ଭୁବନେଶ୍ୱର: ଜାନୁଆରୀ ୮ ହେବ ଚାଷୀଙ୍କ ହକ୍ ପାଇଁ ଲଢ଼ାଲଢ଼ିର ଦିନ । ବିଜେଡ଼ି ଓ ବିଜେପି ପରେ କଂଗ୍ରେସ ବି ସେଇ ଦିନକୁ ଆନ୍ଦୋଳନର ସମୟ ଧାର୍ଯ୍ୟ କରିଛି । ରାଜ୍ୟର ଚାଷୀମାନଙ୍କୁ ପ୍ରତାରଣା କରାଯାଇଥିବା ବେଳେ ଏମଏସପି ପ୍ରସଙ୍ଗ ନେଇ ଶାସକ ଦଳର ସଂସଦ ଘେରାଉ ଏକ ନାଟକବାଜି ଦର୍ଶାଇ ବିଜେଡ଼ି ବିରୋଧରେ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ୧୯ ବର୍ଷର ବିଜେଡ଼ି ସରକାର ଓ ୪ ବର୍ଷର ମୋଦୀ ସରକାର ଚାଷୀଙ୍କ ପାଇଁ କିଛି କରିନାହାନ୍ତି । ଭୋଟ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା କାରଣରୁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଇଛି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତିର ଜବାବ ଦେବ କଂଗ୍ରେସ । ଧାନ କ୍ୱିଣ୍ଟାଲ୍ ପିଛା ଚାଷୀଙ୍କୁ ୫୦୦ ଟଙ୍କା ବୋନସ୍ ଓ କୃଷି ଋଣ ଛାଡ଼ ପାଇଁ ସେ ଦଳ ପକ୍ଷରୁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ଦୀପକ ମହାପାତ୍ର, ନିହାର ରଂଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ ।