ନୟାଗଡ଼(ମିଡ-ଡେ ଓଡ଼ିଶା): ୯୦ ବର୍ଷର ବୃଦ୍ଧ ବାନାମ୍ବର ସ୍ୱାଇଁଙ୍କୁ ଆଜି ବେଲ୍ ମିଳିଛି । ଭାପୁର ରାମପଡ଼ା ଗ୍ରାମର ବୋହୁ ପରିତ୍ୟକ୍ତ ବୃଦ୍ଧ ବାନାମ୍ବରଙ୍କୁ ଦୁଇଦିନ ଧରି ଅକଥନୀୟ ନିର୍ଯାତନା ଦେବା ପରେ ରବିବାର ଅଧାରାତିରେ ଫତେଗଡ଼ ପୁଲିସ ଘରୁ ଉଠାଇ ନେଇ କୋର୍ଟ ଚାଲାଣ କରିଥିଲା । ଖଣ୍ଡପଡ଼ା କୋର୍ଟ ମାଜିଷ୍ଟ୍ରେଟ୍ ତାଙ୍କ ବେଲ୍ ପିଟିସନ୍ର ଶୁଣାଣିକୁ ଦିନକ ପାଇଁ ଘୁଞ୍ଚାଇ ଦେବାରୁ ଜେଲ୍ ଯାଇଥିଲେ ବାନାମ୍ବର । ମାଜିଷ୍ଟ୍ରେଟ୍ ଆଜି ବେଲ୍ ଦେବାରୁ ବୃଦ୍ଧ ବାନାମ୍ବର ଜେଲ୍ ରୁ ମୁକୁଳିଛନ୍ତି ।
ନୟାଗଡ଼ ବିଧାୟକ ତଥା ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ଇସାରାରେ ଥାନାବାବୁ ୯୦ ବର୍ଷର ବୃଦ୍ଧ ବାନାମ୍ବରଙ୍କୁ ରାତି ଅଧରେ ଘରୁ ଉଠାଇ ନେଇଥିଲୋ । ଫତେଗଡ଼ ପୁଲିସର ଏଭଳି ସ୍ୱୀକାରୋକ୍ତି ଆମେ ପୂର୍ବରୁ ପ୍ରକାଶ କରିଥିଲୁ । ସାମାନ୍ୟ ପାରିବାରିକ ବିବାଦରୁ ଜୀବନର ଶେଷ ପାହାଚରେ ପହଞ୍ଚିଥିବା ବୃଦ୍ଧ ଦମ୍ପତ୍ତିଙ୍କୁ ଥାନାବାକୁ ନାଲିଆଖି ଦେଖାଇ ଶନିବାର ଦିନତମାମ ୪୩ଂ ଖରାରେ ରାସ୍ତାକଡ଼ରେ ବସାଇ ଦେଇଥିଲେ । ଥାନାବାବୁଙ୍କ ଏଭଳି ଅମାନବୀୟ କାର୍ଯ୍ୟ ପ୍ରଥମେ ମିଡ଼-ଡେ ଓଡ଼ିଶାରେ ପ୍ରକାଶ ପାଇଲା ପରେ ମନ୍ତ୍ରୀ ଅରୁଣ ସାହୁଙ୍କ କାନକୁ ଖବର ଯାଇଥିଲା । ଆଉ ଏହି ସାମାନ୍ୟ ଘଟଣାରେ ନିଜକୁ ସଚ୍ଚା ଓ ହୃଦୟବାନ ବୋଲାଉଥିବା ମନ୍ତ୍ରୀ ଅରୁଣ ସାହୁ ବୁଢ଼ାକୁ ସାବାଡ଼ କରିବାକୁ ପୁଲିସକୁ ନିର୍ଦେଶ ଦେଲେ । ବୃଦ୍ଧ ନିର୍ଦୋଷ ବୋଲି ଆମେ ଜାଣୁଛୁ । ମାତ୍ର ମନ୍ତ୍ରୀଙ୍କ ନିର୍ଦେଶରେ ଆମେ ରାତିଅଧିଆ ଚଢ଼ାଉ କରି ତାଙ୍କୁ ଗିରଫ କରୁଛୁ ବୋଲି ମାନିଥିଲେ ଜନୈକ ତଳିଆ ପୁଲିସ କର୍ମଚାରୀ ।
ଖବରଟି ଗଣମାଧ୍ୟମରେ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମାନବିକ ମୂଲ୍ୟବୋଧ ରଖିଥିବା ସାଧାରଣ ଜନତା ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ସୋସିଆଲ୍ ମିଡ଼ିଆରେ ଏହି ଘଟଣାକୁ ନେଇ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ପାରିବାରିକ ବିବାଦରେ ନିଜର ରାଜନୈତିକ ଚେଲାଚାମଣ୍ଡାଙ୍କ ମନଖୁସି କରାଇବାକୁ ଆଇନମନ୍ତ୍ରୀଙ୍କ ଅମାନବୀୟ ଭୂମିକା ଉପରେ ତଦନ୍ତ ପାଇଁ କିଛି ସଂଗଠନ ସ୍ୱର ଉତ୍ତୋଳନ କରିଛନ୍ତି । ଘଟଣାଟିକୁ ମାନବାଧିକାର କମିଶନଙ୍କ ପାଖକୁ ନେବାକୁ ସେମାନେ ସଜବାଜ ହେଉଛନ୍ତି । ନିଜ ପକ୍ଷରୁ ମାନବାଧିକାର କମିଶନ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ସୂଚନା ମିଳିଛି ।