ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ସେୟା ହେଲା । ରାଷ୍ଟ୍ରପତି ପଦ ପାଇଁ ଏନଡିଏ ଦଳିତ କାର୍ଡ ଖେଳିଛି । ସମସ୍ତଙ୍କୁ ଚକିତ କରି ବିହାର ରାଜ୍ୟପାଳ ରାମନାଥ କୋଭିନ୍ଦଙ୍କୁ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିଜେପି ସଭାପତି ଅମିତ୍ ଶାହା ଆଜି ତାଙ୍କ ତାଙ୍କ ନାଁ ଘୋଷଣା କରିଛନ୍ତି ।
ଉତ୍ତରପ୍ରଦେଶର କାନପୁର ଦେହାତ୍ ଜିଲ୍ଲାରେ ଏକ ଦଳିତ ପରିବାରରେ ଜନ୍ମିତ ରାମନାଥ କୋଭିନ୍ଦ ବିଜେପିର ଜଣେ ଟାଣୁଆ ନେତାଭାବେ ଜଣାଶୁଣା । ୧୬ ବର୍ଷ ଧରି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି କରିଥିବା ରାମନାଥଙ୍କୁ ୧୯୯୪ ମସିହାରେ ବିଜେପି ରାଜ୍ୟସଭାକୁ ପଠାଇଥିଲା । ଲଗାତର ଦୁଇଟି ଟର୍ମ ଧରି ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୮ରୁ ୨୦୦୨ ମସିହା ପର୍ଯ୍ୟନ୍ତ ସେ ବିଜେପି ଦଳିତ ମୋର୍ଚ୍ଚାର ସଭାପତି ଥିଲେ । ଅଲ୍ ଇଣ୍ଡିଆ କୋଲି ସମାଜ ର ମଧ୍ୟ ସଭାପତି ଥିଲେ ରାମନାଥ । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ମଧ୍ୟ ସେ କାମ କରିଥିଲେ । ୨୦୧୫ ଅଗଷ୍ଟ ୮ ତାରିଖରେ ମୋଦି ସରକାର ତାଙ୍କୁ ବିହାର ରାଜ୍ୟପାଳ ଆସନ ଦେଇଥିଲା ।