ଭୁୁବନେଶ୍ୱର: ଶେଷରେ ନିଜର ଜୀବନ ହାରିଛନ୍ତି କୁନ୍ଦୁଲି ପୀଡ଼ିତା । ନ୍ୟାୟ ନ ମିଳିଲେ ଜୀବନ ହାରିବେ ବୋଲି କହିଥିବା ଏହି ପୀଡ଼ିତା ଆଜି ଅପରାହ୍ନରେ ନିଜ ଘରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କୁନ୍ଦୁଲି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।
ଅକ୍ଟୋବର ୧୦ ତାରିଖ ସକାଳେ କୁନ୍ଦୁଲି ବଜାରରୁ ସଉଦା ସାରି ନିଜ ଘର ମୁସୁଗୁଡ଼ାକୁ ଏକୁଟିଆ ଫେରୁଥିବା ସଂପୃକ୍ତା ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ସେ ନିଜେ ଅଭିଯୋଗ କରିଥିଲେ । ୟୁନିଫର୍ମ ପିନ୍ଧା ୪ ଜଣ ସୁରକ୍ଷା କର୍ମୀ ତାଙ୍କୁ ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ପ୍ରାଥମିକ ତଦନ୍ତ କରି ସମ୍ପର୍କୀୟ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ହେଲେ ସେମାନଙ୍କର ସଂପୃକ୍ତ ନ ଥିବା କହି ଛାଡ଼ିଦେଇଥିଲା । ପରବର୍ତ୍ତୀ ସମୟରେ ଘଟଣାର କ୍ରାଇମବ୍ରାଞ୍ଚ ଓ ପରେ ବିଚାରବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର ।
ଇତିମଧ୍ୟରେ ପୀଡ଼ିତା ଅସୁସ୍ଥ ହୋଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହୋଇ ସୁଧାର ଗୃହକୁ ଫେରିଥିଲେ । ମାତ୍ର ପୁଣି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସବୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ତେବେ ସେ ମାନସିକ ରୋଗୀ ବୋଲି ଡାକ୍ତରମାନେ କହି କାଉନସେଲିଂ ପାଇଁ ପରାମର୍ଶ ଦେଇଥିଲେ । ବହୁ ବାଦବିବାଦ ପରେ କଟକରୁ ପୀଡ଼ିତା ଆସିଥିଲେ ତାଙ୍କ ଗାଁକୁ । ତେବେ ତାଙ୍କୁ ନ୍ୟାୟ ମିଳୁ ବୋଲି ସେ ବାରମ୍ବାର କହୁଥିଲେ । ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ପରେ ବିଚାର ବିଭାଗୀୟ ତଦନ୍ତ ଚାଲିଥିଲା । କୋରାପୁଟ ଜିଲ୍ଲା ଜଜ୍ ଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ତେବେ ତଦନ୍ତରେ ପ୍ରକୃତ ଦୋଷୀ ଜଣାପଡ଼ିବା ପୂର୍ବରୁ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି, କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ପୀଡ଼ିତା ତାଙ୍କୁ ନ୍ୟାୟ ମିଳୁ ବୋଲି ବାରମ୍ବାର କହି ଆସୁଥିଲେ ମଧ୍ୟ ୩ ମାସ ପରେ ବି ନ୍ୟାୟ ମିଳିପାରିଲା ନାହିଁ କାହିଁକି ? ସେଥିପାଇଁ କାହାକୁ ଦାୟୀ କରିବା ? ସରକାର, ପ୍ରଶାସନ ନା ତଦନ୍ତକାରୀ ସଂସ୍ଥାକୁ ? ସର୍ବୋପରି ଜଣେ ଗଣଦୁଷ୍କର୍ମ ନାବାଳିକା ଆତ୍ମହତ୍ୟା ଘଟଣାରେ ସରକାର ନିଜ ଦାୟିତ୍ୱକୁ ଏଡ଼ାଇ ଦେବେ କି ? ଗଣଦୁଷ୍କର୍ମ ପୀଡ଼ିତା ଜଣେ ନିରୀହା ନାବାଳିକାଙ୍କ ଆତ୍ମହତ୍ୟା ପାଇଁ ସରକାରଙ୍କୁ ଦାୟୀ କରିଛି ବିଜେପି । ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତାକୁ ଦାୟୀ କରି ମାମଲାର ସିବିଆଇ ତଦନ୍ତ ଦାବି କରିଛି । ସେପଟେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରି ପୀଡ଼ିତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।