ଭୁୁବନେଶ୍ୱର: ରାଜ୍ୟ ସରକାର ଗଠନ କରିଛନ୍ତି ଓବିସି କମିଶନ । ଏହାର ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଘୁନାଥ ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଫେସର ନବନୀତା ରଥ, ପ୍ରଫେସର ଡ. ମିତାଲି ଚିନରା ଏବଂ ଡ. ପ୍ରସନ୍ନ କୁମାର ପାତ୍ରଙ୍କୁ କମିଶନ ସଦସ୍ୟ କରାଯାଇଛି । ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ସଦସ୍ୟ ସଚିବ ଭାବେ ମନୋନୀତ କରାଯାଇଛି ।
ଓବିସି କମିଶନ ର ନବନିଯୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ରଘୁନାଥ ବିଶ୍ୱାଳ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଅବସର ନେଇଛନ୍ତି । ୨୦୧୨ ନଭେମ୍ବରରୁ ୨୦୧୭ ମାର୍ଚ୍ଚ ଯାଏଁ ଓସିଡିଆରସି ଅଧ୍ୟକ୍ଷ ଥିଲେ । କମିଶନର ଅନ୍ୟ ତିନି ସଦସ୍ୟ ପ୍ରଫେସର ପ୍ରଫେସର ଡକ୍ଟର ନବନୀତା ରଥ, ପ୍ରଫେସର ଡ. ମିତାଲି ଚିନରା ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଉକ୍ରଳ ବିଶ୍ୱବିଦ୍ୟାଳୟର ଯଥାକ୍ରମେ ସୋସିଓଲୋଜି, ଆପ୍ଲାଏଡ଼ ଇକୋନମିକସ୍ ଏବଂ ଆନ୍ଥୋ୍ରପୋଲୋଜି ବିଭାଗରେ ବର୍ତ୍ତମାନ କାର୍ଯ୍ୟରତ । ନିଜ ନିଜ କ୍ଷେତ୍ରରେ ସେମାନଙ୍କର ବିଶେଷ ଦକ୍ଷତା ଓ ଗବେଷଣା ରହିଛି ।
ଓଡ଼ିଶା ରାଜ୍ୟ ଓବିସି ଆକ୍ଟ ୧୯୯୩ ର ପ୍ରାବଧାନ ଅନୁଯାୟୀ ସରକାର ଏହି କମିଶନ ଗଠନ କରିଛନ୍ତି ।
ସୂଚନାଯୋଗ୍ୟ, ଓବିସି ବର୍ଗଙ୍କ ପ୍ରତି ରାଜ୍ୟ ସରକାର ସହନଶୀଳ ନୁହେଁ ବୋଲି ଓଡ଼ିଶା ଗସ୍ତରେ ଆସିଥିବା ଓବିସି ଜାତୀୟ କମିଶନ ଅଧ୍ୟକ୍ଷ ଭଗବାନ ଲାଲ୍ ସାହାନୀ ଗତକାଲି ସରକାରଙ୍କୁ ସମାଲୋଚନା କରିଥିଲେ । ଓବିସି କମିଶନ ଗଠନରେ ସରକାରଙ୍କ ବିଳମ୍ବକୁ ନେଇ ମଧ୍ୟ ସମାଲୋଚନା କରିଥିଲେ ।