ଭୁବନେଶ୍ୱର: କରୋନା ଭାଇରସ୍ କୁ ବେଖାତିର, ଥଟ୍ଟାମଜ୍ଜା କରି ହୋସ୍ ଉଡୋଉଥିବା ଲୋକଙ୍କୁ ଏକ ଶିକ୍ଷା । ଭଗବାନ ନ କରନ୍ତୁ କରୋନା କବଳରେ କେହି ପଡ଼ନ୍ତୁ କି କାହାରି ଜୀବନହାନୀ ହେଉ । ହେଲେ ଆମ ସହରର ତଥାକଥିତ ଶିକ୍ଷିତ ଅମାନିଆଙ୍କ ପାଇଁ ଏହି ବିପଦ କାହାରି ପାଇଁ ବି କେଉଁଭଳି ପରିସ୍ଥିତି ସୃଷ୍ଟି କରିପାରେ ତାହା ଆଜିର ଖବରରୁ ଅନୁଭବ କରନ୍ତୁ ।
ଭୁବନେଶ୍ୱର ଝାରପଡ଼ାର ଜଣେ ୭୨ ବର୍ଷର ବୃଦ୍ଧଙ୍କର ଉଚ୍ଚ ରକ୍ତଚାପ ଥିଲା । ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବାରୁ ଗତ ୪ ତାରିଖରେ ଏମସ୍ ରେ ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ସନ୍ଦେହ କରିବାରୁ ତାଙ୍କର ରକ୍ତ ନମୁନା କୋଭିଡ୍ ଟେଷ୍ଟ ପାଇଁ ପଠାଗଲା । ପରେ ସ୍ୱାବ୍ ନମୁନା ବି ଆରଏମଆରସିକୁ ଗଲା । ତେବେ ରିପୋର୍ଟ ପଜିଟିଭ୍ ବାହାରିବା ପୂର୍ବରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହେଲା । କରୋନାର ସେଭଳି କୌଣସି ଲକ୍ଷଣ ନ ଥାଇ ମଧ୍ୟ ସଂପୃକ୍ତ ବୃଦ୍ଧ କରୋନା ସଂକ୍ରମଣର ଶିକାର ହୋଇଥିଲେ । ଯାହା ତାଙ୍କର ପ୍ରାଣ ନେଲା ।
ଡାକ୍ତରଖାନାରେ ଜୀବନ ତ ଗଲା । ଶବ ବି ଘରକୁ ଫେରିଲାନି । ପରିବାର ଲୋକ ଛୁଇଁବା ଦୂରେ ଥାଉ, ପାଖ ବି ମାଡ଼ି ପାରିନାହାନ୍ତି । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶନାମା ଅନୁଯାୟୀ କରୋନାରେ ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ଆତ୍ମୀୟସ୍ୱଜନ ନୁହଁନ୍ତି, ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶବ ସତ୍କାର ହେବ । ଅବଶ୍ୟ ପରିବାର ଲୋକ ସେଠି ଉପସ୍ଥିତି ରହିପାରିବେ । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏହି ନିଦେ୍ର୍ଦଶନାମା ରହିଥିବା ଆଜିର ସାମ୍ବାଦିକ ସମ୍ମିଳନୀରେ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସ୍ପଷ୍ଟ କରିଛନ୍ତି ।
ଏହା ହିଁ କରୋନା ଭୂତାଣୁର ଭୟାବହତାକୁ ବୁଝାଇ ଦେଉଛି । ତେଣୁ ଘରେ ରହିବା, ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରିବା ଦ୍ୱାରା ଏହି ଭୟାବହତାରୁ ରକ୍ଷା ପାଇହେବ । ଏଥିପ୍ରତି ଅମାନିଆମାନେ ସଜାଗ ରୁହନ୍ତୁ । ବାସ୍ତବତାକୁ ବୁଝନ୍ତୁ ।