ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବୈଜୟନ୍ତ ପଣ୍ଡାଙ୍କ ଓରଟେଲ୍ ସଂସ୍ଥା ଅଲାଜୁକ ହୋଇଯାଇଛି । ତାଙ୍କ ଉପରେ ବାରମ୍ବାର ଲେଖିବାକୁ ଆମକୁ ଲାଜ ଲାଗିଲାଣି । ସାଧାରଣ ପ୍ରଜାଙ୍କଠାରୁ ଆରମ୍ଭ କରି ରାଜ୍ୟର ସର୍ବୋଚ୍ଚ ଶାସକକର୍ତ୍ତାଙ୍କ ପର୍ଯ୍ୟନ୍ତ କାହାରି ତୁଣ୍ଡକୁ ସଂସ୍ଥାର ଖାତିର ନାହିଁ । ଲୋକଙ୍କୁ ଠକି ପଇସା ଆଦାୟ କରିବାରେ ପିଏଚଡି କରିସାରିଛି ସଂସ୍ଥା । କିଛି ଦିନ ତଳେ ସଂସ୍ଥା ନିର୍ଦ୍ଦେଶକ ଟ୍ୱିଟ୍ କରିଥିଲେ କି ସଂସ୍ଥା ବିରୋଧରେ ମିଛ ଅପପ୍ରଚାର ହେଉଛି । ଅଭିଯୋଗ କରୁଥିବା ଗ୍ରାହକ କୁଆଡେ କଷ୍ଟମର୍ ନମ୍ବର ଦେଉନାହାନ୍ତି । ତେଣୁ ସେମାନଙ୍କୁ ସେବା ଯୋଗାଇବା ସମ୍ଭବ ହେଉନି ବୋଲି ନିର୍ଦ୍ଦେଶକ ଅତି ନିର୍ଲ୍ଲଜ ଟ୍ୱିଟ୍ କରି ଲୋକଙ୍କୁ ଭକୁଆ ବନେଇବାକୁ ଚେଷ୍ଟା କରିଥିଲେ । ଏମିତି ଲେଖି ସେ ଅଭିଯୋଗକାରୀ ଗରାଖଙ୍କୁ ମୁର୍ଖ ଅଥବା ବାୟା ଦର୍ଶାଇବାକୁ ଚେଷ୍ଟା କରିଥିଲେ । ମାତ୍ର ବୈଜୟନ୍ତ ପଣ୍ଡାଙ୍କ ଭଳି ତଥାକଥିତ ଦୂରଦ୍ରଷ୍ଟା ଓ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିଙ୍କ ସଂସ୍ଥାର ମୁଖ୍ୟ ଅଧିକାରୀ ଏଭଳି ଟ୍ୱିଟ୍ କରି କିଭଳି ସମସ୍ତଙ୍କୁ ଭକୁଆ ବନେଇଛନ୍ତି ତାହାର ଗଣ୍ଡା ଗଣ୍ଡା ଉଦାହରଣ ପହଞ୍ଚିବାରେ ଲାଗିଛି । ଲୋକଙ୍କ ତଣ୍ଟିରେ ଖୋଜ ପକାଇଥିବା ସିସୋର, ଅର୍ଥତତ୍ତ୍ୱ କି ଓସ୍କାର ଭଳି ସଂସ୍ଥାଠାରୁ ଓରଟେଲ୍ ଯେ କୌଣସି ଗୁଣରେ କମ୍ ନୁହେଁ ତାହା ସେଥିରୁ ଜଳ ଜଳ ।
କଷ୍ଟମର୍ ନମ୍ବର ୮୩୮୬୨୬ । ରାଜଧାନୀର କଳିଙ୍ଗ ବିହାରର ଏହି ଭଦ୍ରବ୍ୟକ୍ତି ଜଣଙ୍କ ଓରଟେଲ୍ ଉପଭୋକ୍ତା । ଜୁନ୍ ୨ ତାରିଖରୁ ତାଙ୍କ ଟିଭି ପଙ୍ଗୁ ହୋଇ ପଡ଼ିଛି । ସିଗନାଲ୍ ନାହିଁ । ୨ ତାରିଖରୁ ସେ ଲଗାତର ଅଫିସ୍ରେ ଅଭିଯୋଗ ଦେଇ ଆସୁଛନ୍ତି । ସବୁ ଥର ରିସେପସନ୍ରୁ ଚିକଣିଆ କଥା କୁହାଯାଉଛି । ସଂଧ୍ୟା ସୁଦ୍ଧା ଆପଣଙ୍କର ଠିକ୍ ହୋଇଯିବ ବୋଲି ଆଶ୍ୱାସନା ଦିଆଯାଉଛି । ମାତ୍ର ୧୫ ତାରିଖ ପୂରି ଯାଇଥିଲେ ବି ଅରଟେଲ୍ ଲୋକଙ୍କର ନା ଦେଖା ମିଳୁଛି ନା ଟିଭି ସଜଡ଼ା ହୋଇପାରୁଛି । ୨ ତାରିଖରୁ ୧୫ ତାରିଖ ମଧ୍ୟରେ ସଂପୃକ୍ତ କଷ୍ଟମର ଦିନକୁ ଦୁଇ ତିନି ଥର ଫୋନ୍ କରି ସମାନ ଅଭିଯୋଗ ଦେଉଛନ୍ତି ଆଉ ଏକା ଉତ୍ତର ପାଉଛନ୍ତି । ୭ ତାରିଖରେ ଉପଭୋକ୍ତା ନିଜେ ଅଫିସ ଯାଇଥିଲେ ଏବଂ ସମାନ ଆଶ୍ୱାସନା ପାଇ ଫେରିଥିଲେ । ଦିପ୍ତୀ, ଆକାଶ, ରଶ୍ମି ଏବଂ ଜୟନ୍ତୀଙ୍କ ଭଳି ରିସେପସ୍ନିଷ୍ଟଙ୍କ ଗୋଟିଏ ଉତ୍ତର ଶୁଣି ଶୁଣି କାନରୁ ଜଳକା ବାହାରିଗଲାଣି ଗ୍ରାହକଙ୍କର ।
