ଭୁବନେଶ୍ୱର: ଓଡ଼ିଶା ଶିଳ୍ପଜଗତର ଭୀଷ୍ମ ପିତାମହ ଭାବେ ପରିଚିତ ଡ. ବଂଶୀଧର ପଣ୍ଡା ଆଉ ଇହଧାମରେ ନାହାନ୍ତି । ଆଜି ସାଢ଼େ ଏଗାରଟା ବେଳେ ଭୁବନେଶ୍ୱରର ବମିଖାଲ ବାସଭବନଠାରେ ସେ ଆଖି ବୁଜିଦେଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଇମ୍ଫା ଗ୍ରୁପ୍ ର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ଖାଲି ରାଜ୍ୟ ନୁହେଁ ଦେଶ ବିଦେଶରେ ଜଣେ ଶିଳ୍ପପତି ଭାବେ ସୁନାମ ଅର୍ଜନ କରିଥିଲେ । ଶିଳ୍ପପତି ସହ ସେ ଜଣେ ବୈଜ୍ଞାନିକ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
୧୯୩୨ ମସିହା ନଭେମ୍ବର ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ବଂଶୀଧର । ପିଲାଦିନୁ ଜଣେ ମେଧାବୀ ଛାତ୍ର ଭାବେ ସେ ଜଣାଶୁଣା ଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବା ପରେ ହାର୍ଭଡା ଏବଂ ମିଚିଗାନ୍ ଟେକନୋଲୋଜିକାଲ୍ ୟୁନିଭରସିଟିରୁ ଡିଗ୍ରୀ ଓ ଡକ୍ଟରେଟ୍ ହାସଲ କରିଥିଲେ । ଜଣେ ବୈଜ୍ଞାନିକ ଭାବେ କାମ ଆରମ୍ଭ କରିଥିବା ବଂଶୀଧର ପରବର୍ତ୍ତୀ ସମୟରେ ଶିଳ୍ପଜଗତରେ ପ୍ରବେଶ କରିଥିଲେ । ୧୯୬୧ ମସିହାରେ ସେ ଇମଫା ଗ୍ରୁପ୍ ପ୍ରତିଷ୍ଠା କରିଥିଲେ । ଜଣେ ସଫଳ ଶିଳ୍ପପତି ଭାବେ ବଂଶୀଧର ଦେଶ ବିଦେଶରେ ବେଶ୍ ନାଁ କମାଇଥିଲେ । ଉତ୍କଳ ଚାମ୍ବର ଅଫ କମର୍ସର ସେ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ପତ୍ନୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଇଲା ପଣ୍ଡାଙ୍କର ୨୦୦୫ ମସିହାରୁ ଦେହାନ୍ତ ହୋଇଯାଇଛି । ତାଙ୍କର ଦୁଇପୁତ୍ର ଓ ଗୋଟିଏ ଝିଅ ଅଛନ୍ତି । ସାଂସଦ ବୈଜୟନ୍ତ ପଣ୍ଡା ହେଉଛନ୍ତି ତାଙ୍କର ବଡ଼ପୁଅ ।