ଭୁବନେଶ୍ୱର: ରାଜ୍ୟର ସଫଳ ଉଦ୍ୟୋଗୀ, ସାମ୍ବାଦିକ, ବୁଦ୍ଧିଜୀବୀ, ପୂର୍ବତନ ସାଂସଦ, ‘ସମ୍ବାଦ’ ସମ୍ବାଦକ, କନକ ଟିଭି ମାଲିକ, ‘ଆମ ଓଡ଼ିଶା’ ଅଧ୍ୟକ୍ଷ, ‘ଆମ ଓଡ଼ିଶା ପାର୍ଟି’ ସଭାପତି ସର୍ବୋପରି ବିଚକ୍ଷଣ ବ୍ୟକ୍ତିତ୍ୱର ଅଧିକାରୀ ସୌମ୍ୟରଂଜନ ପଟ୍ଟନାୟକଙ୍କର ଜନମାନସରେ ଆଉ ପୂର୍ବ ଚମକ ନାହିଁ । ରାଜନୀତିରେ ଅସ୍ଥିରତା ଓ ବିଫଳତାର ସ୍ୱାଦ ଚାଖି ଚାଲିଥିବା ସୌମ୍ୟଙ୍କର ନିଜସ୍ୱ ଟିଆରପି ଖସି ଖସି ଯାଉଛି । ନିକଟରେ ପାଳିତ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ସମାରୋହରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।
ସର୍ବପୁରାତନ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ୫୬ତମ ପ୍ରତିଷ୍ଠା ଦିବସ ସମାରୋହ ଗତ ୩୦ ତାରିଖରେ ବହୁ ଜାକଜମକରେ ବଲାଙ୍ଗୀରରେ ପାଳିତ ହୋଇଥିଲା । ସମାରୋହକୁ ତିନି ଜଣ ଅତିଥି ଆମନ୍ତ୍ରିତ ହୋଇଥିଲେ । ଜଣେ ମୁଖ୍ୟ ଅତିଥି, ଜଣେ ମୁଖ୍ୟବକ୍ତା ଓ ଜଣେ ସମ୍ମାନିତ ଅତିଥି । ସାଧାରଣତଃ କୌଣସି ସଭା ପାଇଁ ପ୍ରତିଷ୍ଠା ଓ ବ୍ୟକ୍ତିତ୍ୱର ମାପକାଠିରେ ଅତିଥି ଚୟନ କରାଯାଇଥାଏ । ସେହି ମାପକାଠି ବିଚାରରେ ତଳକୁ ତଳ ରହନ୍ତି ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି । ବଲାଙ୍ଗୀର ସାମ୍ବାଦିକ ସଂଘ ସମାରୋହରେ ସୌମ୍ୟ ପଟ୍ଟନାୟକଙ୍କୁ ମିଳିଥିଲା ସମ୍ମାନିତ ଅତିଥି ଆମନ୍ତ୍ରଣ । ଅର୍ଥାତ୍ ଗେଷ୍ଟ ମେରିଟ୍ ଲିଷ୍ଟ୍ ରେ ସେ ଥିଲେ ତୃତୀୟରେ । ବାଚସ୍ପତି ପ୍ରଦୀପ ଅମାତ୍ ଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା ବେଳେ ମୁଖ୍ୟବକ୍ତା ଭାବେ ଆମନ୍ତ୍ରିତ ହୋଇଥିଲେ ବରିଷ୍ଠ ସାମ୍ବାଦିକ ତଥା କନକ ଟିଭି, ଜୀ କଳିଙ୍ଗ ଟିଭି ଓ ଇଟିଭି ଚାନେଲ୍ ର ପୂର୍ବତନ ମୁଖ୍ୟ ସତ୍ୟପ୍ରକାଶ ନାୟକ । ସୁତରାଂ ଗେଷ୍ଟ ମେରିଟ୍ ଲିଷ୍ଟରେ ସୌମ୍ୟଙ୍କ ଉପରେ ରହିଥିଲେ ସତ୍ୟପ୍ରକାଶ ।
ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ମାନିତ ଅତିଥି ଆମନ୍ତ୍ରଣକୁ ସୌମ୍ୟବାବୁ କିନ୍ତୁ ନାକ ନ ଟେକି ନିଜ ମହାନତାର ପରିଚୟ ଦେଇଥିଲେ । ବିନା ଦ୍ୱିଧାରେ ଆମନ୍ତ୍ରଣ ରକ୍ଷା କରି ସେଦିନର ସଭାରେ ଯୋଗଦେଇଥିଲେ । ସେ ଯାହା ହେଉ ନା କାହିଁକି, ଓଡ଼ିଆ ସାମ୍ବାଦିକତାକୁ ନୂଆ ଦିଶା ଦେଇଥିବା ସୌମ୍ୟରଂଜନଙ୍କର ଗୁରୁତ୍ୱ ଯେ କମିଛି ତାହା ସେଦିନର ଅତିଥି ଚୟନରୁ ସ୍ପଷ୍ଟ ହୋଇଥିଲା । ଖାଲି ସେତିକି ନୁହେଁ, ସୌମ୍ୟଙ୍କ ଭାଷଣ ଶୁଣିବାକୁ ସାମ୍ବାଦିକଙ୍କର ଆଗ୍ରହ ବି ନ ଥିଲା । ଓଲଟି ସାମ୍ବାଦିକଙ୍କର ମୁଖ୍ୟ ଆକର୍ଷଣ ଥିଲେ ସତ୍ୟପ୍ରକାଶ । ସମ୍ମାନିତ ଅତିଥି ସୌମ୍ୟ ବି ବେଶ୍ ଉତ୍କଣ୍ଠାର ସହ ଶୁଣିଥିଲେ ତାଙ୍କ ପୂର୍ବତନ କର୍ମଚାରୀ ସତ୍ୟଙ୍କ ଭାଷଣ ।
Continue Reading