ଭୁବନେଶ୍ୱର: ଭୁବନେଶ୍ୱରର ଦୁଇଟି ନାମୀ ସୁନାଗହଣା ଦୋକାନରେ ଲାଗିଛି ପ୍ରଭାବଶାଳୀ ପୁଲିସ ହାକିମଙ୍କ ଟଙ୍କା । ବର୍ଷ ବର୍ଷ ଧରି ନିଜର ରୋଜଗାରକୁ ସେମାନେ ଏହି ବେପାରରେ ଖଟାଇଛନ୍ତି । ସେଥିରୁ ଲାଭ ଆକାରରେ ଆସୁଛି ବାର୍ଷିକ କୋଟି କୋଟି ଟଙ୍କା । ଏଥିସହ ଭୁବନେଶ୍ୱରର କିଛି ବଡ଼ ବଡ଼ ରିଅଲ୍ ଇଷ୍ଟେଟ୍ ରେ ଲାଗିଛି ପ୍ରଭାବଶାଳୀ ବାବୁଙ୍କ ଟଙ୍କା । ଏବେକୁ ରିଅଲ୍ ଇଷ୍ଟେଟ୍ ବେପାର ଧିମେଇ ଯାଇଥିଲେ ମଧ୍ୟ ସେମାନଙ୍କୁ ଫରକ୍ ପଡ଼ିନି । ଗୁଇନ୍ଦା ସୂତ୍ରରୁ ଏଭଳି ସୂଚନା ପାଇ ରାଜ୍ୟ ସରକାର ସଜାଗ ହୋଇଛନ୍ତି । ସଂପୃକ୍ତ ବାବୁମାନଙ୍କ ଉପରେ ସରକାର ତୀକ୍ଷ୍ମ ନଜର ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ସେହି ବାବୁମାନେ କିଏ ତାହାକୁ ନେଇ ବିଭିନ୍ନ ମହଲରେ ଉତ୍ସୁକତା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ପରେ ଭୁବନେଶ୍ୱରରୁ ଏକ ନାମୀ ଗହଣା ଦୋକାନରୁ ଏହାର ଚେର ମିଳିଥିଲା । ଦୋକାନ ସଟର୍ ବାହାରୁ ବନ୍ଦ ଥାଇ ଭିତରେ ଜଣେ ମହିଳା ସୁନା କିଣୁଥିବା ବେଳେ ଧରାପଡ଼ିଥିଲେ । ସଂପୃକ୍ତ ମହିଳାଜଣଙ୍କ ଜଣେ ଆଇପିଏସ୍ ଅଫିସରଙ୍କ ପତ୍ନୀ ବୋଲି ଚର୍ଚ୍ଚା ହୋଇଥିଲା । ପୁଲିସ ମାମଲାକୁ ରଫାଦଫା କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ କରିଥିବା ଜଣାପଡ଼ିଛି । ସେଥିରୁ ଅନେକ ସଙ୍ଗୀନ କାରବାରର ସନ୍ଧାନ ମିଳିଥିବା ଜଣେ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ନିର୍ଦ୍ଦିଷ୍ଟ ଭାବେ ଭୁବନେଶ୍ୱରର ଦୁଇଟି ନାମୀ ସୁନାଗହଣା ଦୋକାନରେ ୨ ଜଣ ପୁଲିସ ହାକିମଙ୍କ ଟଙ୍କା ଲାଗିଥିବା ବେଳେ ରିଅଲ୍ ଇଷ୍ଟେଟ୍ ବେପାରରେ ୩ ଜଣ ବ୍ୟୁରୋକ୍ରାଟ୍ ଙ୍କ ଟଙ୍କା ଲାଗିଥିବା ସେ ସୂଚନା ଦେଇଛନ୍ତି ।
ଖାଲି ସେତିକି ନୁହେଁ, ଏହି ଘରୋଇ ଗହଣା ଦୋକାନର ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିବା ଏକ ବାହାର ସଂସ୍ଥାର ଗହଣା ଦୋକାନ ଉପରେ ସେମାନଙ୍କ ଆଖିପଡ଼ିଛି । ନିଜ ବେପାରରେ କଣ୍ଟା ସାଜିଥିବା ଏହି ଦୁଇ ଘରୋଇ ସଂସ୍ଥା ସଂପୃକ୍ତ ବାହାର ସଂସ୍ଥାକୁ ନାଲିଆଖି ଦେଖାଇ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି । ପ୍ରଭାବଶାଳୀ ବାବୁଙ୍କ ଛତ୍ରଛାୟା ତଳେ ଏହା ଚାଲୁଛି ବୋଲି ଅଭିଯୋଗ ହୋଇଥିବାରୁ ରାଜ୍ୟ ସରକାର ଖୋଳତାଡ଼ ଆରମ୍ଭ କରିଥିବା ସଂପୃକ୍ତ ଅଧିକାରୀ କହିଛନ୍ତି । ସଂପୃକ୍ତ ହାକିମ ଏବଂ ବାବୁମାନଙ୍କ ସାଧୁତା ଓ ବିଶ୍ୱସନୀୟତା ଉପରେ ସରକାରଙ୍କର ବହୁ ପୂର୍ବରୁ ସନ୍ଦେହ ଥିବା ସେ ସୂଚନା ଦେଇଛନ୍ତି ।