ଭୁବନେଶ୍ୱର: କୃଷ୍ଣ ନାୟକ ଓ ଗୋଲକ ମହାପାତ୍ରଙ୍କ ମଧ୍ୟରେ ମଧୁର ସମ୍ପର୍କର ଆଉ ଏକ ରୋଚକ ସୁରାକ୍ ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣଙ୍କ ଆଗୁଆ ଜାମିନ୍ ଆବେଦନ ପାଇଁ ଗୋଲକ ହିଁ ସାଜିଥିଲେ ମୁରବୀ । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ କୁହାଯାଇଥିବା କୃଷ୍ଣ ଫେରାର ଥିବା ବେଳେ ହାଇକୋର୍ଟରୁ ଆଗୁଆ ଜାମିନ୍ କରାଇବାକୁ କୁଆଡେ ବ୍ୟଗ୍ର ହୋଇପଡ଼ିଥିଲେ । ସେଥିପାଇଁ ଗୋଲକ ଓକିଲ ଯୋଗାଡ଼ କରିଥିଲେ । ତାଙ୍କର ପୁରୁଣା ଓକିଲ ତଥା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ଙ୍କ ସହ ଯୋଗସୂତ୍ର କରି ଆଗୁଆ ଜାମିନ୍ ଆବେଦନ କରିଥିଲେ । ମାତ୍ର ତାଙ୍କ ଦୁର୍ଭାଗ୍ୟକୁ ହାଇକୋର୍ଟରେ ମାମଲା ପଡ଼ିବା ପୂର୍ବରୁ କୃଷ୍ଣ ବନ୍ଧା ହୋଇଯାଇଥିଲେ ।
ଓଡ଼ିଶା କଂଜୁମର୍ କୋଅପରେଟିଭ ଫେଡ଼େରେସନ୍(ଓସିସିଏଫ)ର ସଭାପତି ଥିବା ବେଳେ ବିଜେପି ନେତା ଗୋଲକ ମହାପାତ୍ର କୋଟି କୋଟି ଟଙ୍କାର କୋଇଲା ଦୁର୍ନୀତିରେ ସଂପୃକ୍ତି ଅଭିଯୋଗ ଆସିଥିଲା । ଭିଜିଲାନସ୍ ତାଙ୍କ ସମେତ ୨୪ ଜଣ ଅଫିସର ଓ ବେପାରୀ(ଟ୍ରେଡ଼ର)ଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଗିରଫ ହେବା ଭୟରେ ଅନ୍ୟମାନଙ୍କ ସହ ଗୋଲକ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ । ଗୋଲକଙ୍କ ପକ୍ଷରୁ ହାଇକୋର୍ଟର ଜନୈକ ବରିଷ୍ଠ ଆଡଭୋକେଟ୍ କେସ୍ ଲଢ଼ିଥିଲେ । ୨୦୧୦ ଅଗଷ୍ଟ ୨୫ ତାରିଖରେ ଗୋଲକଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ୍ ମିଳିଥିଲା ।
ଗୋଲକ ତାଙ୍କ ୭ ବର୍ଷ ତଳର ଓକିଲ କନେକ୍ସନ୍ ବିଭତ୍ସ ହତ୍ୟା ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ କୃଷ୍ଣ ନାୟକଙ୍କ ପାଇଁ କାମରେ ଲଗାଇବାକୁ ଚାହିଁଥିବା ଏବେ ସୂଚନା ମିଳିଛି । ଫେରାର ଅଭିଯୁକ୍ତ କୃଷ୍ଣଙ୍କୁ ଆଇନ ସହାୟତା ଦେବାକୁ ସେ ଆଗଭର ହୋଇଥିଲେ । ନିଜର ତତ୍କାଳୀନ ଆଡଭୋକେଟ୍ ଙ୍କ ଦ୍ୱାରସ୍ଥ ହୋଇ କୃଷ୍ଣଙ୍କ ପାଇଁ ବେଲ୍ ପିଟିସନ୍ ଦାଖଲ କରାଇଥିବା ଜଣାପଡ଼ିଛି ।
କୃଷ୍ଣ ଆଗୁଆ ଜାମିନ୍ ଆବେଦନ କରିବାରେ ମନା ନ ଥିଲା । ତାଙ୍କ ଦଳର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ବି ଆଇନଗତ ସହଯୋଗ ଦେବାରେ ମନା ନ ଥିଲା । ମାତ୍ର ଯେହେତୁ ଲକ୍ଷ୍ମୀଦତ୍ତ ମର୍ଡର ପରେ କୃଷ୍ଣ ଫେରାର ହୋଇଯାଇଥିଲା ଏବଂ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ଼ ଥିଲା, ସେତିକି ବେଳେ ଗୋଲକ ମହାପାତ୍ରଙ୍କ ସହ ସେ ବାରମ୍ବାର ଯୋଗାଯୋଗରେ ରହିବା କଥାକୁ ସହଜରେ ଗ୍ରହଣ କରାଯାଉନି । ଭାଇରାଲ୍ ହୋଇଥିବା ଫୋନ୍ କଲ ରେକର୍ଡ କହୁଛି ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨୨ ମଧ୍ୟରେ ଗୋଲକ ଓ କୃଷ୍ଣ ୨୬ ଥର କଥା ହୋଇଛନ୍ତି । ସେମାନେ କ’ଣ କଥା ହେଉଥିଲେ ସ୍ୱାଭାବିକ ଭାବେ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ‘ଗୋଲକ ଭାଇନା’ ଙ୍କଠାରୁ ସେ ସାହାଯ୍ୟ ନେଉଥିଲେ ବୋଲି କୃଷ୍ଣ ମଧ୍ୟ ବୟାନ ଦେଇଛନ୍ତି । ଆଉ ଏହାକୁ ସତ ପ୍ରମାଣ କରି ତଥ୍ୟ ମିଳିଲାଣି, କୃଷ୍ଣଙ୍କୁ ଆଗୁଆ ଜାମିନ୍ ରେ ଆଣିବାକୁ ଗୋଲକ ସାହାଯ୍ୟ କରୁଥିଲେ । ଗୋଲକଙ୍କ ପାଖରୁ ଏ ନେଇ ପ୍ରତିକ୍ରିୟା ମିଳିପାରି ନ ଥିଲା ବେଳେ ତାଙ୍କର ସମର୍ଥକମାନେ ଏହାକୁ ଟାଳିଦେବାକୁ ଉଦ୍ୟମ କରିଛନ୍ତି । ଗୋଲକଙ୍କ ପୁରୁଣା ଆଡଭୋକେଟ୍ ଙ୍କ ଦ୍ୱାରା କୃଷ୍ଣର ବେଲ୍ ପିଟିସନ୍ ମୁଭ୍ କୁ ଏକ ସଂଯୋଗ ବୋଲି ସେମାନେ ସଫେଇ ଦେଇଛନ୍ତି ।