ଭୁବନେଶ୍ୱର: ବେଲଗାମ ହୋଇଯାଇଛି ପେଟ୍ରୋଲ ଓ ଡିଜେଲ ଦର । ତେଲ ଦର ବୃଦ୍ଧିକୁ ନେଇ ସାରା ଦେଶରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ରାଜନୈତିକ ଦଳ । ଓଡ଼ିଶାରେ ବିଜୁ ଜନତା ଦଳ ଏହି ପ୍ରସଙ୍ଗକୁ ଧରି ଆନ୍ଦୋଳନ ଡାକରା ଦେଇଛି । ଆସନ୍ତା ୭, ୮ ଓ ୯ ତାରିଖରେ ଦଳ ପକ୍ଷରୁ ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଆନ୍ଦୋଳନ ହେବ । ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ପେଟ୍ରୋଲ ପମ୍ପ ଆଗରେ ଦଳ ପକ୍ଷରୁ ପ୍ରତିବାଦ ବିକ୍ଷୋଭ କରାଯାଇ ତେଲ ଦର ବୃଦ୍ଧି ବିରୋଧରେ ଜନସଚେତନା ସୃଷ୍ଟି କରାଯିବା ସହ ତେଲ ଦର ହ୍ରାସ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ।
ଆଜି ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ମୁଖପାତ୍ର ସସ୍ମିତ ପାତ୍ର, ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ମିଳିତ ଭାବେ ଏହି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ସେମାନେ କହିଥିଲେ, ଭାରତବର୍ଷରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ସାଢ଼େ ଚାରି ବର୍ଷରେ ସର୍ବାଧିକ ଓ ଡିଜେଲ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଲଗାତର ତେଲ ଦର ବୃଦ୍ଧି ଯୋଗୁଁ ଖାଦ୍ୟପେୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଘଟିଛି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ୭,୮ ଓ ୯ ତାରିଖ ୩ ଦିନ ଧରି ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରତିବାଦ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ବିଜେଡ଼ିର ପ୍ରମୁଖ ଛାମୁଆ ସଂଗଠନ ମହିଳା, ଯୁବ ଓ ଛାତ୍ର ବିଜେଡ଼ି ଏହାର ନେତୃତ୍ୱ ନେବେ । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହି ତାହାକୁ ସଫଳ କରାଇବେ ।
ତେଲ ଦର ବୃଦ୍ଧି ପଛରେ କେନ୍ଦ୍ର ସରକାରଙ୍କ ‘ଜିଜିଆ କର’ ଏକମାତ୍ର କାରଣ ବୋଲି ବିଜେଡ଼ି ନେତାମାନେ କହିଛନ୍ତି । ସରକାର ଗତ ୪ ବର୍ଷ ଭିତରେ ୧୨ ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି କରି ପେଟ୍ରୋଲ ଉପରେ ପ୍ରାୟ ୧୦୦ ପ୍ରତିଶତ ଓ ଡିଜେଲ ଉପରେ ପ୍ରାୟ ୫୦୦ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛନ୍ତି । ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁଁ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଥିବା ସତ୍ତ୍ୱେ ଦେଶର ତେଲ ଦର କମୁନାହିଁ । ଉତ୍ପାଦ ଶୁଳ୍କ ବୃଦ୍ଧି କରି କେନ୍ଦ୍ର ସରକାର ଗତ ୪ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କା ଆଦାୟ କରିସାରିଲେଣି । ସରକାର ଚାହିଁଥିଲେ ଏହି ଅର୍ଥ ରିହାତି ବାବଦରେ ବ୍ୟବହାର କରି ତେଲ ଦର ହ୍ରାସ କରିପାରିଥାଆନ୍ତେ । କିନ୍ତୁ ତାହା କଲେ ନାହିଁ ।
ରାଜ୍ୟ ସରକାର ଭାଟ୍ ହ୍ରାସ୍ ପାଇଁ ବିଜେପିର ପରାମର୍ଶକୁ ବିଜେଡ଼ି ନେତାମାନେ କଟୁ ସମାଲୋଚନା କରିଛନ୍ତି । ସେମାନେ କହିଛନ୍ତି, ଓଡ଼ିଶାରେ ତେଲ ଉପରେ ଭାଟ୍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ୨୦୧୮ ମାର୍ଚ୍ଚରୁ ମହାରାଷ୍ଟ୍ରରେ ବିଜେପି ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍ ସହ ଲିଟର ପିଛା ୯ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି । ଆସାମରେ ସରକାର ପେଟ୍ରୋଲ ଉପରେ ଭାର ୩୨.୬୬ ପ୍ରତିଶତ ବସାଇଥିବା ବେଳେ ରାଜସ୍ଥାନରେ ୩୦ ପ୍ରତିଶତ ଭାଟ୍ ସହ ପ୍ରତି ହଜାର ଲିଟର ପିଛା ୧୫ ଶହ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍ ନେଉଛନ୍ତି । ସେହି ତୁଳନାରେ ଓଡ଼ିଶାରେ କମ୍ ଭାଟ୍ ରହିଛି ।