ଭୁବନେଶ୍ୱର: ସୋନିର ବିଭିନ୍ନ ଚାନେଲକୁ ଚୋରି କରି ପ୍ରସାରଣ କରୁଛି ଓରଟେଲ୍ । ସୋନି ନେଟୱାର୍କ ପକ୍ଷରୁ ଏହି ଅଭିଯୋଗ ଆସିଛି । ଥାନାରେ ଏତଲା ମଧ୍ୟ ହୋଇଛି । ଗତକାଲି ରାତିରେ ସୋନି ବ୍ରଡକାଷ୍ଟ ପ୍ରଚାର ପ୍ରସାର ମୁଖ୍ୟ ଶିବପ୍ରସାଦ ଦତ୍ତା ଓ ସହଯୋଗୀ ପ୍ରଦୀପ ଭଦ୍ରା ଚନ୍ଦ୍ରଶେଖରପୁର ଥାନାରେ ଓରଟେଲ୍ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ସେବା ପ୍ରଦାନରେ ଗୁରୁତର ଅବହେଳା, ଗ୍ରାହକଙ୍କୁ ଧମକ ଚମକ ଦେବାର ଅପବାଦରେ ଛନ୍ଦି ହୋଇଥିବା ଓରଟେଲ୍ କମ୍ୟୁନିକେସନ୍ ଏବେ ଅନ୍ୟର ନେଟୱାର୍କ ଚୋରାଇ ପ୍ରସାରଣ କରିବା ଭଳି ଅଭିଯୋଗ କମ୍ପାନୀର ମୁଖା ଖୋଲିଦେଇଛି ।
ମାମଲାରୁ ଜଣାପଡ଼ିଛି, ଓରଟେଲ୍ ର ପ୍ରସାରଣ ଶାଖା ଯଥା ଓରଟେଲ୍ କେବୁଲ୍, ଓରଟେଲ୍ ବ୍ରଡବ୍ୟାଣ୍ଡ ବ୍ରଡକାଷ୍ଟ, ଓରଟେଲ୍ କେବୁଲ୍ ଟିଭି ଓ ଓରଟେଲ୍ ଡିଜିଟାଲ୍ ଟିଭିରେ ପ୍ରସାରିତ ହେଉଥିବା ସୋନିର ବିଭିନ୍ନ ଚାନେଲ୍ ର ପ୍ରସାରଣ ଚୁକ୍ତିର ମିଆଦ ଗତ ମାର୍ଚ୍ଚ ମାସରୁ ପୂରିଯାଇଛି । ମାତ୍ର ସୋନି ଟିଭିର ବିନା ଅନୁମତିରେ ଓରଟେଲ୍ ଉକ୍ତ ଚାନେଲଗୁଡ଼ିକର ପ୍ରସାରଣ ଜାରି ରଖିଛି । ଅତି ଚତୁରତାର ସହ ଓରଟେଲ୍ ସୋନିର ସମସ୍ତଙ୍କ ଚାନେଲ୍ ର ପ୍ରସାରଣକୁ ଚୋରି କରି ନିଜ ଗ୍ରାହକଙ୍କୁ ଦେଖାଇ ଚାଲିଛି । ଏହାଦ୍ୱାରା ସୋନିର ୨୦ କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ହୋଇଛି ।
ମାର୍ଚ୍ଚ ମାସରେ ଚୁକ୍ତି ଶେଷ ହେବା ପରେ ସୋନି କର୍ତ୍ତୃପକ୍ଷ ଓରଟେଲ୍ କୁ ପୁନଃ ଚୁକ୍ତି କରିବା ପାଇଁ ଚିଠି ଲେଖିଥିଲେ । ପୁନଃ ଚୁକ୍ତି ସହ ଓରଟେଲ୍ ଉପରେ ଥିବା ସମସ୍ତ ଦେୟ ପୈଠ କରିବା ପାଇଁ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ଓରଟେଲ୍ କର୍ତ୍ତୃପକ୍ଷ ତାହାକୁ ଖାତିର କରିନାହାନ୍ତି । ବରଂ ମାଗଣାରେ ମାଗଣାରେ ସାଟେଲାଇଟ୍ ଚୋରି କରି ସୋନିର ବିଭିନ୍ନ ଚାନେଲ୍ ଦେଖାଇ ଚାଲିଛନ୍ତି । ଯାହାର ସମସ୍ତ ପ୍ରମାଣପତ୍ର ଥାନାରେ ଦାଖଲ କରିଛନ୍ତି ସୋନି କର୍ତ୍ତୃପକ୍ଷ । ଦୀର୍ଘ ୪ ମାସ ହେଲା ଓରଟେଲ୍ ସଂସ୍ଥା ସୋନି ପ୍ରସାରଣକୁ ଚୋରି କରୁଥିଲେ ମଧ୍ୟ ବହୁ ବିଳମ୍ବରେ ସୋନି କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି । ସୋନିର ଏକ ସ୍ୱତନ୍ତ୍ର ଟିମ୍ କୋଲକତାରୁ ଭୁବନେଶ୍ୱର ଆସି ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବା ପରେ କଥା ପଦାକୁ ଆସିଛି ।
ସୂଚନାଯୋଗ୍ୟ, ଓରଟେଲ୍ ଏକ ଯାହିତାହି କମ୍ପାନୀ ନୁହେଁ । ଏହାର କୋ-ଫାଉଣ୍ଡର ଓ ପରିଚାଳନା ନିର୍ଦ୍ଦେଶିକା ହେଉଛନ୍ତି ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା । ବ୍ରଡବ୍ୟାଣ୍ଡ ସର୍ଭିସ୍ ଓ ଡିଜିଟାଲ୍ କେବୁଲ୍ ଟିଭି ସର୍ଭିସ୍ କ୍ଷେତ୍ରରେ ଏହା ଦୀର୍ଘ ପ୍ରାୟ ଦୁଇଦଶନ୍ଧି ଧରି ରାଜ୍ୟରେ ଏକଚାଟିଆ ବେପାର ଚଳାଇଛି । ଅତୀତରେ ସରକାରଙ୍କ ଛତ୍ରଛାୟା ପାଇ କମ୍ପାନୀ ଧରାକୁ ଶରା ମଣୁ ନ ଥିଲା । ଓରଟେଲ୍ ର ଗୁଣ୍ଡାରାଜର ଶିକାର ହୋଇଥିଲା ଇଟିଭି କେବୁଲ୍ ନେଟୱାର୍କ । ଏବେ ଓରଟେଲ୍ ବିରୋଧରେ ପ୍ରସାରଣ ଚୋରି ଅଭିଯୋଗ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।