ବରଗଡ଼: ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଥିବା କାର୍ତ୍ତିକ ମେହେର ପ୍ରକୃତରେ କିଏ ? ତାର ଏଭଳି କାଣ୍ଡ ପଛରେ କାହାର ହାତ ଅଛି ତ ? ବରଗଡ଼ ପୁଲିସ ଠିକ୍ କହୁଛି ନା ପଦ୍ମପୁର ପୁଲିସ ? ରାଜନୈତିକ ଚାପରେ ପୁଲିସ ପଡ଼ିଛି କି ? ମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋତାରେ ଆକ୍ରମଣ ଉଦ୍ୟମ ଘଟଣା ଉପରେ ଏମିତି ବିଚଳିତ(!) ହୋଇପଡ଼ିଛି ନିର୍ଦ୍ଦିଷ୍ଟ ଟିଭି । କାର୍ତ୍ତିକର ପରିଚୟକୁ ନେଇ ବହୁତ ବିବ୍ରତ ଦେଖାଇଛି । ପଦ୍ମପୁର ପୁଲିସ କ’ଣ କହିଲା, ବରଗଡ଼ ପୁଲିସ କ’ଣ କହିଲା ତାକୁ ନେଇ ଖବର ପରେ ଖବର ତିଆରି କରୁଛି ।
ବିଜେପି ନେତାଙ୍କ ପ୍ରରୋଚନାରେ କାର୍ତ୍ତିକ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ଫିଙ୍ଗିଥିବା ବରଗଡ଼ ସଦର ଏସଡ଼ିପିଓ ସକାଳେ କହିଲେ । ତାକୁ ଉସୁକାଇଥିବା ୩ ଜଣ ବିଜେପି ନେତାଙ୍କ ନାଁ କହିଲେ । ସେହି ସକାଳେ ପଦ୍ମପୁର ଥାନା ଆଇଆଇସି କାର୍ତ୍ତିକର ପଲିଟିକାଲ୍ ଲିଙ୍କ୍ କୁ ଅସ୍ୱୀକାର କରି ତାକୁ ଆଡ଼ବାୟା ବୋଲି କହିଲେ । ତେବେ ସଂପୃକ୍ତ ଟିଭି ଏସଡ଼ିପିଓଙ୍କ ବୟାନକୁ ହାଲକା କରିଦେଇ ଆଇଆଇସିଙ୍କ ବୟାନ ପ୍ରତି ଆକର୍ଷିତ ହୋଇଗଲା । ବ୍ରେକିଂ ନିଉଜ୍ ରୁ ହଟିଲାନି ଆଇଆଇସିଙ୍କ ବୟାନ । କାର୍ତ୍ତିକଙ୍କ ବାପାଙ୍କଠାରୁ ବୟାନ ଆଣି ଦେଖାଇଲା କି ପୁଅ ତାଙ୍କର ଆଡ଼ । ଅର୍ଥାତ୍ ଆଇଆଇସି ଯାହା କହୁଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ । ଏସଡ଼ିପିଓ ଯାହା କହୁଛନ୍ତି ତାହା ଅକ୍ଷରେ ଅକ୍ଷରେ ମିଛ ।
ଅପରାହ୍ନରେ ପଦ୍ମପୁର ଆଇଆଇସି ତାଙ୍କ ବୟାନ ବଦଳାଇବା ପରେ ସଂପୃକ୍ତ ଟିଭି ଆହୁରି ଖୋରାକି ପାଇଲା । ବ୍ରେକିଂ ମାରି ଚାଲିଲା..ଚାପରେ ପଡ଼ି ପୁଲିସ ଚେପା ହୋଇଗଲା ।
ତମାମ ବ୍ରେକିଂ, ହେଡ଼ଲାଇନ୍ ଷ୍ଟୋରି ଓ ରାତିରେ ଡିସକସନ୍ ।
ନିର୍ଦ୍ଦିଷ୍ଟ ଷ୍ଟୋରି ପଛରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରବଳ ପାଗଳାମି ଟିଆରପି ଦୃଷ୍ଟିରୁ ଭଲ ହୋଇପାରେ । ହେଲେ ସେହି ଗଣମାଧ୍ୟମ ୟା ତା ଠୁଁ ଖାଲି କାମଚଳା ବାଇଟ୍ ଆଣି ଖବର କରିଦେଲେ ସତ୍ୟତା ଲୋକଙ୍କ ପାଖକୁ ଆସିପାରିବ ନାହିଁ ବୋଲି କୁହାଯାଉଛି । ସତ୍ୟତା ଜାଣିବା ପାଇଁ ଯିଏ ଏତେ ବ୍ୟାକୁଳ ସେ ଗ୍ରାଉଣ୍ଡ ଜିରୋକୁ ଯିବାରେ ଅସୁବିଧା କେଉଁଠି ? କାର୍ତ୍ତିକର ଘର ପଦ୍ମପୁରର ବୁଦ୍ଧପାଲି । ପଦ୍ମପୁର ଓ ଆଖପାଖରେ ସମସ୍ତେ କାର୍ତ୍ତିକକୁ ନିଶ୍ଚିତ ଜାଣିଥିବେ । ସେ ଆରଏସଏସ, ବିଜେପି, ବିଜେଡ଼ି କର୍ମୀ କି ଆଡବାୟା ତାହା ନିଶ୍ଚିତ ଜାଣିବାରେ ଟିଭିକୁ ଅସୁବିଧା ନାହିଁ । କିଛି ଗାଁ ମାଇପିଙ୍କ କଳି ପରି ଦେଖେଇ ଶିଖେଇ ନହୋଇ ଗ୍ରାଉଣ୍ଡ ଜିରୋରେ ରହି କାର୍ତ୍ତିକକୁ ଆଡବାୟା ବୋଲି ପ୍ରମାଣିତ କରିବାରେ ଅସୁବିଧା କେଉଁଠି ? ପୁଲିସ ଯଦି ମିଛ କହୁଛି, ସତ କ’ଣ ବାହାର କରିହେବନି ? ଏହା ନକରି ଖାଲି ତା ବାପାଙ୍କୁ ଶିଖାଇଲା ଭଳିଆ ଗୋଟେ ବାଇଟ୍ ଆଣି ଚଲାଇବା କିମ୍ବା ପଦ୍ମପୁର ସହ ସମ୍ପର୍କ ନ ଥିବା ଏଣୁତେଣୁ ନେତାଙ୍କ ବାଇଟ୍ ଧରିଦେଲେ ପ୍ରକୃତ ସତ୍ୟ ମିଳିଯିବ କି ?
