ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଗଗନ କୁମାର ଧଳଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ସମତୁଲ୍ୟ କରି ମନାଇଛନ୍ତି । ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫଡିସି)ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ୧୯୮୫ ବ୍ୟାଚ୍ ର ଏହି ବରିଷ୍ଠ ଅଧିକାରୀ ଗତକାଲି ଚାକିରିରୁ ଇସ୍ତଫା ଦେଇ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ତାଙ୍କଠାରୁ ଜୁନିୟର୍ ଅସିତ୍ କୁମାର ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବା ପରେ ସେ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ତେବେ ତାଙ୍କୁ ମୁଖ୍ୟ ଶାସନ ସଚିବ ସମତୁଲ୍ୟ କରି ରାଜ୍ୟ ସରକାର ତାଙ୍କ ଅସନ୍ତୋଷ ଦୂର କରିବାକୁ ଚେଷ୍ଟା କରିଛନ୍ତି । ଓଏଫଡିସି ପଦକୁ ମୁଖ୍ୟ ଶାସନ ସଚିବର ମର୍ଯ୍ୟାଦା ଓ ଦାୟିତ୍ୱ ଦିଆଯାଇଛି ।
ଏଥିସହ ବରିଷ୍ଠ ଆଇଏଏସ୍ ସ୍ତରରେ ପୁଣି ଏକ ଅଦଳବଦଳ କରାଯାଇଛି । ଗଗନ ଧଳଙ୍କ ଜାଗାରେ କୃଷି ଉତ୍ପାଦନ କମିଶନର ଭାବେ ନିଯୁକ୍ତି ପାଇଥିବା ପ୍ରଦୀପ୍ତ କୁମାର ମହାପାତ୍ର ଗଣଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ପୂର୍ବଭଳି ଦାୟିତ୍ୱରେ ରହିବେ । ଏହା ତାଙ୍କ ପାଇଁ ଅତିରିକ୍ତ ଦାୟିତ୍ୱ ରହିବ । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଡ. ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ବିଭାଗର ସଚିବ ଥିଲେ ଉନ୍ନୟନ କମିଶନର ଭାବେ ନିଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର । ଶିଲ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ଦାୟିତ୍ୱରେ ଗୃହ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।
ଆଇଆରଟିଏସ୍ ଅଧିକାରୀ ତଥା ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱରେ ଇଟି ଏବଂ ଆଇଟି ବିଭାଗର ଭାରପ୍ରାପ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଆଇଟିଏସ୍ ଅଧିକାରୀ ତଥା ଇଟି ଏବଂ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ରୁଦ୍ର ନାରାୟଣ ପଲାଇଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ପଦରେ ନିଯୁକ୍ତି ଦିଆଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ନୂତନ ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି ।