ଭୁବନେଶ୍ୱର: ସୌମ୍ୟରଂଜନ ପଟ୍ଟନାୟକ ଖଣ୍ଡପଡ଼ାରୁ ବିଜେଡ଼ି ଟିକେଟ୍ ହାତେଇବାରେ ସଫଳ ହୋଇଛନ୍ତି । ବହୁ ବିଳମ୍ବରେ ବିଜେଡ଼ି ଟିକେଟ ତାଲିକାରେ ତାଙ୍କ ନାଁ ଚଢ଼ିଛି । ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ମାତ୍ ଦେଇ ତୃତୀୟ ଥର ପାଇଁ ଓହ୍ଲାଇଛନ୍ତି ଖଣ୍ଡପଡ଼ା ମଇଦାନକୁ । ନିର୍ବାଚନରେ ବିଫଳତାର ସ୍ୱାଦ ଚାଖି ଚାଖି ଆସିଥିବା ସୌମ୍ୟ ଏଥର ବିଜେଡ଼ି ଟିକେଟରେ ବିଜେଡ଼ି ଗଡ଼ରୁ ଜିତିଯିବେ ବୋଲି ଆଶା ବାନ୍ଧିଛନ୍ତି । ଖଣ୍ଡପଡ଼ା ଗଡ଼ରେ ତାଙ୍କର ଏହି ଆଶା ଠିକ୍ ଲାଗୁଥିଲେ ମଧ୍ୟ ବିରୋଧୀ କ୍ୟାମ୍ପର୍ ଭୂମିକା ଉପରେ ତାଙ୍କର ଭାଗ୍ୟ ନିର୍ଭର କରିବ ।
ବିଜେଡ଼ି ଆସିଲା ପରଠାରୁ ଖଣ୍ଡପଡ଼ା ଆସନ ଉପରେ ସୌମ୍ୟ ଆଖି ରଖିଥିବା “ମିଡ଼ଡ଼େ ଓଡ଼ିଶା”ରେ ବହୁବାର ରିପୋର୍ଟ କରିଥିଲୁ । ବିଜେଡ଼ିରେ ଯୋଗଦେଇ ରାଜ୍ୟସଭା ସାଂସଦ ହେଲା ପରେ ମଧ୍ୟ ସୌମ୍ୟ ଖଣ୍ଡପଡ଼ା ଆସନକୁ ଆଖିରେ ରଖି କାର୍ଯ୍ୟକ୍ରମ ଚଳାଇଥିଲେ । ଆଶ୍ଚର୍ଯ୍ୟର କଥା, ସୌମ୍ୟ ନିଜେ ବିଜେଡ଼ିରେ ମିଶିଥିଲେ ମଧ୍ୟ ତାଙ୍କର ଆମ ଓଡ଼ିଶା ସଂଗଠନକୁ ବିଜେଡ଼ିରେ ମିଶାଇ ନ ଥିଲେ । ବରଂ ତାହାକୁ ବିଜେଡ଼ିର ସମାନ୍ତରାଳ ସଂଗଠନ କରି ରଖିଥିଲେ । ସୌମ୍ୟଙ୍କ କର୍ମୀମାନେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଖୋଲାଖୋଲି ବିରୋଧ କରୁଥିଲେ । ଯେନତେନ ପ୍ରକାରେ ଖଣ୍ଡପଡ଼ା ଆସନ ତାଙ୍କ ହାତକୁ ଆଣିବେ ଏହି ପ୍ରତିଜ୍ଞାରେ ଥିଲେ ସୌମ୍ୟ ।
ସୂଚନାଯୋଗ୍ୟ, ଖଣ୍ଡପଡ଼ାରେ ଦୁଇ ଦୁଇ ଥର ଭାଗ୍ୟ ପରୀକ୍ଷା କରି ବିଫଳ ହୋଇଥିବା ସୌମ୍ୟ ଏଥର ସୁଯୋଗ ହରାଇବାକୁ ଚାହିଁ ନ ଥିଲେ । ନିଜର ନୀତି ଆଦର୍ଶ ଛାଡ଼ି ନବୀନ ପଟ୍ଟନାୟକଙ୍କ ଶରଣ ପଶିବାର ୬ ଘଣ୍ଟା ମଧ୍ୟରେ ରାଜ୍ୟସଭା ଆସନ ହାତେଇଥିଲେ ମଧ୍ୟ ତାହା ତାଙ୍କୁ ସନ୍ତୁଷ୍ଟ କରି ନ ଥିଲା । ଉଚ୍ଚାକାଂକ୍ଷୀ ସୌମ୍ୟ ଓଡ଼ିଶା ରାଜନୀତିରେ ନିଜର ଉଜ୍ଜଳ ସମ୍ଭାବନା ଭାବି ଖଣ୍ଡପଡ଼ା ଆସନ ଉପରୁ ଆଖି ଫେରାଇ ନ ଥିଲେ ।
ବିଜେଡ଼ି ମହଲର ଚର୍ଚ୍ଚା ଅନୁଯାୟୀ, ସୌମ୍ୟଙ୍କୁ ଖଣ୍ଡପଡ଼ା ଆସନରୁ ଟିକେଟ ଦେବା ପାଇଁ ନବୀନ ଆଦୌ ଚାହୁଁ ନ ଥିଲେ । ମାତ୍ର ନିଜର ଖବରକାଗଜ ଓ ଟିଭିକୁ ଦେଖାଇ ସୌମ୍ୟ ପ୍ରବଳ ଚାପ ପକାଇଥିଲେ । ନିଜ ପାଇଁ ଟିକେଟ ସାଙ୍ଗକୁ ଦଳରେ ଶକ୍ତିଶାଳୀ ଯୁବଗୋଷ୍ଠୀଙ୍କ ଟିକେଟ କାଟିବାକୁ ବି ଚାପ ସୃଷ୍ଟି କରିଥିଲେ । ତେବେ ସୌମ୍ୟଙ୍କ ଚାପ ସତ୍ତ୍ୱେ ନବୀନ ତାଙ୍କ ନିଷ୍ପତ୍ତି ନ ବଦଳାଇବା ସ୍ଥିତିରେ ଥିଲେ । ଯେଉଁଥିପାଇଁ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଟିକେଟ ଝୁଲାଇ ରଖିଥିଲେ । ତେବେ କେଉଁ ପରିସ୍ଥିତିରେ ନବୀନ ତାଙ୍କ ନିଷ୍ପତ୍ତି ବଦଳାଇଲେ ତାହା ଜଣାପଡ଼ିନାହିଁ ।
ସୌମ୍ୟଙ୍କ ମୂଲଚାଲ୍ ରାଜନୀତି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ନବୀନଙ୍କୁ ବ୍ଲାକମେଲିଂ କରି ସେ ଟିକେଟ ହାତେଇଥିବା ଅନେକ କଟାକ୍ଷ କରୁଛନ୍ତି ।