ଏଠାରେ ମନେ ପକାଇଦେଉଛୁ ଯେ ୪ ଦିନ ତଳେ ପଦ୍ମପୁର ଥାନା ମହୁଲପାଲି ଚେକପୋଷ୍ଟରେ ସୁନା ବେପାରୀ ଆକାଶ ଅଗ୍ରୱାଲ୍ ଙ୍କ କାର୍ ଅଟକାଇ ପୁଲିସ ନଗଦ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା । ଆକାଶ ଓ ତାଙ୍କ ବାପା ଓମପ୍ରକାଶ ଅଗ୍ରୱାଲ୍ ଙ୍କ ରାଜନୈତିକ ପରିଚୟକୁ ନେଇ ବିଜେପି-ବିଜେଡ଼ି ମଧ୍ୟରେ ପ୍ରବଳ ବୟାନବାଜି ହେଲା । ନିର୍ଦ୍ଦିଷ୍ଟ ଟିଭି ଉଭୟ ପକ୍ଷର ବାଇଟ୍ କୁ ଧରି ଖବର ଚଲେଇଲା ପଛେ ସତ କ’ଣ ବାହାର କଲାନି । ପ୍ରକୃତ ସତ କ’ଣ ତାହାର ଯଥେଷ୍ଟ ପ୍ରମାଣ ସୋସିଆଲ୍ ମିଡ଼ିଆରେ ଘୂରିଲା ପରେ ବି ଟିଭି ନିଜେ ଏହାର ଅନୁସନ୍ଧାନ କଲାନି କି ଲୋକଙ୍କୁ ସତ କଥା ଜଣାଇଲାନି । କିଛି ଭିତିରି କାରଣ ଅଛି କି ?
ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିବା ମହିଳା ରାଜେଶ୍ୱରୀ କାମିଲା ନିଜକୁ ନିର୍ଦ୍ଦଳୀୟ ବୋଲି ଦାବି କରିଆସୁଛନ୍ତି । ହେଲେ ବିଜେପି ଅଫିସରେ ବସି ସେ ପ୍ରେସ୍ ମିଟ୍ କଲା ବେଳେ ନିର୍ଦ୍ଦିଷ୍ଟ ଟିଭି ଶୋଇଗଲା କାହିଁକି ? ଜଣେ ଆତ୍ମଘୋଷିତ ନିର୍ଦ୍ଦଳୀୟ ମହିଳା ଏକ ପାର୍ଟି ଅଫିସରେ ବସି ପ୍ରେସ୍ ମିଟ୍ କରିବାର ଲାଇଭ୍ ପ୍ରସାରଣ କଲା ହେଲେ ତାଙ୍କର ସନ୍ଦିଗ୍ଧ ପରିଚୟକୁ ପ୍ରଶ୍ନ ତ କଲାନି ? ଖାଲି ସେତିକି ନୁହେଁ, ରାଜେଶ୍ୱରୀ ଏବେ ବିଜେପୁରରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ବ୍ୟସ୍ତ । ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଙ୍ଗରେ । ସେ କେଉଁଭଳି ନିର୍ଦ୍ଦଳୀୟ ତାହା ନିର୍ଦ୍ଦିଷ୍ଟ ଟିଭିର ମଗଜକୁ ପଶୁନି କେମିତି ? ମାଲିକଙ୍କ ଚାପରେ ଖବର ଚେପା ହୋଇଯାଉନି ତ ?
ନିରପେକ୍ଷ ରହି ଜନସାଧାରଣଙ୍କୁ ପ୍ରକୃତ ସତ୍ୟ ଜଣାଇଲେ ସମସ୍ତଙ୍କର ମଙ୍ଗଳ ହେବ । ମାଲିକଙ୍କ ରାଜନୈତିକ ସ୍ୱାର୍ଥକୁ ଜଗିଲେ ଅନ୍ୟ ସବୁ ବରବାଦ୍ ହୋଇଯିବ । ଟିଭି ଏତିକି ସଚେତନ ହେଲେ ଭଲ ହୁଅନ୍ତା ବୋଲି ଏବେ ସବୁଠି ଚର୍ଚ୍ଚା ।