କରୋନା ମହାମାରୀର ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ସାରା ବିଶ୍ୱ ବ୍ୟସ୍ତ । ଦିନ ରାତି ଏକ୍ କରି ଦେଇ ଗବେଷଣାରେ ମାତିଛନ୍ତି ବୈଜ୍ଞାନିକ ଓ ଗବେଷକ । ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଟୀକା ପ୍ରସ୍ତୁତ ହେଲାଣି । କିନ୍ତୁ ସେସବୁ ସଫଳ ହୋଇନି । ତେବେ ଏସବୁ ଭିତରେ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ଡେଭଲପମେଣ୍ଟ ହୋଇଛି । ଯଦି କରୋନାର ପ୍ରତିଷେଧକ ଟୀକା ବାହାରେ, ତେବେ ଏହା ସମସ୍ତଙ୍କ ପାଇଁ ମାଗଣା କରାଯିବା ଉଚିତ । ଏହା ସମ୍ପୂର୍ଣ୍ଣ ପାଟେଣ୍ଟ୍ ଫ୍ରି ରହିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ନିର୍ଦ୍ଧାରଣ କରୁଥିବା ବିଭାଗ, ୱାର୍ଲଡ୍ ହେଲ୍ଥ ଆସେମ୍ୱ୍ଲି ଏହି ନିଷ୍ପତ୍ତି ନେଇଛି ।
ଯେଉଁଥିରେ ବିଶ୍ୱର ବିଭିନ୍ନ ଦେଶର ପୂର୍ବତନ ଏବଂ ବର୍ତ୍ତମାନ କ୍ଷମତାରେ ଥିବା 140 ଜଣ ନେତା ସ୍ୱାକ୍ଷର କରିଛନ୍ତି । ଏହି ସ୍ୱାକ୍ଷରକାରୀଙ୍କ ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଅଛନ୍ତି । ସ୍ୱାକ୍ଷରନାମାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯେଉଁ ଦେଶ ପ୍ରଥମେ ଟୀକା ପ୍ରସ୍ତୁତ କରୁନା କାହିଁକି, ସମସ୍ତ ଦେଶକୁ ତାର ବୈଜ୍ଞାନିକ ଜ୍ଞାନ କୌଶଳ ପ୍ରଦାନ କରିବାକୁ ବାଧ୍ୟ । ଦେଶ ଯେତେ ଗରିବ ହୋଇଥାଉ କିମ୍ବା ତାର ଅବସ୍ଥିତି ଯେଉଁଠି ବି ଥାଉ, କାହାକୁ ଯେମିତି ଟୀକା ପାଇଁ ଧାଡ଼ିରେ ଛିଡ଼ା ହେବାକୁ ନପଡ଼େ ।
କରୋନାର ପ୍ରତିଷେଧକ ଟୀକା ଉଦ୍ଭାବନ, ନିକଟ ଭବିଷ୍ୟତରେ ସମ୍ଭବ ହେଲା ଭଳି ଲାଗୁନି । କରୋନା ଭୂତାଣୁ ହିଁ ମାନବ ସମାଜରେ ସବୁଦିନ ପାଇଁ ରହିପାରେ ବୋଲି ନିକଟରେ କହିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ କରୋନାରୁ ଦୂରେଇ ରହିବାକୁ ହେଲେ ବ୍ୟକ୍ତିଗତ ସଚେତନତା ଓ ସଂଯମତା ଉପରେ WHO ଗୁରୁତ୍ୱ ଦେଇଥିଲେ ।
ଟୀକା ଉଦ୍ଭାବନ ସଫଳ ହେଲେ, ଫ୍ରାନ୍ସର ପ୍ରମୁଖ ଫାର୍ମାସ୍ୟୁଟିକାଲ୍ କମ୍ପାନି ସାନୋଫି, ତାର ପ୍ରଥମ ସିପମେଣ୍ଟ୍ ଆମେରିକାକୁ ପଠାଇବ ବୋଲି କହିଲାଣି । ଆମେରିକା ଟୀକା ପ୍ରସ୍ତୁତି ପାଇଁ ପାଣ୍ଠି ଯୋଗାଇ ଦେଉଥିବାରୁ କମ୍ପାନି ମୁଖ୍ୟ କାର୍ଯ୍ୟନିର୍ବାହୀ ପଲ୍ ହଡସନ୍ ଏମିତି କହିଛନ୍ତି । ଆଉ ଏହା ଶୁଣିବା ପରେ ୱାର୍ଲଡ୍ ହେଲ୍ଥ ଆସେମ୍ୱ୍ଲି, ଏଭଳି ସ୍ୱାକ୍ଷରନାମା କରାଇଛି । ତେବେ ଭାରତ, ଆମେରିକା ଏବଂ ଫ୍ରାନ୍ସ ଆଦି କିଛି ଦେଶ ବର୍ତ୍ତମାନ ସୁଦ୍ଧା ଏଥିରେ ସ୍ୱାକ୍ଷର କରି ନଥିବା ଜଣାପଡ଼ିଛି ।
(ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ)