ଆହ୍ୱାନକୁ ସୁଯୋଗ ଭାବ, ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କର
ଭୁବନେଶ୍ୱର: “କରୋନା ମହାମାରୀ ଆପଣଙ୍କ ସାଧାରଣ ଜୀବନରେ ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ୱାନ । ଏହି ସଙ୍କଟ ସମୟରେ ଲୋକମାନେ ଆପଣଙ୍କଠାରୁ ଅନେକ କିଛି ଆଶା ରଖନ୍ତି । ଲୋକଙ୍କ ଜୀବନ ଓ ମୃତ୍ୟୁ ସହିତ ଏହା ଜଡ଼ିତ ଥିବାରୁ ଲୋକଙ୍କ ସେବା ଓ ଜୀବନ ସୁରକ୍ଷା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି । ଏହି ସୁଯୋଗକୁ ଗ୍ରହଣ କରି ଅଧିକ ଦାୟିତ୍ୱବାନ ହୁଅନ୍ତୁ ।”
ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ ଏଭଳି ମାର୍ମିକ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ବିଧାୟକମାନଙ୍କୁ ୮ ସୂତ୍ରୀ କୋଭିଡ୍ ମୁକାବିଲା ମନ୍ତ୍ର ଦେଇଛନ୍ତି ସୁପ୍ରିମୋ ।
# ବିଜେଡ଼ିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କର ।
# ପ୍ରତି ଗାଁରେ ଥିବା ଦଳର ସବୁ କର୍ମୀମାନଙ୍କୁ କୋଭିଡ ସମ୍ପର୍କିତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରାଅ ।
# ବୟସ୍କମାନଙ୍କ ଉପଯୁକ୍ତ ଯତ୍ନ ନିଅ ।
# ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରାଅ ।
# ଗହଳିକୁ ଆମେ ଯିବା ନାହିଁ କି ଗହଳି କରିବା ନାହିଁ । ଲୋକଙ୍କ ସହ ଯୋଡି ହେବା ପାଇଁ ଟେକନୋଲୋଜିର ବ୍ୟବହାର କର ।
# ୱାର୍ଡସ୍ତରରେ ଗଠନ ହୋଇଥିବା ୫୦ ହଜାର କୋଭିଡ କେୟାର କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ଦିଆଯାଉଥିବା ୧୦ ହଜାର ଟଙ୍କାର ସୁପରିଚାଳନା ପ୍ରତି ନଜର ଦିଅ ।
# ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍ ପାଇଁ ମଂଜୁର ହୋଇଥିବା ୫୦ ହଜାର ଟଙ୍କାର ସୁବିନିଯୋଗ ପ୍ରତି ଦୃଷ୍ଟି ରଖ ।
# ଜୀବନଜୀବିକା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରନ୍ତୁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ଯୁଦ୍ଧରେ ଆପଣମାନଙ୍କର ବଡ଼ ଭୂମିକା ରହିଛି । ଆପଣଙ୍କ ନେତୃତ୍ୱ ଉପରେ ଲୋକଙ୍କର ଭରସା ଓ ବିଶ୍ୱାସ ରହିଛି । ଆପଣମାନଙ୍କ ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ପଦକ୍ଷେପରେ ଆପଣ କୋଭିଡ୍ ଗାଇଡ ଲାଇନସ୍ ପାଳନ କରି ଆମର କର୍ମୀମାନଙ୍କୁ ପ୍ରେରଣା ଦିଅନ୍ତୁ । ଲୋକମାନଙ୍କୁ ପ୍ରେରଣା ଦିଅନ୍ତୁ । ଏ ସଙ୍କଟ ସମୟରେ ସେମାନେ ଯେପରି ନିଜର ଓ ନିଜ ପରିବାରର ଉପଯୁକ୍ତ ଯତ୍ନ ନେଇପାରିବେ, ସେଥିପାଇଁ ପ୍ରେରଣା ଦିଅନ୍ତୁ ।