ଭୁବନେଶ୍ୱର: ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ । ନବନିଯୁକ୍ତ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ଚିଠି ଏହି ଉକ୍ତିଟିକୁ ମନେ ପକାଇଦେଉଛି । ଓଡ଼ିଶାରେ କଂଗ୍ରେସ ନିଜ ଖାତା ଖତିଆନ ହଜାଇ ଦେଇଥିବା ବେଳେ କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେଣି ଶ୍ରୀକାନ୍ତ । ଡୁବି ଯାଇଥିବା ଦଳକୁ ଉଦ୍ଧାର କରିବାକୁ କାର୍ଯ୍ୟ ନ କରି ପ୍ରତିଦ୍ୱନ୍ଦୀ ନିରଞ୍ଜନ ପଟ୍ଟନାୟକଙ୍କ ଗୋଛି କାଟିବାକୁ ଲାଗିପଡ଼ିଲେଣି । ପିସିସିର ନବକଳେବର ହୋଇ ‘ଟିମ୍ ନିରଞ୍ଜନ’ ଦାୟିତ୍ୱ ନେବାର ୧୦ ଦିନ ପୂରିନି । ହେଲେ ସେହି ଟିମ୍ ର ଅନ୍ୟତମ ମୁଖିଆ ଶ୍ରୀକାନ୍ତ ଦଳକୁ ସଜାଡ଼ିବେ କ’ଣ ଓଲଟି କଂଗ୍ରେସର ପୁରୁଣା ରୋଗରେ ନିଜକୁ ଆକ୍ରାନ୍ତ କରିଛନ୍ତି । ଶ୍ରୀକାନ୍ତଙ୍କ ଗୋଟିଚାଳନା କଂଗ୍ରେସକୁ ପୁଣି ଲୋକହସା କରିଛି । ଶ୍ରୀକାନ୍ତଙ୍କ ଚକ୍ରାନ୍ତ ଯୋଗୁଁ ସମସ୍ତଙ୍କୁ ସାଙ୍ଗରେ ଧରି ଏକାଠି ଲଢ଼ିବାର ନିରଞ୍ଜନଙ୍କ ଜୋସ୍ ଫୁସକି ଯିବାକୁ ବସିଲାଣି ।
ଓଡ଼ିଶାର କଂଗ୍ରେସ ନେତାଙ୍କ ସହ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା କଲା ପରେ ଗତ ୧୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶାର ନୂଆ କଂଗ୍ରେସ ଟିମ୍ ଘୋଷଣା କରିଥିଲେ । ନିରଞ୍ଜନ ପଟ୍ଟନାୟକ ସଭାପତି ହୋଇଥିବା ବେଳେ ନବ ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ହେଲେ । ଭକ୍ତ ଦାସ ପ୍ରଚାର କମିଟି ଅଧ୍ୟକ୍ଷ ହୋଇଥିବା ବେଳେ ଜିିତେନ୍ଦ୍ର ସିଂହ କୋଅର୍ଡିନେସନ୍ କମିଟି ଅଧ୍ୟକ୍ଷ ଓ ଜଗନ୍ନାଥ ପଟ୍ଟନାୟକ ଆବାହକ । ଶ୍ରୀକାନ୍ତ ଜେନା ଇସ୍ତାହାର କମିଟି ଅଧ୍ୟକ୍ଷ ଓ ଶରତ ରାଉତ ଆବାହକ, ଜୟଦେବ ଜେନା କୋର୍ କମିଟି ଅଧ୍ୟକ୍ଷ ହୋଇଥିଲା ବେଳେ ଶରତ ପଟ୍ଟନାୟକ ଆବାହକ ଆଉ ହେମାନନ୍ଦ ବିଶ୍ୱାଳ ଶୃଙ୍ଖଳା କମିଟି ଅଧ୍ୟକ୍ଷ ନିଯୁକ୍ତ ହେଲେ ।
୨୧ ତାରିଖରେ ଟିମ୍ ନିରଞ୍ଜନ ଦିଲ୍ଲୀରୁ ଭୁବନେଶ୍ୱର ଆସିଲେ । ହେଲେ ଦିଲ୍ଲୀରେ ରହିଗଲେ ଶ୍ରୀକାନ୍ତ ଜେନା । ଅନ୍ୟ କାର୍ଯ୍ୟ ଥିବାରୁ ସେ ଆସିଲେ ନାହିଁ ବୋଲି କୁହାଗଲା । କଂଗ୍ରେସ ଭବନରେ ସମ୍ବର୍ଦ୍ଧନା ପର୍ବ ଜୋରଦାର ହେଲା । ଜୟଦେବ ଜେନା ପଛଆଡକୁ ଟିକିଏ ବସିଥିଲେ ହେଲେ ମୁହଁ ଶୁଖିଯାଇଥିଲା । ସେଦିନ ବିଳମ୍ବିତ ରାତି ଯାଏଁ ସମ୍ବର୍ଦ୍ଧନା ପର୍ବ ଚାଲିଥିଲେ ମଧ୍ୟ ଜୟଦେବ ଅଧାରୁ ଉଠି ପଳାଇ ଆସିଥିଲେ । ପରଦିନ ସକାଳୁ ସକାଳୁ ଦିଲ୍ଲୀ ଫ୍ଲାଇଟ୍ ଧରିଲେ । ଦିଲ୍ଲୀ ହଠାତ କାହିଁକି ଗଲେ କେହି ବୁଝିପାରିଲେନି । ଦିଲ୍ଲୀରେ ସେ ଶ୍ରୀକାନ୍ତଙ୍କ ସହ କଥା ହୋଇ ହାଇକମାଣ୍ଡଙ୍କୁ ନିଜର ଅସନ୍ତୋଷ ଜଣାଇଥିବା ଚର୍ଚ୍ଚା ହୋଇଥିଲା । ତେବେ ସେହି ଅସନ୍ତୋଷଟି କ’ଣ ତାହା କେହି ବୁଝିପାରିନାହାନ୍ତି । ନିରଞ୍ଜନଙ୍କ ବିରୋଧୀ ତଥା ଇସ୍ତାହାର କମିଟି ଆବାହକ ଶରତ ରାଉତଙ୍କୁ ମଧ୍ୟ ସ୍ୱାଗତ ପର୍ବରେ ଦେଖିବାକୁ ମିଳିଲାନି । କୁହାଯାଉଛି ନିରଞ୍ଜନଙ୍କୁ ନେଇ ସେ ବି ଭୀଷଣ ଅସନ୍ତୁଷ୍ଟ ।
ଶ୍ରୀକାନ୍ତ,ଜୟଦେବ ଓ ଶରତଙ୍କ ରହସ୍ୟମୟ ନିରବତା ଓ ଅସନ୍ତୋଷ ଖବର କଂଗ୍ରେସ ମହଲରେ ଟୁପୁରୁ ଟାପୁରୁ ଚାଲିଥିବା ବେଳେ ଶ୍ରୀକାନ୍ତ ଜେନାଙ୍କ ଚିଠି ରହସ୍ୟରୁ ପରଦା ହଟେଇଛି । ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଇସ୍ତାହାରର ମୁଖବନ୍ଧ ଶୀର୍ଷକରେ ଶ୍ରୀକାନ୍ତ ଏହି ଚିଠିଟି ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଓ ଏଆଇସିସି ସଦସ୍ୟଙ୍କୁ ଲେଖିଛନ୍ତି ।
ସେଥିରେ ତାଙ୍କର ପ୍ରଥମ ପ୍ରସ୍ତାବଟି ରଖିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ଓବିସି କିମ୍ବା ଏସଇବିସି ବର୍ଗରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ । ସେହିଭଳି ଏସସି ଏବଂ ଏସଟି ବର୍ଗରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ । କଂଗ୍ରେସ ରାଜନୀତିର ଧାର ଧରିଥିବା ଯେ କୌଣସି ବ୍ୟକ୍ତି ଶ୍ରୀକାନ୍ତଙ୍କ ଏହି ଚିଠିର ମର୍ମ ବୁଝିବାରେ ଅସୁବିଧା ନାହିଁ । ନିରଞ୍ଜନ ପଟ୍ଟନାୟକଙ୍କୁ ଶ୍ରୀକାନ୍ତ ହାତରେ ନ ମାରି ରେ ଭାତରେ ମାରିବା ଯୋଜନା କରୁଥିବା ଏହି ଚିଠି ସ୍ପଷ୍ଟ କରିଛି । କଂଗ୍ରେସ କ୍ଷମତାକୁ ଆସିଲେ ନିରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା ପାଇଁ ଶ୍ରୀକାନ୍ତଙ୍କର ଏହା ଚାଲ୍ ବୋଲି କୁହାଯାଉଛି । ଓଲଟି ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚିଠିରେ ବାଟ ବାହାର କରିଛନ୍ତି ।
ସେହିଭଳି ନବ ଦାସ ଓ ଚିରଞ୍ଜିବୀ ବିଶ୍ୱାଳ କାଳେ ପାୱାରଫୁଲ୍ ହେବେ ତାଙ୍କର ବାଟ ଓଗାଳିବାକୁ ଶ୍ରୀକାନ୍ତ ବି ଜାଲ୍ ବିଛାଇବାକୁ ଚାହିଁଛନ୍ତି । ଏସସି/ଏସଟି ବର୍ଗରୁ ଉପମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ଦେଇ ସେମାନଙ୍କ ମୁହଁ ବାନ୍ଧିବାକୁ ଚେଷ୍ଟା କରିଛନ୍ତି ।
ଶ୍ରୀକାନ୍ତ ତାଙ୍କ ଦ୍ୱିତୀୟ ପସ୍ତାବରେ କୁଆଡ଼େ ନିରଞ୍ଜନଙ୍କୁ ଲକ୍ଷ୍ୟ କରି ତୀର ମାରିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ବେଆଇନ ଖଣି ମାଲିକଙ୍କ ଖଣି ବାତିଲ କରି ସେମାନଙ୍କର ସମ୍ପତ୍ତି ବ୍ୟାଜ୍ୟାପ୍ତି ହେବ ଏବଂ ସେଥିରେ ଲୋକଙ୍କ କଲ୍ୟାଣ ପାଇଁ ଏକ ପାଣ୍ଠି କରାଯିବ ବୋଲି ଶ୍ରୀକାନ୍ତ ପ୍ରସ୍ତାବ ଦେଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ କି ନିରଞ୍ଜନ ପଟ୍ଟନାୟକଙ୍କ ପରିବାରର ବେଆଇନ ଖଣି ଖାଦାନ ନେଇ ଅତୀତରେ ଶ୍ରୀକାନ୍ତ ଜେନା ବହୁବାର ଟାର୍ଗେଟ୍ କରିଛନ୍ତି । ସୁତରାଂ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଏହି ପ୍ରସ୍ତାବ ଯେ ନିରଞ୍ଜନଙ୍କ ପାଇଁ ଉଦ୍ଦିଷ୍ଟ ତାହା କାହାରିକୁ ବୁଝିବା ବାକି ନାହିଁ ।
ଶ୍ରୀକାନ୍ତଙ୍କ ଭଳି ଜୟଦେବ ଜେନା ମଧ୍ୟ ନିରଞ୍ଜନଙ୍କର ପ୍ରବଳ ବିରୋଧୀ । କେନ୍ଦୁଝର ଜିଲ୍ଲା ରାଜନୀତିରେ ଜୟଦେବ ନିଜର ନିର୍ବାଚନ ପରାଜୟ ପାଇଁ ସବୁବେଳେ ନିରଞ୍ଜନଙ୍କୁ ଦାୟୀ କରିଥାଆନ୍ତି । ସେ ନିଜେ ଦୁଇ ଦୁଇ ଥର ପିସିସି ସଭାପତି ଥିଲେ । ପିସିସି ସଭାପତି ଭାବେ ସେ ନିରଞ୍ଜନଙ୍କ ସିନିୟର୍ ହୋଇଥିବାରୁ ମନରେ ଗର୍ବ ବି ଅଛି । ମୋଟାମୋଟି ଭାବେ ନିରଞ୍ଜନଙ୍କ ନେତୃତ୍ୱରେ କାମ କରିବାକୁ ତାଙ୍କର ମନ କହୁନି । କୋର୍ କମିଟି ଅଧ୍ୟକ୍ଷ ତାଙ୍କୁ ତୁଚ୍ଛ ଲାଗୁଛି । ଏଆଇସିସିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେବାକୁ ତାଙ୍କର ଇଚ୍ଛା ଥିଲେ ବି ରାହୁଲ ତାଙ୍କୁ ନିରଞ୍ଜନଙ୍କ ଟିମ୍ ରେ କୋର୍ କମିଟି ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିବାକୁ ଚାହିଁଥିବାରୁ ତାଙ୍କ ମନ କଷ୍ଟ ହୋଇଛି । ଶ୍ରୀକାନ୍ତ ଜେନାଙ୍କୁ ସାଥୀ ପାଇ ନିଜର ଅସନ୍ତୋଷକୁ ଦିଲ୍ଲୀରେ ଜଣାଇଛନ୍ତି ବୋଲି କୁହାଯାଉଛି ।
ସେମିତି ପ୍ରଚାର କମିଟି ଅଧ୍ୟକ୍ଷ ହୋଇଥିବା ଭକ୍ତ ଦାସଙ୍କ ମନ ବି ଖପ୍ପା । ରାହୁଲ ଗାନ୍ଧୀ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ ମଧ୍ୟ ଭୁବନେଶ୍ୱରରରେ ସ୍ୱାଗତ ପର୍ବର ପୋଷ୍ଟରରେ ତାଙ୍କ ଫଟୋ ନ ଥିବାରୁ ସେ ଭୀଷଣ କ୍ଷୁବ୍ଧ । ଏହା ପଛରେ ନିରଞ୍ଜନଙ୍କ ଇସାରା ଅଛି ବୋଲି ସେ ଭାବିଦେଇଥିବା କୁହାଯାଉଛି । ତେଣୁ ତାଙ୍କ ମନ ମଧ୍ୟ ଛିଡ଼ିଯାଇଛି ।
ଏଭଳିସ୍ଥିତିରେ କଂଗ୍ରେସକୁ କେମିତି ଆଗକୁ ବଢ଼େଇବେ ନିରଞନ ଚିନ୍ତାରେ ପଡ଼ିଯାଇଥିବା ତାଙ୍କ ମହଲରୁ ଜଣାପଡ଼ିଛି । କଂଗ୍ରେସ ଭବନରେ ସ୍ୱାଗତ ଭାଷଣରେ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ନିରଞ୍ଜନ ଲମ୍ବା ଭାଷଣବାଜି କରିଥିଲେ । ହେଲେ କାହାକୁ ନେଇ ଲଢ଼େଇ ଲଢ଼ିବେ ଏବେ ସେହି ଚିନ୍ତାରେ । ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ଫିଟାଇବାକୁ ସେ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି । ନବକଳେବର କଂଗ୍ରେସର ଏଭଳି ହାଲତ୍ ଦେଖି ଉତ୍ସାହିତ କଂଗ୍ରେସ କର୍ମୀଙ୍କ ମନ ଫିକା ପଡ଼ିଯାଇଛି । ‘ଦିଲ୍ଲୀରେ ଆମର ରିହଲସଲ୍ ଭଲ ହୋଇଥିଲା ହେଲେ ଓଡ଼ିଶାରେ ପେଣ୍ଡାଲ୍ ଉପରକୁ ଚଢ଼ିଲା ପରେ ନାଟକ ଫୁସକିଗଲାଣି’ ବୋଲି ଅନେକ ଥଟ୍ଟା କରିଛନ୍ତି ।