିବ ।
ଓଡ଼ିଶାବାସୀ ଏବଂ ଓଡ଼ିଶା ବାହାରେ ରହୁଥିବା ବିପନ୍ନ ଓଡ଼ିଆ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି । ଦେଶ ତଥା ଦେଶ ବାହାରେ କାମ କରୁଥିବା ଓଡ଼ିଆମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ବିପଦ ସମୟରେ ସେମାନଙ୍କୁ ଓ ପରିବାରକୁ ସହାୟତା ଦେବାକୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।
‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଆବାହକ ରହିଛନ୍ତି ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ । ତିନୋଟି ୱିଙ୍ଗ୍ ର ଦାୟିତ୍ୱ ବୁଝିବା ପାଇଁ ତିନୋଟି କମିଟି ଗଠନ କରାଯାଇଛି । ପରିବେଶ ସୁରକ୍ଷା କମିଟିରେ ସାଂସଦ ପିନାକୀ ମିଶ୍ର ଓ ଅଚ୍ୟୁତ ସାମନ୍ତ, ନଳିନୀକାନ୍ତ ପ୍ରଧାନ, ସଂଧ୍ୟା କୁମାରୀ ନାୟକ ଅଛନ୍ତି । ସ୍ୱାସ୍ଥ୍ୟସେବା କମିଟିରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଲତିକା ପ୍ରଧାନ, ମନୋହର ରନ୍ଧାରୀ, ସୁଶାନ୍ତ କୁମାର ରାଉତ ଏବଂ ଅନନ୍ତ ନାରାୟଣ ଜେନା, ରୀତା ତରାଇ, ସୁନୀତା ବିଶ୍ୱାଳ, ଭାରତୀ ସିଂହ ଓ ଗୌରହରି ମିଶ୍ର ଅଛନ୍ତି । ବିପନ୍ନ ଓଡ଼ିଆଙ୍କୁ ସହାୟତା କମିଟିରେ ଅଛନ୍ତି ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ସୁଧୀର ସାମଲ, ଡେଜାଲିନ ମହାପାତ୍ର ।
ସୂଚନାଯୋଗ୍ୟ, ଅରୂପ ପଟ୍ଟନାୟକଙ୍କ ଆବାହକତ୍ୱରେ ଗଠିତ ‘ଓଡ଼ିଶା ମୋ ପରିବାର’ ରେ ପିନାକୀ ମିଶ୍ର, ଡା. ଅଚୁ୍ୟତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ନଳିନୀକାନ୍ତ ପ୍ରଧାନ ସହ ଆବାହକ ଅଛନ୍ତି । ମନୋହର ରାନ୍ଧାରି, ଅନନ୍ତ ନାରାୟଣ ଜେନା, ସୁଧୀର ସାମଲ, ସୁଶାନ୍ତ ରାଉତ, ସଞ୍ଜୀବ ମଲ୍ଲିକ, ଶ୍ରୀମତୀ ଲତିକା ପ୍ରଧାନ, ରୀତା ତରାଇ, ଭାରତୀ ସିଂହ, ସୁନିତା ବିଶ୍ୱାଳ, ସଂଧ୍ୟାକୁମାରୀ ନାୟକ, ଡେଜାଲିନ୍ ମହାପାତ୍ର ଓ ଗୌରହରି ମିଶ୍ର ସଭ୍ୟ ଅଛନ୍ତି ।