ଭୁବନେଶ୍ୱର: ସମ୍ଭବତଃ ନିଜକୁ ଡାହା ମିଛୁଆ ବୋଲି ଆଜି ପ୍ରମାଣିତ କରିଛନ୍ତି ଡାକ୍ତର ଦାମୋଦର ରାଉତ । ତାଙ୍କରି ପ୍ରସ୍ତାବିତ ନୂଆ ଦଳରେ ଯୋଗଦେବା ନେଇ ପ୍ରଫୁଲ୍ଲ ଘଡ଼େଇଙ୍କ ନାଁରେ ସେ ଆଜି ଏକ ମନ୍ତବ୍ୟ ଦେଇଥିଲେ । ମାତ୍ର ଦାମଙ୍କ ମନ୍ତବ୍ୟକୁ ସୁଦୁ ମିଛ ଓ ମନଗଢ଼ା ବୋଲି କହିଛନ୍ତି ଶ୍ରୀ ଘଡ଼େଇ । ଦାମବାବୁଙ୍କ ଭଳି ଜଣେ ବରିଷ୍ଠ ଓ ପରିପକ୍ୱ ନେତାଙ୍କ ମୁହଁରୁ ମନଗଢ଼ା କଥା ଶୁଣି ମତେ ଦୁଃଖ ଲାଗୁଛି ବୋଲି ସେ କହିଛନ୍ତି । ଦାମବାବୁ ନୂଆ ଦଳ ଗଢ଼ିବା ସମ୍ପର୍କରେ ମୋ ସହ କେବେ କଥା ହୋଇନାହାନ୍ତି କି ମୋ ପାଖକୁ ଲୋକ ପଠାଇନାହାନ୍ତି । ଏଭଳି ମିଛ କିଭଳି କହିପାରୁଛନ୍ତି ବୋଲି ଶ୍ରୀ ଘଡ଼େଇ ପ୍ରଶ୍ନ କରିଛନ୍ତି ।
ବିଜେଡ଼ିରୁ ବହିଷ୍କୃତ ହେଲା ପରଠୁ ଦାମବାବୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରିଛନ୍ତି । ଖାସ୍ କରି ପାଣ୍ଡିଆନ୍ ଙ୍କ ନାଁରେ ସବୁଦିନ ତାଙ୍କ ପାଟିରୁ କିଛି ନା କିଛି ଶୁଣିବାକୁ ମିଳୁଛି । ଆଜି ତାଙ୍କର ନୂଆ ଦଳ ଗଠନ ପ୍ରସଙ୍ଗ ଭିତରକୁ ବି ପାଣ୍ଡିଆନ୍ ଙ୍କୁ ଟାଣିଥିଲେ ଦାମ । ବୈଜୟନ୍ତ ପଣ୍ଡାଙ୍କ ଟିଭିକୁ କହିଥିଲେ ଯେ ତାଙ୍କର ପ୍ରସ୍ତାବିତ ନୂଆ ଦଳରେ ଯୋଗଦେବା ପାଇଁ ତାଙ୍କର ଜଣେ ଲୋକ ପ୍ରଫୁଲ୍ଲ ଘଡ଼େଇଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଥିଲେ । ତାଙ୍କ ପଟକୁ ଆସିବେ ବୋଲି ଘଡ଼ାଇ ସକାଳେ କଥା ଦେଇଥିଲେ । ମାତ୍ର ପାଣ୍ଡିଆନ୍ ତାଙ୍କୁ ଫୋନ୍ କରି ଚାପ ପକାଇଲେ । ତେଣୁ ସଂଧ୍ୟାକୁ ଘଡାଇଙ୍କ କଥା ବଦଳିଗଲା । ପୁଅଟା ଅଛି, କାଳେ ଅସୁବିଧା ହେବ ବୋଲି ଘଡ଼େଇ କୁଆଡ଼େ ତାଙ୍କୁ କହିଥିଲେ ।
ଦାମଙ୍କ ମୁହଁର ଏହି କଥାଟିକୁ ବୈଜୟନ୍ତ ପଣ୍ଡାଙ୍କ ଟିଭି ଏକପାଖିଆ ଭାବେ ଜୋରଦାର ପ୍ରଚାର କରିବା ପରେ ଭୀଷଣ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପ୍ରଫୁଲ୍ଲ ଘଡ଼େଇ । କହିଛନ୍ତି, ଦାମବାବୁଙ୍କ ଭଳି ଜଣେ ପରିପକ୍ୱ ନେତାଙ୍କଠାରୁ ଏଭଳି ମନଗଢ଼ା କଥା ଆଶା କରାଯାଏନି । ମୋର କୌଣସି ନିଷ୍ପତ୍ତି ଉପରେ ପାଣ୍ଡିଆନ୍ କାହିଁକି ଚାପ ପକାଇବେ? ମୁଁ ମନ୍ତ୍ରୀପରିଷଦରୁ ଗଲା ପରେ ପାଣ୍ଡିଆନ୍ ମୋ ସହ କେବେ ଦେଖା ହୋଇନାହାନ୍ତି କି କଥା ହୋଇନାହାନ୍ତି । ସେ କ’ଣ ରାଜନେତା ଯେ ମୋ ସହ କଥା ହେବେ? ସେ ପରା ଜଣେ ଅଫିସର । ମୋ ସହ ରାଜନୀତି ଚର୍ଚ୍ଚା କାହିଁକି କରିବେ?
ଯେଉଁ ଟିଭି ଏହାକୁ ଦେଖାଉଛି ସେମାନେ ମୋ ପାଖକୁ ଆସିଲେ ମୁଁ ତାହାର ଠିକ୍ ଉତ୍ତର ଦେବି ବୋଲି ଘଡ଼େଇ କହିଛନ୍ତି ।
ଶ୍ରୀ ଘଡ଼େଇ କହିଛନ୍ତି, ମୋ ଭବିଷ୍ୟତ ନେଇ ମୁଁ ମୋର ଷ୍ଟାଣ୍ଡ କ୍ଲିୟର୍ କରିସାରିଛି । ମୋର କେଉଁ ଦଳରେ ମିଶିବାର ନାହିଁ କି ନିର୍ବାଚନ ଲଢ଼ିବାର ନାହିଁ । ଏକଥା ଥରେ ନୁହେଁ ବହୁବାର ମୁଁ କହିସାରିଛି । ତେଣୁ ସେଥିନେଇ କାହା ମନରେ ଦ୍ୱନ୍ଦ ରହିବା ଉଚିତ ନୁହେଁ ।