ଭୁବନେଶ୍ୱର: ରାଉରକେଲା ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି କେନ୍ଦ୍ର ସରକାର ଏହି ସେତୁ ନିର୍ମାଣ ନ କରନ୍ତି ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହା ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ବିଧାୟକ ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ବିଚାର କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣୀ ସେତୁ ରାଜନୀତି ଜୋର୍ ଧରିଛି । ଗତ ୨୮ ତାରିଖରେ ରାଉରକେଲା ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କୁ ସମାଲୋଚନା କରିଥିଲେ । ସେମାନେ ରାଉରକେଲାବାସୀଙ୍କର ମଜାକ୍ ଉଡାଉଛନ୍ତି ବୋଲି କହିବାକୁ ପଛାଇ ନ ଥିଲେ । ଦିଲ୍ଲୀପଙ୍କର ଏଭଳି ଅସନ୍ତୋଷ ପଛରେ କାରଣ ବି ଥିଲା । ରାଉରକେଲାର ଏହି ଦୀର୍ଘ ଦିନର ଦାବିକୁ ଅବିଳମ୍ବେ ପୂରଣ ପାଇଁ ପ୍ରଧାନମନ୍ତ୍ରୀ ୨୦୧୫ ଏପ୍ରିଲ୍ ରେ ନିଜେ ରାଉରକେଲାରେ ପ୍ରତିଶ୍ରୁତି ଦେଇଯାଇଥିଲେ । ୫୫୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ବିଶିଷ୍ଟ ଏହି ସେତୁର ନିର୍ମାଣ କାର୍ଯ୍ୟ ଜୁନ୍ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ଗଡ଼କରୀ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ କହିଥିଲେ । ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ସେ ତାଙ୍କ ଉତ୍ତରରେ ଜଣାଇଥିଲେ । ଯାହାହେଉ, ଜୁଲାଇ ତୃତୀୟ ସପ୍ତାହରେ ବିଡ୍ ଖୋଲାଯିବା ପରେ ହାଇଦ୍ରାବାଦର ଜିକେସି ପ୍ରୋଜେକ୍ଟକୁ ୩୮୧ କୋଟି ୭୫ ଲକ୍ଷ ଟଙ୍କାରେ କାମ ମିଳିଛି । ଜୁଲାଇ ୨୧ରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ରାଉରକେଲା ଆସି ପ୍ରସ୍ତାବିତ ସେତୁର ଭୂମିପୂଜା କରିଥିଲେ ଏବଂ ୧୫ ଦିନରେ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇ ଫେରିଥିଲେ ।
ମାତ୍ର ୪ ମାସ ବିତିଗଲାଣି ପଛେ କାମର ସ୍ୱର ଶବ୍ଦ ନାହିଁ । କାମ ବିଳମ୍ବ ନେଇ ବିଧାୟକ ଦିଲ୍ଲୀପ ରାୟ ପ୍ରଧାନମନ୍ତ୍ରୀ ଓ ଗଡ଼କରୀଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ଫଳ ମିଳୁନି । ରାଉରକେଲାର ସ୍ୱାର୍ଥ ଓ ନିଜର ରାଜନୈତିକ କାଟତି ମାଡ ଖାଉଥିବାରୁ ଦିଲ୍ଲୀପ କ୍ଷୁବ୍ଧ ହୋଇପଡ଼ିଛନ୍ତି । ସହଜେ ରାଜ୍ୟ ବିଜେପିରେ ସେ ଅଲୋଡ଼ା ହୋଇଥିବାରୁ ତାଙ୍କ ବାଟ ଗାଳିବା ପାଇଁ ଦଳୀୟ ପ୍ରତିପକ୍ଷଙ୍କ ଏଥିରେ ଷଡ଼ଯନ୍ତ୍ର ରହିଥିବା କୁହାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରକୁ ବ୍ରାହ୍ମଣୀ ସେତୁ ପାଇଁ ବ୍ୟଗ୍ରତା ଦେଖାଉଥିଲେ ମଧ୍ୟ ଭିତରେ ଏହାକୁ ବିଳମ୍ବ କରାଇ ଦିଲ୍ଲୀପଙ୍କ ନିଦ ହଜାଇବାକୁ ଜାଲ ବିଛାଇଥିବା ଦିଲ୍ଲୀପଙ୍କ ସମର୍ଥକମାନେ ବିଶ୍ୱାସ କରୁଛନ୍ତି ।
ରାଉରକେଲାବାସୀଙ୍କ ଦୀର୍ଘଦିନର ଦାବି ରହିଥିବା ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବ ଓ ବିଜେପି ବିଧାୟକଙ୍କ ଖୋଲା ଅସନ୍ତୋଷରୁ ରାଜନୈତିକ ଫାଇଦା ଉଠାଇବାକୁ ବିଜେଡ଼ି ଉଦ୍ୟମ କରିଛି । ଏହି ଉଦ୍ୟମରେ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ମଙ୍ଗଳା କିଷାନ ଏକ ପ୍ରତିନିଧି ଦଳଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ଗମ୍ଭୀରତାର ସହ ନେବା ସେତୁ ରାଜନୀତିକୁ ସରଗରମ କରିଛି । ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଚତୁରତାର ସହ ଖେଳ ଖେଳିଛନ୍ତି । କେନ୍ଦ୍ର ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ କେନ୍ଦ୍ର ସହଯୋଗ ନ କଲେ ନିଜସ୍ୱ ଅର୍ଥରେ ରାଜ୍ୟ ସରକାର ଏହି ସେତୁ ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ବିଜେପିକୁ ଅଡୁଆରେ ପକାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଆଗକୁ ଆସିଛନ୍ତି । ଜମି ଅଧିଗ୍ରହଣରେ ସମସ୍ୟା ପ୍ରସଙ୍ଗ ଉଠାଇ ସେ ରାଜ୍ୟ ସରକାରଙ୍କ ଦୋଷ କାଢ଼ିବାକୁ ଉଦ୍ୟମ କରିବା ସହ ସେତୁ ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବାକୁ କେନ୍ଦ୍ର ସହ କଥାହେବେ ବୋଲି କହିଛନ୍ତି ।