ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକର ଖରାଛୁଟିକୁ ରାଜ୍ୟ ସରକାର ୨୫ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି । କେତେକ ଘରୋଇ ସ୍କୁଲ ଆଜି ଖୋଲିଥିବା ବେଳେ ଆସନ୍ତାକାଲି ସମସ୍ତ ସରକାରୀ ସ୍କୁଲ ଖୋଲିବାର ଥିଲା । ମାତ୍ର ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ଘରୋଇ ଓ ସରକାରୀ ସ୍କୁଲ ଆସନ୍ତା ୨୬ ତାରିଖ ଦିନ ଖୋଲିବ । ବିଭାଗର ପ୍ରମୁଖ ସଚିବଙ୍କ ଦସ୍ତଖତରେ ଆଜି ଏ ସଂକ୍ରାନ୍ତୀୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ଖରାଛୁଟି ବୃଦ୍ଧି ନେଇ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ସମୀର ଦାଶଙ୍କ ପାଖରେ ଖବର ନ ରହିବା ଚର୍ଚ୍ଚାର ବିଷୟ ହୋଇଛି । ଖରାଛୁଟି ବଢ଼ିଲା କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନରେ ମନ୍ତ୍ରୀ ନା ବୋଲି କହିଥିଲେ । ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଥିବା ଖବରଟି ଜାଲ୍ ଏବଂ ସେଥିରେ କୌଣସି ସତ୍ୟାସତ୍ୟ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜୁନ ୧୯ ତାରିଖରେ ସ୍କୁଲ ଖୋଲିବ ବୋଲି ଜଣାଇଥିଲେ। ତେବେ ମନ୍ତ୍ରୀଙ୍କ ବକ୍ତବ୍ୟର କିଛି ଘଣ୍ଟା ପରେ ଖରାଛୁଟି ୨୫ ତାରିଖ ଯାଏଁ ବୃଦ୍ଧି ହୋଇଥିବା ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ ।