ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଧୁମାତ ପଞ୍ଚାୟତ ବୈଷ୍ଣବ ସାହିର ସବିତା ଦାସ ସ୍ୱାମୀଙ୍କୁ ହରାଇ ବେସାହାରା ହୋଇପଡ଼ିଥିବା ବେଳେ ଦୀର୍ଘ ଦିନ ଧରି କିଡ୍ନୀ ରୋଗରେ ପୀଡ଼ିତ ରହି ବହୁ କଷ୍ଟରେ ତିନି ସନ୍ତାନଙ୍କୁ ନେଇ ଚଳୁଛନ୍ତି । ମାଆ ରୋଗ ଶଯ୍ୟାରେ ଥିବାରୁ ଘର ଚଳାଇବା ପାଇଁ ତାଙ୍କର ୭ବର୍ଷର ପୁଅ ଶୁଭମ୍ ସାହି ସାହି ବୁଲି ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେଲା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିସ୍ ଫାଉଣ୍ଡେସନ୍ ସବିତାଙ୍କୁ ସହାୟତାର ହାତ ବଢ଼ାଇଛି ।
ଆଜି କିସ୍ ଫାଉଣ୍ଡେସନ୍ ପକ୍ଷରୁ ନଗଦ ୧୫ ହଜାର ଟଙ୍କା ସହ ଚାଉଳ, ଡାଲି, ଚୁଡା, ଚିନି, ସାବୁନ୍, ତେଳ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ସବିତାଙ୍କ ନିକଟରେ ପହଞ୍ଚାଇ ଦିଆଯାଇଛି । ସବିତାଙ୍କ ପରିବାର ଚଳିବା ପାଇଁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ମାସିକ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିବା ସହ ସବିତା ଚାହିଁଲେ ତାଙ୍କ ସାନ ଦୁଇ ପୁଅ ଝିଅ କିସ୍ ବାଲେଶ୍ୱରରେ ମାଗଣା ପାଠ ପଢ଼ିବା ବ୍ୟବସ୍ଥା କରାଯିବ । କରୋନା ଶେଷ ହେବା ପରେ କିସ୍-ବାଲେଶ୍ୱର ଖୋଲିଲେ ସେଠାରେ ସେମାନଙ୍କ ନାମଲେଖା ଯିବାର ବନ୍ଦୋବସ୍ତ କରାଯିବ । ଏହା ବ୍ୟତୀତ ତାଙ୍କର ଘର ନ ଥିବାରୁ ତାଙ୍କୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ବିଧାୟକ ଶ୍ରୀ ବେହେରା ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
ଏହା ଛଡ଼ା ସବିତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ କିସ୍ ଫାଉଣ୍ଡେସନ୍ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ସାମନ୍ତ ଓ କିସ୍ ପାଉଣ୍ଡେସନ୍ର ବଦାନ୍ୟତା ପାଇଁ ସବିତା ଓ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ କିସ୍ ଫାଉଣ୍ଡେସନ୍ର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।