ଭୁୁବନେଶ୍ୱର: ଟିଆରପି ଦୃଷ୍ଟିରୁ ବର୍ଷ ବର୍ଷ ଧରି ଓଡ଼ିଆ ଟିଭି ଚାନେଲ୍ ଜଗତରେ ଦୁଇ ନମ୍ବର ସ୍ଥାନ ପାଉଥିବା ନ୍ୟୁଜ୍ 7 ଚାନେଲ୍ କିଛି ମାସ ହେଲା ଚତୁର୍ଥ ସ୍ଥାନକୁ ଖସିଆସିଛି । ଚାନେଲ୍ ର ଏଭଳି ଅଧୋପତନକୁ ନେଇ ମିଡ଼ିଆ ଜଗତରେ ଚର୍ଚ୍ଚା ହେଉଥିବା ବେଳେ ରହସ୍ୟ ଉପରୁ ପର୍ଦ୍ଦା ହଟିଛି । ନ୍ୟୁଜ୍ 7 ର ଦର୍ଶକ ଯେତିକି ନୁହଁନ୍ତି, ଟାମ୍ପରିଂ ବା ହାତସଫେଇ କରି ଅଧିକ ଟିଆରପି ଯୋଗାଡ଼ କରୁଥିବାର ସଙ୍ଗୀନ ରିପୋର୍ଟ ପଦାକୁ ଆସିଛି । ଟିଭି ଦର୍ଶକ ମାପକାରୀ ସଂସ୍ଥା ବାର୍କର ଶୃଙ୍ଖଳାଗତ କମିଟି ହାତରେ ଚାନେଲ୍ ର ଏଭଳି ଅସାଧୁ କାରବାର ଧରାପଡ଼ିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।
ପୂର୍ବରୁ ମଧ୍ୟ ଏହି ଚାନେଲ୍ ର ହାତସଫେଇ କାର୍ଯ୍ୟ ବାର୍କ ଦ୍ୱାରା ଧରାପଡ଼ିଥିବା ଜାତୀୟ ୱେବପୋର୍ଟାଲ୍ ଟେଲିଭିଜନ୍ ପୋଷ୍ଟ ରିପୋର୍ଟରେ କୁହାଯାଇଛି । ଏହି ଅସାଧୁ କାରବାର ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାର୍କ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
ଟିଆରପି ଦୃଷ୍ଟିରୁ ଓଡ଼ିଶାର ପ୍ରମୁଖ ଟିଭି ଚାନେଲ୍ ଗୁଡ଼ିକ ମଧ୍ୟରେ ଓଟିଭି ଏକ ନମ୍ବର ସ୍ଥାନ ବଜାୟ ରଖୁଥିବା ବେଳେ କିଛି ବର୍ଷ ଧରି ନ୍ୟୁଜ୍ 7 ଚାନେଲ୍ ଦ୍ୱିତୀୟ ସ୍ଥାନରେ ରହୁଥିଲା । ଚାନେଲ୍ ର ଟିଆରପି ୫୦ରୁ ଅଧିକ ରହୁଥିଲା । ପଛରେ ରହୁଥିଲେ କନକ ଟିଭି, କଳିଙ୍ଗ ଟିଭି ଏବଂ ଅନ୍ୟମାନେ । କିଛି ମାସ ହେଲା ନ୍ୟୁଜ୍ 7 ର ଟିଆରପି ତଳକୁ ଖସି ଆସିଥିବା ବେଳେ ଦ୍ୱିତୀୟ ସ୍ଥାନ ପାଇଁ କଳିଙ୍ଗ ଓ କନକ ମଧ୍ୟରେ ବଳ କଷାକଷି ବରାବର ଚାଲିଛି । ତେବେ ଦ୍ୱିତୀୟ ସ୍ଥାନରୁ ନ୍ୟୁଜ୍ 7 ହଠାତ୍ ଅନ୍ତର୍ଦ୍ଧାନ ହେବା ପଛର ରହସ୍ୟ ଏବେ ଜଣାପଡୁଛି । ବିଭିନ୍ନ ଜାଗାରେ ବସିଥିବା ମିଟର ଜରିଆରେ ଦର୍ଶକ ସଂଖ୍ୟାକୁ ଏହି ଚାନେଲ୍ ଟାମ୍ପରିଂ କରି ଆସୁଥିଲା ବୋଲି ଧରାପଡ଼ିଛି ।
ବାର୍କ ହାତରେ ଏହି ଅସାଧୁ କାରବାର ଧରାପଡ଼ିବା ପରେ ଟିଆରପି ଦୌଡ଼ରେ ଚାନେଲ୍ ପଛରେ ପଡ଼ିଯାଇଥିବା କୁହାଯାଉଛି । କପି କରୁଥିବା ପିଲା କପି କରି ନ ପାରିଲେ ଫେଲ୍ ହେଲା ଭଳିଆ ନ୍ୟୁଜ୍ 7 ଚାନେଲ୍ ର ଅବସ୍ଥା ହୋଇଥିବା କେହି କେହି ଆକ୍ଷେପ କଲେଣି । ସୂଚନାଯୋଗ୍ୟ, ବାର୍କ ରେଟିଂ ପାଇବା ପାଇଁ ନ୍ୟୁଜ୍ 7 ଟାମ୍ପରିଂ କରୁଥିବା ପ୍ରତିଦ୍ୱନ୍ଦୀ ଚାନେଲ ପକ୍ଷରୁ ବହୁଦିନରୁ ଅଭିଯୋଗ ହେଉଥିଲା ।
ଦ୍ୱିତୀୟ ଥର ପାଇଁ ନ୍ୟୁଜ୍ 7ର ଏଭଳି ହାତସଫେଇ କାରବାର ଉପରେ ବାର୍କ କଠୋର ଆଭିମୁଖ୍ୟ ନେଉଥିବା ଜଣାପଡ଼ିଛି । ହାଇଦ୍ରାବାଦରେ ଏଭଳି ଦୁଇଟି ଚାନେଲ୍ ଧରାପଡ଼ିବା ପରେ ବାର୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ସଂପୃକ୍ତ ଟିଭି ସଂସ୍ଥା ବିରୋଧରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇଗଲାଣି । ଆଇପିସର ଧାରା ୪୦୬, ୪୨୦ ଏବଂ ୩୪ ରେ ଏହି ମାମଲା ରୁଜୁ ହୋଇଛି । ପୂର୍ବରୁ କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଆସାମରେ ମଧ୍ୟ ଟାମ୍ପରିଂ କରିଥିବା ଟିଭି ସଂସ୍ଥା ବିରୋଧରେ ବାର୍କ କଠୋର ଆଭିମୁଖ୍ୟ ନେଇଥିଲା ।
ତେବେ ଏହି ବାର୍କ ଟାମ୍ପରିଂ ବାବଦରେ ନ୍ୟୁଜ୍ 7 ର ପ୍ରତିକ୍ରିୟା ମିଳିପାରିନାହିଁ ।