ଜଣେ ଉପଭୋକ୍ତାଙ୍କର ଏଭଳି ବାରମ୍ବାର ଅଭିଯୋଗ ପାଇଲା ପରେ ବି ସଂସ୍ଥା ବାଲା କାହିଁକି ଗାଲୁଆମୀ କରୁଛନ୍ତି ତାହା ବୁଝାପଡୁ ନ ଥିବାରୁ ଅଫିସ ୱାର୍କ କଲଚର ସେୟା ହୋଇଯାଇଥିବା କୁହାଯାଉଛି । ଏହି ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପକ୍ଷରୁ ଖୋଳତାଡ଼ ବେଳେ ଯାହା ଜଣାପଡ଼ିଛି ତାହା ଆହୁରି ସଙ୍ଗୀନ । ଗ୍ରାହକଙ୍କର ପ୍ରତିଟି ଅଭିଯୋଗ ଓରଟେଲ୍ ଅଫିସ ଖାତାରେ ଦର୍ଜ ହୋଇଛି ଏବଂ ସଂଯୋଗ ଠିକ୍ ହୋଇଗଲା ବୋଲି ରିପୋର୍ଟ ହୋଇ ଚାଲିଛି । ବାସ୍ତବରେ ଆଜି ପର୍ଯ୍ୟନ୍ତ କେହି ବି ଓରଟେଲ୍ କର୍ମଚାରୀ ଲାଇନ୍ ଠିକ୍ କରିବା ପାଇଁ ସେଠାକୁ ଯାଇନାହାନ୍ତି କି ଗରାଖଙ୍କର ଅଭିଯୋଗ ଉପରେ ସେମାନଙ୍କ ଆଡୁ ଫୋନ୍ରେ ମଧ୍ୟ ପଚାରିନାହାନ୍ତି । ନିଜର ପେମେଣ୍ଟ ଅପ୍ ଟୁ ଡେଟ୍ ରଖିଥିବା ଖାଲି ଏହି ନିର୍ଦ୍ଦିଷ୍ଟ ଗରାଖ ନୁହଁନ୍ତି, ପ୍ରାୟ ଗରାଖଙ୍କର ସମସ୍ୟା ପ୍ରତି ଓରଟେଲ୍ ବାଲା ଏମିତିକା ଭାଣ୍ଡାମୀ କରୁଛନ୍ତି । ମାଲିକ ଏବଂ ନିର୍ଦ୍ଦେଶକଙ୍କୁ ଏକଥା ଭଲ ଭାବେ ମାଲୁମ ଥିଲେ ମଧ୍ୟ କିଛି ଉପଚାର ନାହିଁ । ଓଲଟି ନିଜକୁ ସତୀ ବୋଲାଇ ଗରାଖଙ୍କୁ ଚୋର, ତସ୍କର, ଭଣ୍ଡ ବନାଇଛନ୍ତି ଓରଟେଲ୍ କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ ଯେ, ଓରଟେଲ୍ ବାଲାଙ୍କର ଭାଣ୍ଡାମୀର ଶିକାର ତାଲିକାରେ ଖୋଦ୍ ସେହି ଅଫିସର ଅନେକ ବଡ଼ବଡ଼ିଆ କର୍ମଚାରୀ ବି ଅଛନ୍ତି । ବିରକ୍ତ ହୋଇ କିଛି କର୍ମଚାରୀ ସଂସ୍ଥାର କେବୁଲ୍ ସର୍ଭିସ୍ କାଟି ସାରିଥିବା ବେଳେ ଅନ୍ୟମାନେ ଲାଇନ୍ରେ ଅଛନ୍ତି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଓରଟେଲ୍ ଗାଲୁଆମୀରୁ ଛାଡ଼ ପାଉନି ସେଠି ଅନ୍ୟ ଗରାଖଙ୍କର ଅବସ୍ଥା ନ କହିବା ଭଲ । ପୋଷା ଗୁଣ୍ଡା ରଖି ଗରାଖଙ୍କଠାରୁ ମାସିକ ପାଉଣା ଠିକ୍ ରେ ଆଦାୟ କରୁଥିବା ସଂସ୍ଥା ସର୍ଭିସ୍ ନ ଦେଇ ଲୋକଙ୍କୁ ଯେଭଳି ଠକି ଚାଲିଛି ତାହା ପ୍ରଭାସ ରାଉତଙ୍କ ଓସ୍କାର ଠକ ସଂସ୍ଥାର କାରନାମାଠାରୁ ବି କମ୍ ନୁହେଁ । ଏହା ନିଶ୍ଚିତ ଭାବେ ସାଂଘାତିକ ।