ପୁନେ: ଖାଲି ସଫଳତାରେ ବାହାବା ନେଲେ ହେବ ନାହିଁ । ନିର୍ବାଚନରେ ଦଳର ପରାଜୟ ପାଇଁ ନେତୃତ୍ୱ ନିଜ ଉପରକୁ ଦାୟିତ୍ୱ ନେବା ଉଚିତ୍ । ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ବିଜେପିର ବିଫଳତା ଓ ୩ଟି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଦଳର ପରାଜୟ ପରିପ୍ରେକ୍ଷୀରେ ଏହି ମନ୍ତବ୍ୟ ଦେଇଛନ୍ତି ଦଳର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ । ‘ସଫଳତାରେ ବାହାବା ନେବା ପାଇଁ ଟଣାଓଟରା । ହେଲେ ବିଫଳତାରେ ଦାୟିତ୍ୱ ମୁଣ୍ଡାଇବାକୁ କେହି ଇଚ୍ଛୁକ ନୁହଁନ୍ତି’ ବୋଲି ଗଡ଼କରୀ କଟାକ୍ଷ କରିଛନ୍ତି । ଗଡ଼କରୀଙ୍କ ଏହି ମନ୍ତବ୍ୟ ବିଜେପି ଶିବିରରେ ନିଆଁ ଲଗାଇ ଦେଇଛି ।
ଗତକାଲି ପୁନେଠାରେ ଜିଲ୍ଲା ଅର୍ବାନ କୋଅରେଟିଭ୍ ବ୍ୟାଙ୍କ ସଂଘର ଏକ ଉତ୍ସବରେ ଯୋଗଦେଇ ଗଡ଼କରୀ କହିଛନ୍ତି, ସଫଳତାର ଅନେକ ବାପା । କିନ୍ତୁ ବିଫଳତା ଏକ ଅନାଥ ଛୁଆ । ନିର୍ବାଚନରେ ସଫଳ ହେଲେ ଏହାର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ହେଉଛି । କିନ୍ତୁ ବିଫଳ ହେଲେ ପରଷ୍ପର ଉପରକୁ ଦୋଷ ଠେଲାଠେଲି ହେଉଛି । ନିର୍ବାଚନ ପରାଜୟକୁ ବିନମ୍ରତାର ସହ ଗ୍ରହଣ କରି ଏହାର ଦାୟିତ୍ୱ ମୁଣ୍ଡାଇବା ନେତୃତ୍ୱର ବୃତ୍ତି ହେବା ଦରକାର । ଏହା ହେଲେ ଯାଇ ଦଳ କିମ୍ବା ସଂଗଠନ ପ୍ରତି ଆନୁଗତ୍ୟର ପ୍ରମାଣ ମିଳିବ । ନଚେତ୍ ଦଳ ପ୍ରତି ବିଶ୍ୱାସଘାତକତା କୁହାଯିବ ବୋଲି ଗଡ଼କରୀ କହିଥିଲେ ।
ଗଡ଼କରୀ ପୁଣି କହିଥିଲେ ଯେ ଲୋକସଭା କିମ୍ବା ବିଧାନସଭାରେ ପରାଜିତ ପ୍ରାର୍ଥୀ ଅନେକଗୁଡ଼ିଏ ଅଭିଯୋଗ ଉଠାନ୍ତି । ଦଳଠାରୁ ସେମାନେ ଉପଯୁକ୍ତ ସାହାଯ୍ୟ, ସହଯୋଗ ପାଇନାହାନ୍ତି ବୋଲି ଅଭିଯୋଗ ଆସେ । ମାତ୍ର ଏହା ସତ ଯେ ଜଣେ ପ୍ରାର୍ଥୀଙ୍କ ପରାଜୟ ପାଇଁ ସଂପୃକ୍ତ ଦଳର ଯେତିକି ଭୂମିକା, ନିଜେ ପ୍ରାର୍ଥୀ ଭୋଟରଙ୍କ ଆସ୍ଥାଭାଜନ ହୋଇ ନ ପାରିବା ପରାଜୟର କାରଣ ।
୩ ଟି ରାଜ୍ୟରେ ବିଜେପି ପରାଜିତ ହୋଇ କ୍ଷମତା ହରାଇବା ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ତେବେ ଦଳର ଏହି ପରାଜୟ ପାଇଁ ବିଜେପି ନେତୃତ୍ୱ ଦାୟିତ୍ୱ ମୁଣ୍ଡାଇବାକୁ ରାଜି ନାହାନ୍ତି ଯାହା ସ୍ପଷ୍ଟବାଦୀ ଗଡ଼କରୀଙ୍କ ବୟାନରୁ ସ୍ପଷ୍ଟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏହି ନିର୍ବାଚନରୁ କିଛି ଶିକ୍ଷାଲାଭ କରିଥିବା ନିଶ୍ଚିତ ଭାବେ ଗଡ଼କରୀ ଅନୁଭବ କରିନାହାନ୍ତି । ଏପଟେ ତାଙ୍କ ଦଳର ଅନ୍ୟ ନେତା ଓ ମନ୍ତ୍ରୀମାନେ ବାରମ୍ବାର କହିଆସୁଛନ୍ତି ଯେ ଏହି ନିର୍ବାଚନ ଫଳାଫଳ ସହ କେନ୍ଦ୍ରରେ ମୋଦୀ ସରକାରଙ୍କ ଶାସନର କୌଣସି ସମ୍ପର୍କ ନାହିଁ । ମାତ୍ର ଦଳୀୟ ନେତାଙ୍କ ଏଭଳି ଧାରଣା ଭୁଲ୍ ବୋଲି ଗଡ଼କରୀ ଜଣାଇଦେବାକୁ ଚାହିଁଛନ୍ତି । ନିଜର ଦୋଷ ତ୍ରୁଟି ସ୍ୱୀକାର କରି ଆଗକୁ ବଢ଼ିଲେ ଯାଇ ଲୋକଙ୍କ ବିଶ୍ୱାସ ଫେରାଇ ଆଣିହେବ ବୋଲି ତାଙ୍କ ବୟାନରେ ଇସାରା ଦେଇଛନ୍ତି ଗଡ଼କରୀ ।