ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଟିଟୋର ବ୍ୟବସାୟ ସାମ୍ରାଜ୍ୟର ଲମ୍ବା ଚେର ପାଉଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଖାଲି ଯନ୍ତ୍ରୀ କି ଠିକାଦାର ନୁହଁନ୍ତି, କିଛି ରାଜନେତାଙ୍କୁ ହାତରେ ରଖି ସେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା । ସେହି ରାଜନେତାମାନେ ତାକୁ ଖାଲି ସହଯୋଗ କରୁ ନ ଥିଲେ, ବରଂ ତା ବେପାରରେ ଭାଗିଦାର ହୋଇ ଭଲ ରୋଜଗାର କରୁଥିଲେ । ସେହି ରାଜନେତାଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ଉପକୂଳ ଅଞ୍ଚଳର ଦୁଇ ବିଧାୟକ । ଜଣେ ଶାସକ ଦଳର ଦୁଇଥରର ବିଧାୟକ ଓ ଆଉ ଜଣେ ବିରୋଧୀ ଦଳର ବିଧାୟକ । ଟିଟୋର କୋଟି କୋଟି ଟଙ୍କାର ବିଭିନ୍ନ ଟେଣ୍ଡର ଓ ବାଲିଘାଟ ବେପାରରେ ଏମାନଙ୍କର ସଂପୃକ୍ତି ଥିଲା । କିଛି କାମକୁ ଏମାନେ ଟିଟୋ ଜରିଆରେ ସିଧାସଳଖ ହାତେଇଥିଲେ । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍ କୁ ଏହାର ଠୋସ୍ ପ୍ରମାଣ ଲାଗିଥିବା ଜଣାପଡ଼ିଛି । ଖୁବ୍ ଶୀଘ୍ର ଏହି ଦୁଇ ବିଧାୟକଙ୍କ ସମେତ ଆଉ କିଛି ନେତାଙ୍କୁ ପଚରାଉଚୁରା କରାଯିବ ବୋଲି ସୂଚନା ମିଳିଛି ।
ଟିଟୋ ସହ ଦୁଇ ବିଧାୟକଙ୍କ ସିଧାସଳଖ ସଂପୃକ୍ତିର ସୂରାକ୍ ଖୋଦ୍ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ହୋସ୍ ଉଡ଼ାଇ ଦେଇଛି । ସେମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ରୁ ବହୁ ତଥ୍ୟ ହାସଲ କରିବାକୁ ସେମାନେ ଆଶା ବାନ୍ଧିଛନ୍ତି । ବର୍ଷ ବର୍ଷ ଧରି ଟିଟୋର ଅଣ୍ଡରୱାଲର୍ଡ କାରବାର ପଛରେ ରାଜନେତାଙ୍କ ଆର୍ଶିବାଦ ମାମଲାକୁ ଅତ୍ୟଧିକ ଗମ୍ଭୀର କରିଦେଇଛି । ଟିଟୋ କାରବାର ପଛରେ ଯିଏ ବି ଥାଉ କାହାରିକୁ ଛଡ଼ାଯିବ ନାହିଁ ବୋଲି ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି ।
ସେପଟେ ଟିଟୋର ବିପୁଳ ବେନାମୀ ସମ୍ପତ୍ତି ଉପରେ ଏସଟିଏଫ୍ ଛାନଭିନ୍ ଜାରି ରଖିଛି । ଟିଟୋର ପତ୍ନୀ ବେନଜୀରଙ୍କ ନାଁରେ ଥିବା ଅଚଳାଚଳ ସମ୍ପତ୍ତିର ରହସ୍ୟ ଖୋଜାଚାଲିଛି । ଆଜି ଜଣେ ଡିଏସପିଙ୍କ ନେତୃତ୍ୱରେ ଦୁଇଜଣ ମହିଳା ଇନସପେକ୍ଟରଙ୍କୁ ନେଇ ଗଠିତ ଏସଟିଏଫ୍ ଟିମ୍ କେନ୍ଦ୍ରାପଡ଼ା ଯାଇ ଟିଟୋର ଘର ତଲାସି କରିଛି । କିଛି ରୋଜଗାର ନ ଥାଇ ଏତେ ବିପୁଳ ସମ୍ପତ୍ତିର ମାଲିକ କିଭଳି ବନିଲେ ସେ ନେଇ ଟିଟୋର ପତ୍ନୀ ବେନଜୀରଙ୍କୁ ଦେଢ଼ଘଣ୍ଟା ଧରି ପଚରାଉଚୁରା କରାଯାଇଛି । ପରେ ଏହି ଟିମ୍ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ସିଏସଓ ଅଫିସ ଯାଇ ବେନଜୀର ନାଁରେ କିଭଳି ପେଟ୍ରୋଲ୍ ପମ୍ପ ଆସିଲା ତାହାର କାଗଜପତ୍ର ତନଖି କରିଛନ୍ତି । ଟିଟୋ ଲିଙ୍କ୍ ରେ କେନ୍ଦ୍ରାପଡ଼ାର ପୂର୍ବତନ କାଉନସେଲର ହିଜବୁଲ୍ ରେହେମାନ୍ ଙ୍କୁ ମଧ୍ୟ ଜେରା କରିଛି ଏସଟିଏଫ୍ ।
ଟିଟୋକୁ ତୃତୀୟ ଥର ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ପୁଲିସ । ୫ ଦିନିଆ ରିମାଣ୍ଡ ସରିଲା ପରେ କ୍ରାଇମବ୍ରାଞ୍ଚ ଆଜି ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ଆଉ ତିନିଦିନିଆ ରିମାଣ୍ଡରେ ନେବାକୁ କୋର୍ଟର ଅନୁମତି ଲୋଡ଼ିଥିଲା । କୋର୍ଟ ଏହି ଅନୁମତି ଦେଇଛନ୍ତି । ଟିଟୋର ପଲିଟିକାଲ୍ ଲିଙ୍କ୍ ର ସମସ୍ତ ତଥ୍ୟ ହାସଲ କରିବାକୁ କ୍ରାଇମବ୍ରାଞ୍ଚ ର ଏସଟିଏଫ୍ ଟିମ୍ ଏଥର ପ୍ରସ୍ତୁତି କରିଛି । ବର୍ତ୍ତମାନେ ସୁଦ୍ଧା ଟିଟୋଠାରୁ ଯାହା ତଥ୍ୟ ମିଳିଛି ତାହା ଉପରେ ଅଧିକ ଜେରା କରାଯିବ ଏବଂ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ରାଜନେତା, ଯନ୍ତ୍ରୀ ଓ ଠିକାଦାରଙ୍କୁ ଜେରା କରିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ଜଣେ ବରିଷ୍ଠ କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।