ଭୁବନେଶ୍ୱର: ବିଭିନ୍ନ ଗଣମାଧ୍ୟମରେ ବାହାରିଥିବା କଂଗ୍ରେସ ପ୍ରାର୍ଥୀ ତାଲିକା ଜାଲ୍ ବା ନକଲି । ନିଜ ମନରୁ କେହି ଏହି ତାଲିକାଟି ପ୍ରସ୍ତୁତ କରି ବାହାରକୁ ଛାଡ଼ିଛନ୍ତି । ଏଥିରେ କୌଣସି ସତ୍ୟତା ନାହିଁ । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି । ଦଳର ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି, ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ଏକ ଫେକ୍ ନୁ୍ୟଜ୍ ମାର୍କେଟ୍ ରେ ବୁଲୁଛି । କଂଗ୍ରେସ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇନାହିଁ କି କୌଣସି ଗଣମାଧ୍ୟମକୁ ଦିଆଯାଇନାହିଁ । ତେଣୁ ଏହା ଉପରେ ବିଶ୍ୱାସ ନ କରିବାକୁ ସେ ଅନୁରୋଧ କରିଛନ୍ତି ।
ଶ୍ରୀ ନାୟକ କହିଛନ୍ତି, ଗତକାଲି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ ବସି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଛି । ୨୧ ଟି ଲୋକସଭା ଓ ୧୪୭ ଟି ବିଧାନସଭା ଆସନ ପାଇଁ ଏକାଧିକ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ତାଲିକା ପ୍ରସ୍ତୁତ ହୋଇଛି । କେନ୍ଦ୍ରୀୟ କମିଟି ଏହା ଉପରେ ତର୍ଜମା କରିବା ପରେ ଏଆଇସିସି ଚୂଡ଼ାନ୍ତ ନିଷ୍ପତ୍ତି ନେବ । ତେଣୁ କୌଣସି କିମ୍ବା ଗୁଜବ ଜାଲ୍ ପ୍ରାର୍ଥୀ ତାଲିକା ବିଶ୍ୱାସକୁ ନ ନେବାକୁ ଦଳ ପକ୍ଷରୁ ସେ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ, କଂଗ୍ରେସର ଏକ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଗତକାଲିଠାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହେଉଛି । ଆଜି ବିଭିନ୍ନ ଖବରକାଗଜରେ ମଧ୍ୟ ଏହି ତାଲିକା ପ୍ରକାଶ ପାଇଛି । କିଛି ଦିନ ତଳେ ବିଜେଡ଼ିର କାହାର ଟିକେଟ କଟୁଛି ତାହାର ଏକ ତାଲିକା ଅଡ଼ିଓ ରୂପରେ ଭାଇରାଲ୍ ହୋଇଥିଲା । ମାତ୍ର ଏହା ଏକ ଜାଲ୍ ଅଡ଼ିଓ ବୋଲି ବିଜେଡ଼ି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ସେହିଭଳି ବିଜେପିର ଏକ ଲୋକସଭା ପ୍ରାର୍ଥୀ ତାଲିକା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହୋଇଛି । ତେବେ ଏଥିରେ ସତ୍ୟାସତ୍ୟ ନ ଥିବା କୁହାଯାଉଛି ।
ଏଠରେ ଜଣାଇଦେଉଛୁ ଯେ ‘ମିଡ୍ ଡ଼େ ଓଡ଼ିଶା’ କଂଗ୍ରେସର ଏହି ନକଲି ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ । ଗତକାଲି ନିର୍ବାଚନ କମିଟି ବୈଠକ ସରିଲା କ୍ଷଣି ‘ମିଡ୍ ଡ଼େ ଓଡ଼ିଶା’ ପାଖରେ ଏହି ତାଲିକା ପହଞ୍ଚଞ୍ଚି ଥିଲେ ମଧ୍ୟ ଏହା ଜାଲ୍ ବୋଲି ଅନୁସନ୍ଧାନରୁ ଜଣାପଡ଼ିଥିଲା । ଅନୁରୂପ ଭାବେ ଭାଇରାଲ୍ ହୋଇଥିବା ବିଜେଡ଼ି ଏବଂ ବିଜେପି ପ୍ରାର୍ଥୀ ତାଲିକାର ସତ୍ୟାସତ୍ୟ ଉପରେ ସନେ୍ଦହ କରି ତାହାକୁ ମଧ୍ୟ ପ୍ରକାଶ କରି ନ ଥିଲୁ ।